ବିଭିନ୍ନ ପ୍ରମୁଖ ଯୋଜନାର ସମନ୍ୱୟରେ ସୁଦୃଢ଼ ହେବ ସ୍କୁଲ ଶିକ୍ଷା ବ୍ୟବସ୍ଥା- ଧର୍ମେନ୍ଦ୍ର ପ୍ରଧାନ
- ‘ସମଗ୍ର ଶିକ୍ଷା ଅଭିଯାନ’ ଅଧୀନରେ ପାଣ୍ଠି ପ୍ରଦାନ ଏବଂ ଏହାର ଖର୍ଚ୍ଚ ଉପରେ କଲେ ସମୀକ୍ଷା
- ‘ସମଗ୍ର ଶିକ୍ଷା ୩.୦’ କୁ ଅଧିକ ଦକ୍ଷ, ସ୍ୱଚ୍ଛ ଏବଂ ଫଳାଫଳ-ଭିତ୍ତିକ କରିବା ଉପରେ ଗୁରୁତ୍ୱାରୋପ
ନୂଆଦିଲ୍ଲୀ/ ଭୁବନେଶ୍ୱର,୨୯/୦୫/୨୦୨୬ (ଓଡ଼ିଶା ସମାଚାର /ଦୀପ୍ତିରଂଜନ କାନୁନଗୋ)-କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ନୂଆଦିଲ୍ଲୀ ଠାରେ ‘ସମଗ୍ର ଶିକ୍ଷା ଅଭିଯାନ’ ଅଧୀନରେ ପାଣ୍ଠି ପ୍ରଦାନ ଏବଂ ଏହାର ବିନିଯୋଗ ନେଇ ଏକ ବିସ୍ତୃତ ସମୀକ୍ଷା ବୈଠକ କରିଛନ୍ତି । ଶିକ୍ଷା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ବୈଠକରେ ‘ସମଗ୍ର ଶିକ୍ଷା ୩.୦’ କୁ ଆଗାମୀ ଦିନରେ ଅଧିକ ଦକ୍ଷ, ସ୍ୱଚ୍ଛ ଏବଂ ଫଳାଫଳ-ଭିତ୍ତିକ କରିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି ।
ଚଳିତ ବର୍ଷ ଠାରୁ ଦେଶର ସ୍କୁଲ ଶିକ୍ଷା ବ୍ୟବସ୍ଥାରେ ଅଧିକ ସମନ୍ୱୟ ତଥା ବ୍ୟାପକ ପ୍ରଭାବ ପକାଇବା ପାଇଁ ଏକ ଏକୀକୃତ ଆଭିମୁଖ୍ୟ ଗ୍ରହଣ କରାଯିବ ବୋଲି କେନ୍ଦ୍ର ମନ୍ତ୍ରୀ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଏହି ଯୋଜନା ଅନୁଯାୟୀ ସମଗ୍ର ଶିକ୍ଷା ଅଭିଯାନ, ପିଏମ୍-ପୋଷଣ, ଉଲ୍ଲାସ, ପିଏମ୍-ଶ୍ରୀ ଏବଂ ଅନ୍ୟାନ୍ୟ ସମସ୍ତ ପ୍ରମୁଖ ଫ୍ଲାଗସିପ୍ ଯୋଜନାଗୁଡ଼ିକର ମିଶ୍ରଣ ବା ସମନ୍ୱୟ କରାଯିବ, ଯାହା ସମଗ୍ର ଶିକ୍ଷା ବ୍ୟବସ୍ଥା ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରିବାରେ ସହାୟକ ହେବ ।
ଏହା ବ୍ୟତୀତ, ବୈଠକରେ ସହଯୋଗୀ ସଂଘୀୟ ବ୍ୟବସ୍ଥାର ବିଚାରକୁ ବଜାୟ ରଖି କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଆଗାମୀ ଦିନର ସମ୍ପର୍କ ଏବଂ ସହଯେଗକୁ ଆହୁରି ମଜବୁତ କରିବା ଉପରେ ମଧ୍ୟ ବିସ୍ତୃତ ଭାବେ ଚର୍ଚ୍ଚା କରାଯାଇଛି । ଜାତୀୟ ଶିକ୍ଷା ନୀତିର ପ୍ରଭାବଶାଳୀ କାର୍ଯ୍ୟକାରିତା ଉପରେ ଅଧିକ ଦୃଷ୍ଟି ଦିଆଯିବ । ଏଥିରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଇନୋଭେସନ, ସଠିକ୍ ପୋଷଣ, ଦକ୍ଷତା ବିକାଶ, କ୍ରୀଡ଼ା ଏବଂ କଳାର ବିକାଶ ଉପରେ ବିଶେଷ ପ୍ରାଧାନ୍ୟ ଦିଆଯିବ । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରଧାନ ଆଶା ପ୍ରକଟ କରିଛନ୍ତି ଯେ, ଏହି ସମସ୍ତ ସାମଗ୍ରିକ ପ୍ରୟାସ ଦେଶର ଶିକ୍ଷାର୍ଥୀମାନଙ୍କୁ ଆଗାମୀ ଦିନରେ ଅଧିକ ସଶକ୍ତ ଓ ସମର୍ଥ କରି ଗଢ଼ିତୋଳିବ । ଏହାସହ ବିକଶିତ ଭାରତ ୨୦୪୭ର ସ୍ୱପ୍ନକୁ ସାକାର କରିବା ପାଇଁ ଦେଶକୁ ଆବଶ୍ୟକ ହେଉଥିବା ଦକ୍ଷ ମାନବ ସମ୍ବଳ ବା ମାନବ ପୁଞ୍ଜି ଗଠନରେ ଏହି ପଦକ୍ଷେପ ଏକ ପ୍ରମୁଖ ଏବଂ ପରିବର୍ତ୍ତନକାରୀ ଭୂମିକା ଗ୍ରହଣ କରିବ ।
