ଗଣକବିଙ୍କ ଭାବଧାରାରେ ଅନୁପ୍ରାଣିତ ହେବାକୁ ବକ୍ତା ଙ୍କ ଆହ୍ୱାନ 

                                                       (କୁଣ୍ଡିରେ ପାଣି ଜୟନ୍ତୀର ତୃତୀୟ ସନ୍ଧ୍ୟା )

ମାହାଙ୍ଗା,୧୦/୧୦/୨୦୨୫ (ଓଡିଶା ସମାଚାର /ଅଭୟ ଜେନା )-ମାଆ ମାଟି ଏବଂ ମାତୃଭୂମିର ଜୟଗାନରେ ଶତମୁଖର ଗଣକବିଙ୍କ ସାମଗ୍ରିକ ସାହିତ୍ୟ କୃତୀ । ଏଭଳି ଜଣେ ଯୋଗଜନ୍ମା ପୁରୁଷଙ୍କ ପାଇଁ ବାସ୍ତବରେ ଓଡ଼ିଆ ଜାତି ଆଜି ଗର୍ବିତ । ପଞ୍ଚାୟତ ହାଇସ୍କୁଲ କୁଣ୍ଡି, ପ୍ରାଙ୍ଗଣରେ ଅନୁଷ୍ଠିତ ପାଣି ଜୟନ୍ତୀ ସମାରୋହରେ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ଗଣକବି ବୈଷ୍ଣବ ପାଣି ଙ୍କ  ସାହିତ୍ୟ ଓଡ଼ିଆ ଜାତିର ମହାର୍ଘ୍ୟ ସମ୍ପତ୍ତି ବୋଲି କରିଥିଲେ । ସମାଜସେବୀ ଅରୁଣ ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଜୟନ୍ତୀ ସମାରୋହରେ, ବିଧାୟକ ଶାରଦା ପ୍ରସାଦ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ, ବୈଷ୍ଣବ ପାଣିଙ୍କ ଭଳି ଜଣେ ନିର୍ଭିକ ଏବଂ ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତିଙ୍କୁ ଇତିହାସ ସବୁବେଳେ ମନେରଖିବ ବୋଲି କହିଥିଲେ ।

 ଏହି ଉତ୍ସବରେ ପାଣି ସାହିତ୍ୟର ଗବେଷକ ତଥା ଅଧ୍ୟାପକ ଡକ୍ଟର ଅଜିତ କୁମାର ମହାପାତ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ । ପ୍ରତିକୂଳ ପରିସ୍ଥିତି ସତ୍ୱେ ଗଣକବିଙ୍କୁ ଜଣେ ପ୍ରଚଣ୍ଡ ପ୍ରତିଭାର ଅଧିକାରୀ ଭାବେ ଶ୍ରୀ ମହାପାତ୍ର ଚିତ୍ରଣ କରିଥିଲେ । ଉତ୍ସବରେ ସମ୍ମାନିତ ଅତିଥି ଭାବେ ଆକାଶବାଣୀର ଗୀତିକାର ବିଶ୍ୱେଶ୍ୱର ମହାନ୍ତି  ଯୋଗଦେଇଥିଲେ । ଗଣକବିଙ୍କ ମୂଲ୍ୟବୋଧ ଭିତ୍ତିକ ବହୁ ନାଟକ ବିଶ୍ୱନାଟ୍ୟ ଧାରାକୁ ପ୍ରଭାବିତ କରିପାରିଛି ବୋଲି ଶ୍ରୀ ମହାନ୍ତି କହିଥିଲେ ।  ଅନ୍ୟତମ ଅତିଥି ଭାବେ ମାହାଙ୍ଗା ବ୍ଲକ ଶିକ୍ଷାଧିକାରିଣୀ ମୋନାଲିସା ସରକାର, ନିଶ୍ଚିନ୍ତକୋଇଲି ପଞ୍ଚାୟତ ସମିତି ଉପାଧ୍ୟକ୍ଷ ନୃସିଂହ ଚରଣ ମିଶ୍ର ଯୋଗଦେଇ ଗଣକବିଙ୍କ ପ୍ରତି ଶ୍ରଦ୍ଧା ନିବେଦନ  କରିଥିଲେ ।

  ବିକାଶ ପରିଷଦର ସଂଯୋଜକ ପନଗ ଭୂଷଣ ଦାସ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ । ସୁଶାନ୍ତ କୁମାର ବରାଳ ଧନ୍ୟବାଦ ପ୍ରଦାନ କରିଥିଲେ ।  ସେହିପରି ବିକାଶ ପରିଷଦର ମୁଖ୍ୟ ସଂଯୋଜକ ଡକ୍ଟର ଅଶୋକ କୁମାର ରାଉତ, ସଂଯୋଜକ ଅକ୍ଷୟ କୁମାର ଷଢଙ୍ଗୀ, ସାଂସ୍କୃତିକ ସମ୍ପାଦକ ତାରାକାନ୍ତ ମହାପାତ୍ର,ସ୍ଥାନୀୟ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ, ମାହାଙ୍ଗା ବିକାଶ ପରିଷଦର କର୍ମକର୍ତ୍ତା ଏବଂ କୁଣ୍ଡି ଜୟନ୍ତୀ ଅଭ୍ୟର୍ଥନା କମିଟିର ସଦସ୍ୟ ମାନେ ଏହି ସାରସ୍ୱତ ଉତ୍ସବକୁ ପରିଚାଳନା କରିବା ଦେଖିବାକୁ ମିଳିଥିଲା । ଗଣକବିଙ୍କ ରଚିତ ଗୀତିନାଟ୍ୟ “ଶନି ଲକ୍ଷ୍ମୀ କଳି”, ମୋଗଲପାଟଣାର ଇଚ୍ଛାବଟ ଡ୍ରାମାଟିକ କ୍ଲବ ମଞ୍ଚସ୍ଥ କରିଥିଲା ବେଳେ, ମଉଦା ଶ୍ରୀରାମ ଯୁବ ପରିଷଦ ପକ୍ଷରୁ”କର୍ଣ୍ଣ ଦାନ ପରୀକ୍ଷା” ଏବଂ ଭାଗବତ ଗୋସାଇଁ ସାଂସ୍କୃତିକ ସଂସଦ, କଲୁରିଆ ଦ୍ୱାରା ଗୀତିନାଟ୍ୟ “ଭୀଷଣ ଚକ୍ରାନ୍ତ” ପରିବେଷଣ କରାଯାଇଥିଲା । ହଜାର ହଜାର ଦର୍ଶକ ଏହି ନାଟକ ଗୁଡିକୁ ଉପଭୋଗ କରିଥିଲେ ।

Leave a Reply

Your email address will not be published. Required fields are marked *