ବିରୂପା ନଦୀ ରେ ବିସର୍ଜିତ ହେଲେ ଥାନପତି ବଡ଼ ଗଣେଶ ଙ୍କ ମୂର୍ତ୍ତି

ମାହାଙ୍ଗା, ୦୩/୦୯/୨୦୨୫ ( ଓଡିଶା ସମାଚାର/ ଅଭୟ ଜେନା)   କଟକ ଜିଲ୍ଲା ମାହାଙ୍ଗା ବ୍ଲକର କଲ୍ୟାଣପୁର ଠାରେ ବଡ଼ ଗଣେଶ ମହୋତ୍ସବକୁ ନେଇ ସାରା ଗାଁ’ ଉତ୍ସବ ମୁଖର । ସପ୍ତାହ ବ୍ୟାପୀ ଆୟୋଜିତ ଶ୍ରୀ ଶ୍ରୀ ଥାନପତି ବଡ ଗଣେଶଙ୍କ ଉତ୍ସବରେ ହଜାର ହଜାର ଶ୍ରଦ୍ଧାଳୁ ସାମିଲ ହୁଅନ୍ତି । କୁହୁଣ୍ଡା ପଞ୍ଚାୟତ “ଯୁଗଜ୍ୟୋତି ସାଂସ୍କୃତିକ ପରିଷଦ” କଲ୍ୟାଣପୁର ପକ୍ଷରୁ ଦୀର୍ଘ ୪୮ ବର୍ଷ ଧରି ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀ ଗଣେଶଙ୍କ ଉତ୍ସବ ନିଆରା ଢଙ୍ଗରେ ପାଳନ  କରାଯିବା ଦେଖିବାକୁ ମିଳିଥାଏ ।  ବଙ୍ଗୀୟ କାରିଗର ମାନେ ଦୀର୍ଘ ୧ ମାସ ପୂର୍ବରୁ କଲ୍ୟାଣପୁର ଗାଁ’ରେ ପହଂଚିବା ପରେ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ।

ଚଳିତ ବର୍ଷ ୨୫ ଫୁଟ ଉଚ୍ଚତା ବିଶିଷ୍ଟ ଏହି ମୂର୍ତ୍ତି ପୌରାଣିକ କଥାବସ୍ତୁ ଉପରେ ନିର୍ମାଣ ହେବା ଦେଖିବାକୁ ମିଳିଛି । କୁହୁଣ୍ଡା ପଞ୍ଚାୟତ ମଧ୍ୟରେ ବସବାସ କରୁଥିବା ସବୁ ବର୍ଗର, ସବୁ ଜାତିର ଲୋକଙ୍କୁ ଏକତାର ସୂତ୍ରରେ ବାନ୍ଧିବା ହେଉଛି ଏହି ବଡ଼ ଗଣେଶ ମହୋତ୍ସବର ବିଶେଷତ୍ୱ । ମଙ୍ଗଳବାର ଦିନ ବଡ଼ ଗଣେଶଙ୍କ ବିସର୍ଜ୍ଜନ ଉତ୍ସବ ଦେଖିବା ପାଇଁ କଲ୍ୟାଣପୁର ଗାଁ’ରୁ କୋଠପଦା ପର୍ଯ୍ୟନ୍ତ ହଜାର ହଜାର ଶ୍ରଦ୍ଧାଳୁ ସାମିଲ ହୋଇଥିଲେ ।

ବାଜା ବାଣ ରୋଷଣୀରେ ଦୁଲୁକୁ ଥିଲା ଗାଁ’ ଦାଣ୍ଡ । ରାଗ ରୋଷ ମାନ ଅଭିମାନ ଭୁଲି, ଆବାଳ ବୃଦ୍ଧ ବନିତା ଏହି ଭଷାଣି ଶୋଭାଯାତ୍ରାରେ ସାମିଲ ହୋଇଥିଲେ । କୋଠପଦାରେ ପ୍ରସାଦ ସେବନ ପାଇଁ ହଜାର ହଜାର ଶ୍ରଦ୍ଧାଳୁ ଉପସ୍ଥିତ  ଥିଲେ । ଚର୍ଚ୍ଚା ହେଉଥିଲା ସତେ ଯେମିତି କଲ୍ୟାଣପୁର ଗାଁ’ ଭାଇଚାରା ଓ ସଦଭାବନା ବାଣ୍ଟିବା ପାଇଁ ଏଭଳି ଭବ୍ୟ ଉତ୍ସବର ଆୟୋଜନ କରୁଛି ।

ଗାଁ’ର ମୁରବୀ ରବୀନ୍ଦ୍ର ନାଥ ଦାସ, ଅଖିଳେଶ ମହାନ୍ତି, ହେମନ୍ତ ପ୍ରଧାନ, ନିମାଇଁ ଚରଣ ବେହେରା,ବିଭୂତି ଭୂଷଣ ଦାସ, ଦିଲ୍ଲୀପ ବାରିକ, ସୁଶାନ୍ତ ଦାସ, ସୁମନ୍ତ ପଲେଇ,ଶିବ ପ୍ରସାଦ ବେହେରା,ପ୍ରଦୀପ ପଲେଇ, ହିମାଂଶୁ ବେହେରା,ରାକେଶ ବେହେରା,ପ୍ରଣବ ବେହେରା,ଗଦାଧର ସାହୁ, ଅଚ୍ୟୁତାନନ୍ଦ ପଣ୍ଡା, ରମେଶ ମହାନ୍ତି, ମାନସ ବେହେରା ପ୍ରମୁଖ ଅନୁଷ୍ଠାନର ଅଗ୍ରଣୀ ଯୁବକ ମାନେ ଭଷାଣି ଉତ୍ସବ ପରିଚାଳନା  କରିଥିଲେ । ଶେଷରେ ବିରୂପା ନଦୀର କଲ୍ୟାଣପୁର ଘାଟରେ ବଡ଼ ଗଣେଶ ଏବଂ ସାନ ଗଣେଶ ଉଭୟ ବିଗ୍ରହକୁ ବିସର୍ଜନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *