ବେଆଇନ ମଦ କାରବାର ବିରୁଦ୍ଧରେ  ମହିଳାମାନଙ୍କ ଫାଣ୍ଡି ଘେରାଉ

ମାହାଙ୍ଗା, ୨୨/୧୦/୨୦୨୫  (ଓଡିଶା ସମାଚାର/ ଅଭୟ ଜେନା )ଗାଁ’ରେ ଚୋରା ମଦ ବିକ୍ରି ଘଟଣାକୁ ଘୋର ବିରୋଧ କରୁଛନ୍ତି ସ୍ଥାନୀୟ ମହିଳା  । ଅଳ୍ପଦିନ ତଳେ ଚୋରା ମଦ ବେପାରୀକୁ ଧରି ପୋଲିସ ଜିମା ଦେଇଥିଲେ ମାହାଙ୍ଗା କୁମୁଡା ଜୟପୁର ଫାଣ୍ଡି ଅନ୍ତର୍ଗତ ଅରିଲୋ ଗାଁ’ର ଆଦିବାସୀ ମହିଳାମାନେ  ।

ସେହି ଗାଁ’ରେ ରହି ଖୁଲମ ଖୁଲା ମଦ ବିକ୍ରି କରୁଥିବା ବ୍ୟକ୍ତି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ।  ତେବେ ଗିରଫ ହୋଇଥିବା ଚୋରା ମଦ ବେପାରୀ ଘରକୁ ଫେରିବା ପରେ ଗ୍ରାମର ମଦ ବିରୋଧି ମହିଳା ଓ ପୁରୁଷଙ୍କ ବିରୁଦ୍ଧରେ କୁମୁଡା ଜୟପୁର ଫାଣ୍ଡିରେ ପାଲଟା ଅଭିଯୋଗ କରିଥିଲା ।

ପୋଲିସ ଏହି ଅଭିଯୋଗ ଆଧାରରେ କିଛି ଲୋକଙ୍କୁ ଫାଣ୍ଡିକୁ ଡାକି ପଚାର ଉଚୁରା କରୁଥିବା ସମୟରେ ମହିଳା ମାନେ ଉତ୍ତ୍ୟକ୍ତ ହୋଇ ପୋଲିସ କୁ ବିରୋଧ କରିଥିଲେ ।  ଏପରିକି ଶହଶହ ମହିଳା ଫାଣ୍ଡି ଉପରକୁ ଢେଲା ପଥର ଫିଙ୍ଗିବାରୁ, ପରିସ୍ଥିତି ଜଟିଳ ହୋଇପଡ଼ିଥିଲା । ଏ ସମ୍ପର୍କରେ ସୂଚନା ପାଇବା ପରେ ସାଲେପୁର ଏସଡିପିଓ ବିରଞ୍ଚି ନାରାୟଣ ପତି ଘଟଣା ସ୍ଥଳୀରେ ପହଂଚି ଉତ୍ୟକ୍ତ ଲୋକମାନଙ୍କ ସହିତ ଆଲୋଚନା କରିଥିଲେ ।

 ମାହାଙ୍ଗା ଆଇଆଇସି ତପନ ରାଉତ, ନିଶ୍ଚିନ୍ତକୋଇଲି ଆଇଆଇସି ଯୁଗଳ ଦାସ, ସାଲେପୁର ଆଇଆଇସି ଅନିତା ସାହୁ ପ୍ରମୁଖ କୁମୁଡା ଜୟୀପୁର ଫାଣ୍ଡିରେ ପହଂଚି ଥିଲେ ।

   ତେବେ ଚୋରା ମଦ ବେପାର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ହେବ ବୋଲି ଏସଡିପିଓ ବିରଞ୍ଚି ନାରାୟଣ ପତି ବିକ୍ଷୋଭ କାରୀଙ୍କୁ ପ୍ରତିଶୃତି ଦେଇଥିଲେ । ଆଇନକୁ ହାତକୁ ନନେଇ,ପୋଲିସ ପ୍ରଶାସନକୁ ସହଯୋଗ କଲେ ଗାଁ’ ଗାଁ’ରେ ଅବାଧରେ ଚାଲିଥିବା ଚୋରାମଦ କାରବାର ସମ୍ପୂର୍ଣ୍ଣ ବନ୍ଦ ହୋଇପାରିବ ବୋଲି ପୋଲିସ ପ୍ରତିକ୍ରିୟା ରଖିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା ।

Leave a Reply

Your email address will not be published. Required fields are marked *