ବାଇକ୍‌କୁ ପିଟିଲା କାର, ୩ ଗୁରୁତର । ପୋଲିସ ଜବତ୍ କରିଥିବା ଗାଡ଼ିକୁ କେହି ଦୃର୍ବୁତ୍ତ ପୋଡ଼ି ଦେଲେ।

ନିମାପଡ଼ା,୨୮/୦୫/୨୦୨୬ (ଓଡ଼ିଶା ସମାଚାର)- ବୁଧବାର ନିମାପଡ଼ା ମୁସଲିମ୍ ବସ୍ତି ନିକଟରେ ରାତିରେ ଏକ  ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ନିମାପଡ଼ା ହାଟପଟୁ ପାଟପୁର ଆର୍ଡ଼କୁ ଦ୍ରୁତଗତିରେ ଯାଉଥିବା ଏକ କାର୍ ରାସ୍ତାରେ ଠିଆ ହୋଇଥ‌ିବା ବାଇକ୍ ସହ ଯୁବକଙ୍କୁ ଧକ୍କା ଦେଇଥିଲା। ଫଳରେ ଦୁର୍ଘଟଣାରେ ୩ ଜଣ ଯୁବକ ଗୁରୁତର ହୋଇଛନ୍ତି । ସ୍ଥାନୀୟ ଲୋକ ଯୁବକଙ୍କୁ ଉଦ୍ଧାର କରି ନିମାପଡ଼ା ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ହେଲେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି।

ଦୁର୍ଘଟଣା ଘଟାଇଥିବା କାର୍ ଚାଳକ ଗାଡ଼ି ଛାଡ଼ି ଘଟଣାସ୍ଥଳରୁ ଫେରାର୍ ହୋଇଥ‌ିବା ଜଣାପଡ଼ିଛି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା କାର୍ ଜବତକରି ତଦନ୍ତ ଚଳାଇଥିବା ବେଳେ ପୋଲିସ ଜବତ୍ କରିଥିବା ଗାଡ଼ିକୁ କେହି ଦୃର୍ବୁତ୍ତ ବିଳମ୍ବିତ ରାତ୍ରୀରେ ପୋଡ଼ି ଦେଇଛନ୍ତି। ଗୁରୁତର ଯୁବକମାନେ ହେଲେ ସ୍ଥାନୀୟ ମୁସଲିମ ବସ୍ତିର ଶେଖ ପୁତୁଲ; ଜଇନାବାଦ ଗ୍ରାମର ସୂର୍ଯ୍ୟକାନ୍ତ ମୁଦୁଲି, ଆମରଙ୍ଗ ଗ୍ରାମର ବବୁଲ ଭୋଇ। ଏହି ଦୁର୍ଘଟଣା ଯୋଗୁ ଘଟଣାସ୍ଥଳରେ କିଛିସମୟ ଧରି ଉତ୍ତେଜନା ଦେଖାଦେଇଥିଲା। ଦୁର୍ଘଟଣା ଘଟାଇଥ‌ିବା କାର୍ ଓ ଚାଳକ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡ଼ିଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ପୁଲିସ ଜବତ କରିଥିବା ଗାଡ଼ିକୁ କେହି ଦୁର୍ବୃତ୍ତ ନିଆଁ ଲଗାଇ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି।

Leave a Reply

Your email address will not be published. Required fields are marked *