ପିସିସି ସଭାପତିଙ୍କ ଏସପିଙ୍କ ସହ ଆଲୋଚନା
କେନ୍ଦ୍ରାପଡ଼ା, ୧୩/୦୬/୨୦୨୬ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଜିଲାର ମହାକାଳପଡ଼ା ବ୍ଲକ ଅଧିନ ତିଖିରୀ ଗ୍ରାମ ପଂଚାୟତର ସରପଂଚ ଚାମେଲି ଓଝାଙ୍କୁ ଜିଲା ମୁଖ୍ୟଚିକିତ୍ସାଳୟରୁ କୋର୍ଟ ଚାଲାଣ ଓ କୋର୍ଟରୁ ଜେଲକୁ ପଠାଇଛି ପୋଲିସ । ହେଲେ ଜେଲ କର୍ତୃପକ୍ଷ ତାଙ୍କୁ ରଖିବା ପାଇଁ ମନା କରିବା ଫଳରେ ପୁନର୍ବାର ତାଙ୍କୁ ଜିଲା ମୁଖ୍ୟଚିକିତ୍ସାଳୟକୁ ଫେରାଇ ଅଣାଯାଇଛି । ଏହି ଘଟଣାକୁ ନେଇ ଶନିବାର ବିଜେପି ନେତା ସୌଭାଗ୍ୟ ପରିଡ଼ାଙ୍କ ନେତୃତ୍ୱରେ ମହାକାଳପଡ଼ା ଥାନା ଘେରାଉ କରାଯାଇଛି । ବିନା ଅପରାଧରେ ଚାମେଲିଙ୍କୁ ଗିରଫ କରାଯାଇଥିବାରୁ ଶ୍ରୀ ପରିଡ଼ା ଏହାକୁ ବିରୋଧ କରିଥିଲେ । ସେ କହିଥିଲେ ଚାମେଲି ଜନତାଙ୍କ ସ୍ୱାର୍ଥ ପାଇଁ ବିଡିଓଙ୍କ ସହ ଯୁକ୍ତି କରିଥିଲେ ।
ବିଡିଓ ହେଉଛନ୍ତି ସରକାରୀ କର୍ମଚାରୀ । ଲୋକଙ୍କ ଚାକର । ଜଣେ ଜନ ପ୍ରତିନିଧି ଭାବେ ସରପଂଚ ତାଙ୍କୁ କୈଫୟତ ମାଗିବାର ସମ୍ପୂର୍ଣ୍ଣ ଅଧିକାର ରହିଛି । ହେଲେ ପୋଲିସ ଓ ମହାକଳପଡ଼ା ବିଧାୟକଙ୍କ ଗୁଣ୍ଡାମାନେ ତାଙ୍କୁ ମାଡ ମାରି ଗୁରୁତର କରିଛନ୍ତି । ପୋଲିସ ତାଙ୍କ ବିରୁଦ୍ଧରେ ମିଛ ମାମଲା ରୁଜୁ କରିଛି । ତେଣୁ ତାଙ୍କୁ ନ୍ୟାୟ ପ୍ରଦାନ କରାଯିବା ପାଇଁ ଥାନା ଘେରାଉ କରାଯାଇଛି ବୋଲି ଶ୍ରୀ ପରିଡ଼ା କହିଥିଲେ । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା ପାଇଁ ପିସିସି ସଭାପତି ଭକ୍ତ ଚରଣ ଦାସ କେନ୍ଦ୍ରାପଡ଼ା ଜିଲା ମୁଖ୍ୟଚିକିତ୍ସାଳୟରେ ପହଂଚିଥିଲେ । ତାଙ୍କୁ ଉତମ ଚିକିତ୍ସା ଯୋଗାଇ ଦେବା ପାଇଁ ଡାକ୍ତରଖାନା କର୍ତୃପକ୍ଷଙ୍କୁ କହିଥିଲେ । ଏହାପରେ ଶ୍ରୀ ଦାସ ଏସପି ସିଦ୍ଧାର୍ଥ କଟ୍ଟାରିଆଙ୍କ ସହ ଆଲୋଚନା କରିଥିଲେ । ବିନା ଅପରାଧରେ ଜଣେ ଜନ ପ୍ରତିନିଧିଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବା ସମ୍ବିଧାନ ବିରୋଧୀ କାର୍ଯ୍ୟ । ତେଣୁ ତାଙ୍କ ବିରୁଦ୍ଧରେ ହୋଇଥିବା ମିଛ ମାମଲାର ଉପଯୁକ୍ତ ତଦନ୍ତ କରାଯାଉ ।
ଚାମେଲିଙ୍କୁ ମହାକାଳପଡ଼ା ବିଧାୟକ ଡ. ଦୁର୍ଗା ପ୍ରସନ୍ନ ନାୟକଙ୍କ ଯେଉଁ ଗୁଣ୍ଡାମାନେ ମାଡ ମାରିଥିଲେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ତାଙ୍କ ବିରୁଦ୍ଧରେ ଯେଉଁ ମିଛ ମାମଲା ରୁଜୁ ହୋଇଛି ତାକୁ ବନ୍ଦ କରାଯାଉ । ଏହାସହ ପୋଲିସ ଛଡାଇ ନେଇଥିବା ତାଙ୍କ ମୋବାଇଲ ଫୋନ ତୁରନ୍ତ ତାଙ୍କୁ ଫେରାନ୍ତୁ ବୋଲି ଶ୍ରୀ ଦାସ ଏସପିଙ୍କୁ କହିଥିଲେ । ଏସପିଙ୍କୁ ଭେଟିବା ପରେ ଶ୍ରୀ ଦାସ ଜିଲାପାଳ ରଘୁରାମ ଆର. ଆୟରଙ୍କୁ ଭେଟିଥିଲେ । ଜିଲାରେ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ କହିବା ସହ ବିଡିଓ କାହିଁକି ତିଖିରୀ ପଂଚାୟତର ଉନ୍ନୟନ ମୂଳକ କାର୍ଯ୍ୟର ବିଲ ଅଟକାଇଥିଲେ ସେ ନେଇ ଆଲୋଚନା କରିଥିଲେ ।
ପଂଚାୟତର ଉନ୍ନତି ହେଲେ ରାଜ୍ୟର ଉନ୍ନତି ହେବ । ତେଣୁ ଉନ୍ନୟନମୂଳକ କାର୍ଯ୍ୟରେ ରାଜନୈତିକ ହସ୍ତକ୍ଷେପ କରାଯାଇ ବିଲ ବନ୍ଦ କରାଯିବା ଅଗଣତାନ୍ତ୍ରିକ କାର୍ଯ୍ୟ । ବିଡିଓ ତାଙ୍କର ଯେଉଁ ବିଲ ଅଟକାଇଛନ୍ତି ତୁରନ୍ତ ରିଲିଜ କରାଯାଉ । ଏହା ସହ କେଉଁ କାରଣ ପାଇଁ ବିଲ ଅଟକାଇଥିଲେ ତାହାର କାରଣ ମଗାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଜିଲାପାଳଙ୍କୁ କହିଥିଲେ । ଏହି ଘଟଣା ଯୋଗୁଁ ଚାମେଲିଙ୍କ ଯେଉଁ ମାନହାନୀ ହେଲା ସେ ନେଇ ତାଙ୍କୁ ରାଜ୍ୟ ସରକାର କ୍ଷତିପୂରଣ ପ୍ରଦାନ କରନ୍ତୁ । ଜେଲରେ ତାଙ୍କୁ ମାରିଦେବାର ଷଡ଼ଯନ୍ତ୍ର କରାଯାଇପାରେ ।
ତେଣୁ ତାଙ୍କୁ କଟକ ବଡ଼ ଡାକ୍ତରଖାନା କି ଏଏମଏସ ନିଆଯାଇ ଉନ୍ନତ ଚିକିତ୍ସା ପ୍ରଦାନ କରାଯାଉ । ପୂର୍ବରୁ ଏହଭିଳି ଘଟଣା ରାଜ୍ୟରେ ଅନେକ ଘଟିଛି । ତେଣୁ ତାଙ୍କୁ ଆକ୍ରମଣ କରିଥିବା ଅପରାଧୀମାନଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ଶ୍ରୀ ଦାସ ଦାବି କରିଥିଲେ । ଶ୍ରୀ ଦାସଙ୍କ ସହ କେନ୍ଦ୍ରାପଡ଼ା ଜିଲା କଂଗ୍ରେସ ସଭାପତି ଡାକ୍ତର ଦେବସ୍ମିତା ଶର୍ମା ଉପସ୍ଥିତ ଥିଲେ । ଏହି ଘଟଣାକୁ ନେଇ ଭାରତୀୟ କମୁ୍ୟନିଷ୍ଟ ପାର୍ଟି(ସିପିଆଇ) ପକ୍ଷରୁ ବିଚାର ବିଭାଗୀୟ ତଦନ୍ତ ଦାବି କରାଯାଇଛି । ଦଳର ଜିଲା ସଂପାଦକ ବିକାଶ ବେଉରାଙ୍କ ନେତୃତ୍ୱରେ ରାଜ୍ୟ କମିଟି ସଭ୍ୟ ଆଇନ୍ଜୀବୀ ରମଣୀ ରଞ୍ଜନ ରାଉତରାୟ, ଆଦିକନ୍ଦ ରାଉଳ ପ୍ରମୁଖ ଜିଲାପାଳଙ୍କୁ ଭେଟି ପ୍ରଶାସନ ଉପରେ ଦଳୀୟ ନେତାଙ୍କ ହସ୍ତକ୍ଷେପକୁ ବିରୋଧ କରିଛନ୍ତି । ଏହି ଘଟଣାକୁ ନେଇ ଆଇନ୍ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହେବାରେ ଲାଗିଛି ବୋଲି ଜିଲାପାଳଙ୍କୁ ଅବଗତ କରିଥିଲେ ।
