ଘଟଗାଁ:ପୌରାଣିକ ପୀଠ ସୀତାବିଞ୍ଜରେ ଓଁକାର ବ୍ରହ୍ମ ଯଜ୍ଞ ଉଦଯାପିତ

ଘଟଗାଁ,୨୧/୦୩/୨୦୨୬ (ଓଡିଶା ସମାଚାର )-କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ପୌରାଣିକ ପୀଠ ତଥା ପୁରାତନ ସ୍ମାରକୀ ଚତୁର୍ଥ ଶତାବ୍ଦୀର ଶୈଳ ଚିତ୍ରାଙ୍କନ ଏବଂ ଅମୁଲ୍ୟ ପ୍ରତ୍ନତତ୍ତ୍ୱ ଶିଳା ବିଶେଷର ସଜୀବ ପ୍ରତୀକ ପର୍ୟ୍ୟଟନ କ୍ଷେତ୍ର ସୀତାବିଞ୍ଜ ଠାରେ ମାଳିକା ବର୍ଣିତ ଓଁକାର ବ୍ରହ୍ମ ଯଜ୍ଞ ଗୁରୁବାର ଉଦଯାପିତ ହୋଇ ଯାଇଛି। ବିଶ୍ୱ ଭାତୃତ୍ୱ ଦିବ୍ୟାତ୍ମା ପରିଷଦ,ଅଚ୍ୟୁତ ଗୁପ୍ତ,ବ୍ରହ୍ମସଂଘ, କ୍ଷିତିଜ୍ୟୋତି ଆଶ୍ରମ ସ୍ଵର୍ଣକ୍ଷେତ୍ର, ମାହାଙ୍ଗା ଓ ଘଟଗାଁ କେନ୍ଦ୍ର ସଂଗଠନ, ଜିଲ୍ଲା କେନ୍ଦୁଝର ଆନୁକୂଲ୍ୟରେ ଚଳିତ ମାସ ୧୫ ରୁ ୧୯ ତାରିଖ ପର୍ୟ୍ୟନ୍ତ ୫ ଦିନ ବ୍ୟାପୀ ମାଳିକା ବର୍ଣିତ ଓଁକାର ବ୍ରହ୍ମଯଜ୍ଞ ଅନୁଷ୍ଠିତ ହୋଇଥିଲା।

ଏଥି ପାଇଁ ଏକାଧିକ ଯଜ୍ଞ ମଣ୍ଡପ ଓ ହଜାର ହଜାର ଭକ୍ତଙ୍କ ବିଶ୍ରାମ ପାଇଁ ବ୍ୟବସ୍ଥା କରା ଯାଇଥିଲା । ଏଥି ସହ ଭକ୍ତଙ୍କ ପ୍ରସାଦ ସେବନ ପାଇଁ ପାଞ୍ଚଦିନ ବ୍ୟାପୀ ଦିବାରାତ୍ର ଆନନ୍ଦ ବଜାର ଖୋଲା ଯାଇଥିଲା। କାର୍ୟ୍ୟକ୍ରମର ପ୍ରଥମ ଦିବସରେ ଯଜ୍ଞ ମଣ୍ଡପ ପ୍ରତିଷ୍ଠା, ଶ୍ରୀକଳସ ଶୋଭାଯାତ୍ରା, ଅଙ୍କୁରା ରୋପଣ ଓ ଯଜ୍ଞ ମଣ୍ଡପ ପରିକ୍ରମା କରା ଯାଇଥିବା ବେଳେ ଦ୍ୱିତୀୟ ଦିବସରେ ମଙ୍ଗଳ ଆଳତୀ,ପ୍ରଭାତ ପରିକ୍ରମା, ସୂର୍ୟ୍ୟ ନାରାୟଣ ପୂଜନ, ଗୋ ପୂଜା,ନାନା ଦେବତା ଆବାହନ, ପୂଜନ,ପ୍ରତ୍ୟେକ ମଣ୍ଡପେ ଶ୍ରୀ ପାଦୁକା ସିଂହାସନ ଉପବେଶନ ଓ ପୂଜନ,ଅଗ୍ନି ଅଧିବାସ ଓ ପୂଜନ ଯଜ୍ଞାହୂତି ପ୍ରଦାନ, ଅଖଣ୍ଡ ନାମଯଜ୍ଞ ଅନୁଷ୍ଠିତ ହୋଇଥିଲା।

ତୃତୀୟ ଦିବସରେ ମଙ୍ଗଳ ଆଳତୀ, ପ୍ରଭାତ ପରିକ୍ରମା, ସୂର୍ୟ୍ୟନାରାୟଣ ପୂଜନ, ଗୋ ପୂଜା, ଅଗ୍ନି ପୂଜା, ରୁଦ୍ରାଭିଷେକ କରା ଯାଇ ଥିବାବେଳେ ଚତୁର୍ଥ ଦିବସରେ ସୂର୍ୟ୍ୟନାରାୟଣ ପୂଜନ, ଅଗ୍ନି ପୂଜା ଓ ଯଜ୍ଞାହୂତି କରା ଯାଇଥିଲା। କାର୍ୟ୍ୟକ୍ରମର ପଞ୍ଚମ ଦିବସରେ ସୂର୍ୟ୍ୟନାରାୟଣ ପୂଜନ, ଗୋ ପୂଜା, ଅଗ୍ନିପୂଜା, ଯଜ୍ଞ ପୂର୍ଣ୍ଣାହୂତି ଓ ଶାନ୍ତିପାଠ କରାଯିବା ସହ ତିନିଦିନ ଧରି ସାନ୍ଧ୍ୟ ସତସଙ୍ଗ ମହୋତ୍ସବ ଅନୁଷ୍ଠିତ ହୋଇଥିଲା। ଏଥି ପାଇଁ ସମଗ୍ର ଅଞ୍ଚଳରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ଏହି ଅବସରରେ ପ୍ରବକ୍ତା ପ୍ରମୋଦ କୁମାର ବେହେରା,ବିପିନ ବିହାରୀ ସାମଲ,ମାଳିକା ପ୍ରବଚକ ପ୍ରମୋଦ କୁମାର ପୃଷ୍ଟି,କୁନି ପ୍ରବଚକ ଦ୍ୱିତୀକୃଷ୍ଣ,ହିନ୍ଦୀ କଥା ବାଚକ ଅନିଲ ଚାୱଲା ପ୍ରବଚନ ପ୍ରଦାନ କରି ଭକ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ଏହି ଯଜ୍ଞରେ ଓଡିଶାର ବିଭିନ୍ନ ଅଂଚଳରୁ ହଜାର ହଜାର ଭକ୍ତ ଯୋଗ ଦେଇଥିଲେ । କାର୍ୟ୍ୟକ୍ରମରେ ସ୍ଥାନୀୟ ଜନସାଧାରଣ,ଜିଲ୍ଲା ପ୍ରଶାସନ, ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ପୋଲିସର ସହଯୋଗରେ କାର୍ୟ୍ୟକ୍ରମ ଶାନ୍ତି ଶୃଙ୍ଖଳାର ସହ ସମାପନ ହୋଇଥିଲା।

Leave a Reply

Your email address will not be published. Required fields are marked *