ଲକ୍ଷ୍ମୀପୁର,୧୩/୧୨/୨୦୨୩ (ଓଡ଼ିଶା ସମାଚାର/ପ୍ରମୋଦ କୁମାର ଜେନା)- କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଅଞ୍ଚଳରେ ଆଜି ସକାଳୁ ସକାଳୁ ପ୍ରବଳ କୁହୁଡି ପାଇଁ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟି ଯାଇଛି। ଦୁର୍ଘଟଣାରେ ଚାରିଜଣ ଯୁବକ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କୁ ପ୍ରଥମେ ଲକ୍ଷ୍ମୀପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇ ପରେ ଜିଲ୍ଲା ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି।ଏନେଇ ଲକ୍ଷ୍ମୀପୁର ଥାନାରେ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ଚଳାଇଥିବା ଜଣା ପଡ଼ିଛି। ଆହତ ଚାରିଜଣ ଯୁବକଙ୍କ ଘର ନବରଙ୍ଗପୁର ଜିଲ୍ଲା ଅଞ୍ଚଳ ଗୁମା ବୋଲି ପଡ଼ିଛି।ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଏକ ମାମଲା ରୁଜୁ କରିଛି। ପ୍ରାପ୍ତ ସୂଚନା ମୁତାବକ ଅଞ୍ଚଳ ଗୁମାର ଚାରି ଜଣ ଯୁବକ ଭୁବନେଶ୍ୱର ରୁ ଆଜି ନିଜ ଘରକୁ ଏକ କାର ଯୋଗେ ଫେରୁଥିଲେ। ହେଲେ ଲକ୍ଷ୍ମୀପୁର ଥାନା ଟିମାଝଲା ଗ୍ରାମ ନିକଟ ଜାତୀୟ ରାଜପଥ ଉପରେ ସାମନା ପଟରୁ ଆସୁଥିବା ଏକ ହାଇୱା ସହ ଧକା ହୋଇଥିଲା। ଫଳରେ ଗୁରୁତର ଆହତ ଅବସ୍ଥାରେ ଚାରି ଜଣଙ୍କୁ ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର କରି ଲକ୍ଷ୍ମୀପୁର ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଚାରି ଜଣଙ୍କୁ କୋରାପୁଟ ଏସଏଲ୍ଏନ୍ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି। ସେମାନେ ହେଲେ ବିମଳ ଚୌଧୁରୀ,ସୁଧିର ସାହୁ,ଶିବରାମ ଆଚାର୍ୟ୍ୟ ଓ ଦୀନେଶ ମିଶ୍ର ।
ହାଇୱା ସହ କାର ଧକ୍କା,୪ ଯୁବକ ଗୁରୁତର ଆହତ
