ସମ୍ବଲପୁର,୨୦/୦୮/୨୦୨୫(ଓଡ଼ିଶା ସମାଚାର)- ସମ୍ବଲପୁର ସହର ସନ୍ନିକଟ ଖଣ୍ଡୁଆଳ ଅଞ୍ଚଳରେ ପୋଲିସ୍ ଏନକାଉଣ୍ଟର କରିଛି । ପୋଲିସ୍ ଏନକାଉଣ୍ଟର ରେ ହତ୍ୟା ଅଭିଯୁକ୍ତ ମହମ୍ମଦ ସମାଦ୍ ଆହତ ହୋଇଛି । ତା ବାମ ଗୋଡ଼ରେ ପୋଲିସ୍ ର ଗୁଳି ବାଜିଛି । ଆହତ ସମାଦ୍ କୁ ଚିକିତ୍ସା ପାଇଁ ଭିମସାର ରେ ଭର୍ତି କରାଯାଇଛି ।

ପୋଲିସ ଏକ ହତ୍ୟା ଘଟଣାର ଅଭିଯୁକ୍ତକୁ ସହର ସନ୍ନିକଟ ଖଣ୍ଡୁଆଳରେ ଦେଖି ଧରିବାକୁ ଉଦ୍ୟମ କରିଥିଲା । ମାତ୍ର ଘଟଣାସ୍ଥଳରେ ଅଭିଯୁକ୍ତ ମହମ୍ମଦ ସମାଦ୍ ପୋଲିସ ଗିରଫଦାରିକୁ ଏଡାଇବାକୁ ଯାଇ ପୋଲିସ ଉପରକୁ ୨ ରାଉଣ୍ଡ ଗୁଳି ଚଳାଇଥିଲା । ପୋଲିସର ପାଲଟା ଜବାବରେ ସମାଦ୍ ର ବାମ ଗୋଡ଼ରେ ଗୁଳି ବାଜି ଥିଲା । ସେ ଆହତ ହୋଇ ଆଉ ଖସି ପାରିନଥିଲା । ପୋଲିସ ତା’ ନିକଟରୁ ଏକ ୭.୬ ଏମଏମ ପିସ୍ତଲ, ଦୁଇଟି ଜୀବନ୍ତ ଗୁଳି ଗୋଟିଏ କଳା ରଙ୍ଗର ଟିଭିଏସ ଆପାଚି ବାଇକ୍ ଜବତ କରିଛି । ଆହତ ସମାଦ୍କୁ ତୁରନ୍ତ ଚିକିତ୍ସା ପାଇଁ ଭୀମସାର୍ ରେ ଭର୍ତି କରିଛି ।
ସୂଚନାଯୋଗ୍ୟ, ଗତକାଲି ବିଳମ୍ବିତ ରାତିରେ ସମ୍ବଲପୁର ମୋତିଝରଣ ଅଂଚଳର ମହମ୍ମଦ ସମାଦ୍ ଓ ତା’ର ଭାଇ ମହମ୍ମଦ ୱାସିମ୍ ବ୍ରୁଟଲି ଅଂଚଳର ଆସଫ ଖାନକୁ ଛୁରୀ ଭୁସି ହତ୍ୟା କରି ଫେରାର୍ ହୋଇଯାଇଥିଲେ । ଏ ସମ୍ପର୍କରେ ଧନୁପାଲି ଥାନାରେ ଏକ ହତ୍ୟା ମାମଲା ରୁଜ୍ଜୁ ହେବା ସହ ଅଭିଯୁକ୍ତକୁ ଗିରଫ କରିବା ପାଇଁ ଏକ ସ୍ୱତନ୍ତ୍ର ସ୍କ୍ୱାଡ୍ ନିୟୋଜିତ ହୋଇଥିଲା । ଏଥିସହିତ ସମ୍ବଲପୁର ବିଭିନ୍ନ ଥାନାରେ ତା’ ନାମରେ ଏକାଧିକ ମାମଲା ରହିଛି ।

ଏହି ସ୍କ୍ୱାଡ୍ ମୁଖ୍ୟ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି । ଏନକାଉଣ୍ଟର୍ ସ୍ଥଳରୁ ଆଉ ଜଣେ ଅଭିଯୁକ୍ତ ମହମ୍ମଦ ୱାସିମ୍ ଫେରାର୍ ହୋଇଯାଇଛି । ଉଭୟ ଅଭିଯୁକ୍ତ ପୁଲିସ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲେ ।
