କେନ୍ଦ୍ରାପଡ଼ା,୨୯/୦୫/୨୦୨୬ (ଓଡ଼ିଶା ସମାଚାର)- ସଦରଥାନା ଅଂଚଳର ବିଭିନ୍ନ ସ୍ଥାନରେ ଲୋକଙ୍କୁ ଆକ୍ରମଣ କରି ଲୁଟୁଥିବା ଏକ ଗ୍ୟାଙ୍ଗକୁ ସଦରଥାନା ପୋଲିସ ଠାବ କରିଛି । ଏହି ଗ୍ୟାଙ୍ଗରେ ସଂପୃକ୍ତ ଥିବା ୪ଜଣଙ୍କୁ ପୋଲିସ ଗିରଫ କରିଛି । ସେମାନେ ହେଲେ ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ଡେରାବିଶ ଥାନା ଅନ୍ତର୍ଗତ ଭୂଇଁପୁର ଗ୍ରାମର ଅଭିରାମ ମଳିକଙ୍କ ପୁଅ ମକରା ମଳିକ(୩୦), ମକରା ର ଭାଉଜ ସେହି ଗ୍ରାମର ତରୁଣ କୁମାର ନାୟକଙ୍କ ପତ୍ନୀ ସୌଦାମିନୀ ନାୟକ(୨୫), ଗ୍ୟାଙ୍ଗ ସଦସ୍ୟ ସଦର ଥାନା ଅଧିନ ମନ୍ତ୍ରୀପଡା ଗ୍ରାମର ରବିନ୍ଦ୍ର ସିଂ ଙ୍କ ପୁଅ ଘଟିଆ ସିଂ(୨୬) ଓ ଚୋରା ସୁନା କିଣିଥିବା ସୁନା ଦୋକାନୀ ବାଲିକୁଦା ଗ୍ରାମର ତଥା ବର୍ତମାନ ରହୁଥିବା ଯାଜପୁର ଜିଲା ବାଲିଚନ୍ଦ୍ରପୁର ଥାନା ଅଧିନ ବାଲିଚନ୍ଦ୍ରପୁରର ନଟ ସାହୁଙ୍କ ପୁଅ ସତ୍ୟବ୍ରତ ସାହୁ(୪୬) । ଅଭିଯୁକ୍ତମାନଙ୍କ ଠାରୁ ନଗଦ ୩୦ହଜାର ଟଙ୍କା, ୧୨.୭ଗ୍ରାମ ତରଳାସୁନା, ୧୮.୨ଗ୍ରାମର ତରଳ ରୂପା, ୩.୦୫ଗ୍ରାମର ଏକ ମଙ୍ଗଳସୂତ୍ର, ନମ୍ବର ପ୍ଲେଟ ନଥିବା ଏକ ବାଜାଜ ପଲସର ବାଇକ, ଗୋଟିଏ ବଡ ଛୁରୀ, ଗୋଟିଏ ଲୁହା ହୁକ ଓ ୪ଟି ମୋବାଇଲ ଫୋନ ଜବତ ହୋଇଛି ।
ମକରା ଓ ତା ଗ୍ୟାଙ୍ଗର ସଦସ୍ୟମାନେ ସୁନାଗହଣା ଲୁଟିବା ପରେ ସୁନା ଦୋକାନୀ ସତ୍ୟବ୍ରତକୁ ବିକ୍ରୀ କରୁଥିଲେ । ସତ୍ୟବ୍ରତ ପ୍ରମାଣ ନଷ୍ଟ କରିବା ପାଇଁ ସୁନାଗହଣାକୁ ତରଳାଇ ଦେଉଥିଲେ । ମକରା ଗ୍ୟାଙ୍ଗ ନାମରେ ମାର୍ଶାଘାଇ ଥାନା, ଡେରାବିଶ ଥାନା, ପଟ୍ଟାମୁଣ୍ଡାଇ ଥାନା, କେନ୍ଦ୍ରାପଡା ସଦର ଥାନା ଓ ନିଶ୍ଚିନ୍ତକୋଇଲି ଥାନାରେ ୧୦ରୁ ଉଦ୍ଧ୍ୱର୍ ମାମଲା ପୂର୍ବରୁ ରହିଛି । ନିକଟରେ ମକରା ଗ୍ୟାଙ୍ଗ ସଦସ୍ୟମାନେ ଚାନ୍ଦୋଳ ନିକଟରେ ଏକ ବାଇକରେ ଶଶୁର ଓ ବୋହୂ ଯାଉଥିବା ବେଳେ ଛୁରୀମାଡ କରି ସୁନାଗହଣା ଲୁଟି ନେଇଥିଲେ । ସେହିପରି କେନ୍ଦ୍ରାପଡା ସହରରୁ ଫେରୁଥିବା ବେଳେ ଶ୍ୟାମସୁନ୍ଦରପୁର ଗଡା ନିକଟରେ ଏକ ଦମ୍ପତିଙ୍କ ଠାରୁ ସୁନାହାର ଲୁଟିନେଇଥିଲେ । ମକରା ଗ୍ୟାଙ୍ଗ ଏହିଭଳି ଆତଙ୍କ ସୃଷ୍ଟି କରି ଫେରାର ହୋଇଯାଇଥିବାରୁ ତାକୁ ଧରିବା ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ହୋଇଥିଲା । ଏହି ଗ୍ୟାଙ୍ଗକୁ ଧରିବା ପାଇଁ ଏସପି ସିଦ୍ଧାର୍ଥ କଟ୍ଟାରିଆ ସଦର ଥାନା ଅଧିକାରୀ ପଦ୍ମାଳୟା ପ୍ରଧାନକୁ ଦାୟିତ୍ୱ ଦେଇଥିଲେ । ଥାନା ଅଧିକାରୀ ୫ରାତି ଅନିଦ୍ରା ହୋଇ ତାଙ୍କ ଟିମ୍ ସହ ବିଭିନ୍ନ ସ୍ଥାନରେ ଚଢାଉ କରି ଏହି ଗ୍ୟାଙ୍ଗକୁ ଠାବ କରିଥିଲେ । ଆଜି ସେହି ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ମକରା ମଳିକ, ଗ୍ୟାଙ୍ଗ ସଦସ୍ୟ ଘଟିଆ ସିଂ ଓ ସୌଦାମିନୀ ନାୟକ ଏବଂ ସୁନା ଦୋକାନୀ ସତ୍ୟବ୍ରତ ସାହୁଙ୍କୁ ସଦର ଥାନା ପୋଲିସ କୋର୍ଟ ଚାଲାଣ କରିଥିବା ବେଳେ ରାଜେଶ ଜେନା ଓରଫ କାଳିଆ ଫେରାର ହୋଇଯାଇଥିବା ଥାନାଧିକାରୀ ପଦ୍ମାଳୟା ପ୍ରଧାନ ସୂଚନା ଦେଇଛନ୍ତି ।
