ଭୁବନେଶ୍ୱର,୧୪/୦୬/୨୦୨୬(ଓଡ଼ିଶା ସମାଚାର)- ରଜ ଓଡ଼ିଆ ସଂସ୍କୃତିର ଏକ ପ୍ରଧାନ ପର୍ବ । ଗାଁ ଗାଁ ରେ ଏହି ପର୍ବ ଆନନ୍ଦ ଉତ୍ସାହର ସହ ପାଳନ କରାଯାଇଥାଏ । ବିଶେଷକରି ମହିଳା ଓ କୁନି ଝିଅମାନେ ରଜ ଦୋଳି ଖେଳି ଏହି ଉତ୍ସବର ନିଆରା ଆନନ୍ଦ ନେଇଥାନ୍ତି । ଏହି ଅବସରରେ ନାନା ରକମର ମିଠା ଓ ପିଠା ପଣା ସହ ରଜ ପାନ , ପୁଚି ଖେଳ ଓ ନୃତ୍ୟ ଗୀତ ବିଶେଷ ଆକର୍ଷଣ ହୋଇଥାଏ । ଓଡ଼ିଆ ପରମ୍ପରାର ଏହି ମହାନ୍ ସଂସ୍କୃତିକୁ ଅଧିକ ପ୍ରଚାର ଓ ପ୍ରସାର କରାଇବା ଲକ୍ଷରେ ଶିରିଡ଼ି ସାଇ ଗ୍ଲୋବାଲ ଫାଉଣ୍ଡେସନ୍ ଅନ୍ତର୍ଗତ ଟଙ୍କପାଣି ରୋଡ଼ ଶିରିଡ଼ି ସାଇ ବାବା ମନ୍ଦିର ପକ୍ଷରୁ ଗତ ବର୍ଷ ଭଳି ଏ ବର୍ଷ ମଧ୍ୟ ଏହି ବିଶେଷ ରଜ ଉତ୍ସବର ଆୟୋଜନ କରାଯାଇଛି ।ଏହି ଅବସରରେ କୁନି କୁନି ପିଲା ଓ ମହିଳା ମାନଙ୍କ ମଧ୍ୟରେ ଝୋଟି, ପିଠା ପଣା ଆଦି ପ୍ରତିଯୋଗିତା ସହ ରଜ ଦୋଳିର ଆୟୋଜନ କରାଯାଇଛି ।
ମହାନ୍ ଆଧ୍ୟାତ୍ମିକ ଚିନ୍ତକ ତଥା ଗବେଷକ ଗୁରୁଜୀ ଡ଼କ୍ଟର ଚନ୍ଦ୍ରଭାନୁ ଶତପଥିଙ୍କ ରଚିତ ଗୁରୁ ରଜ ପ୍ରାର୍ଥନା ଏହି ଅବସରରେ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ମଧ୍ୟରେ ଅପୂର୍ବ ଭାବ ସଂଚାର କରୁଛି । ଗୁରୁ ରଜ ଗୀତର ତାଳେ ତାଳେ ଓଡ଼ିଆ ଝିଅ ଓ ମହିଳା ମାନଙ୍କ ସହ ଏହି କାର୍ୟ୍ୟକ୍ରମରେ ସ୍ଥାନୀୟ ଅଂଚଳ ସମେତ କଟକ ଓ ଭୁବନେଶ୍ୱର ରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଓ ଭକ୍ତ ସାମିଲ ହୋଇଥିଲେ ।
