ବଡ଼ବିଲରେ ଚାଞ୍ଚଲ୍ୟ : ଜଙ୍ଗଲର ଖାଲରୁ  ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ ।

ବଡ଼ବିଲ, ୧୦/୦୬/୨୦୨୬ (ଓଡ଼ିଶା ସମାଚାର) -କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ଭଦ୍ରାସାହି ପଞ୍ଚାୟତର ଫୁଲୱାଡ଼ି ମୁଣ୍ଡାସାହି ଖେଳ ପଡ଼ିଆ ନିକଟସ୍ଥ ଜଙ୍ଗଲର ଏକ ଖାଲରୁ ଜଣେ ଅଜଣା ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଛି । ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।

ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ ବଡ଼ବିଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ରକ୍ତାକ୍ତ ମୃତଦେହଟି ଜଙ୍ଗଲ ମଧ୍ୟରେ ଥିବା ଏକ ଖାଲରେ ପଡ଼ିଥିବା ବେଳେ ଯୁବକଙ୍କ ଶରୀରରେ ଏକାଧିକ ଆଘାତ ଚିହ୍ନ ଥିବା ଜଣାପଡ଼ିଛି। ପ୍ରାଥମିକ ତଦନ୍ତରୁ ଖେଳ ପଡ଼ିଆ ନିକଟରେ ହତ୍ୟା କରାଯାଇ ପରେ ମୃତଦେହକୁ ପ୍ରାୟ ୩୦ ମିଟର ପର୍ଯ୍ୟନ୍ତ ଘୋଷାରି ନେଇ ଖାଲରେ ଫିଙ୍ଗି ଦିଆଯାଇଥିବା ପୋଲିସ ସନ୍ଦେହ କରୁଛି।

ମୃତ ଯୁବକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିନଥିବା ବେଳେ ପଥରରେ ଛେଚି ହତ୍ୟା କରାଯାଇଥିବା ଆଶଙ୍କା କରାଯାଉଛି। ଘଟଣାସ୍ଥଳରୁ ଏକ ବିୟର କେନ୍ ଓ ଟଙ୍କା ପଡ଼ିଥିବା ସୂଚନା ମିଳିଛି, ଯାହାକୁ ପୋଲିସ ଜବତ କରି ତଦନ୍ତ ଚଳାଇଛି।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣା ସ୍ଥଳକୁ କର୍ଡନ୍ କରି ରଖିଥିବା ବେଳେ, ପ୍ରମାଣ ସଂଗ୍ରହ ପାଇଁ  ସ୍ନିଫର୍ ଡଗ୍ ଅଣାଯାଇଥିଲା । ଚମ୍ପୁଆ ଏସଡିପିଓ ଓ ବଡ଼ବିଲ ଆଇଆଇସି ପହଞ୍ଚି  ଯୁବକଙ୍କ ପରିଚୟ ଓ ହତ୍ୟାକାଣ୍ଡର କାରଣ ଖୋଜିବାରେ ତଦନ୍ତ ଜାରି ରଖିଛନ୍ତି । ଯୁବକର ପରିଚୟ ମିଳିବା ପରେ ଘଟଣାର ପ୍ରକୃତ ସତ୍ୟ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *