ଓଡ଼ିଶା ସିଭିଲ ସର୍ଭିସ୍ ପରୀକ୍ଷାରେ ପ୍ରଥମ ସ୍ଥାନ ହାସଲ କରିଥିବା ବୁବୁନ ସାହୁଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୮/୦୫/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ଓଡ଼ିଶା ସିଭିଲ ସର୍ଭିସ୍ (OCS) ପରୀକ୍ଷା-୨୦୨୪ରେ ପ୍ରଥମ ସ୍ଥାନ ଅଧିକାର କରିଥିବା କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ତୋଳଙ୍କପଡ଼ା ଗ୍ରାମର ଶ୍ରୀ ବୁବୁନ ସାହୁଙ୍କୁ ସମ୍ବର୍ଦ୍ଧିତ କରି ଏହି ଉଲ୍ଲେଖନୀୟ ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଜନସେବା ହେଉଛି ପ୍ରଶାସନର ମୂଳ ଲକ୍ଷ୍ୟ। ଲୋକଙ୍କ ମଙ୍ଗଳ, ସୁଶାସନ ଏବଂ ଶେଷ ମାଇଲ ପର୍ଯ୍ୟନ୍ତ ସରକାରୀ ସେବା ପହଞ୍ଚାଇବାକୁ ଅଧିକ ଗୁରୁତ୍ୱ ଦେବା ସହିତ ସମାଜର ଶିଶୁ, ମହିଳା ଏବଂ ସାମାଜିକ ଓ ଶିକ୍ଷାଗତ ଭାବେ ପଛୁଆ ବର୍ଗଙ୍କ ଉନ୍ନତି ପାଇଁ ସମର୍ପିତ ହୋଇ କାମ କରିବାକୁ ପରାମର୍ଶ ଦେଇଥିଲେ। ଜଣେ ଭଲ ପ୍ରଶାସକ ସହ ଜଣେ ଭଲ ମଣିଷ ଭାବେ ନିଜକୁ ଗଢ଼ି ତୋଳିବାକୁ ମୁଖ୍ୟମନ୍ତ୍ରୀ କହିଥିଲେ।

ଶ୍ରୀ ବୁବୁନ ସାହୁ ଗତ ବର୍ଷ ଓଡିଶା ପୋଲିସ୍ ସେବାରେ ଚୟନ ହୋଇଥିଲେ ଓ ବର୍ତ୍ତମାନ ଓଡ଼ିଶା ପୋଲିସରେ ଡିଏସପି ଭାବେ  ୨୦୨୬ ମାର୍ଚ୍ଚ ମାସରୁ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଏକାଡେମୀ (BPSPA) ରେ ପ୍ରଶିକ୍ଷଣ ନେଉଛନ୍ତି।

ଶ୍ରୀ ସାହୁଙ୍କ ପିତା ଶ୍ରୀ ଭଗବାନ ସାହୁ ଜଣେ କୃଷକ ଏବଂ ମାତା ଶ୍ରୀମତୀ କୁଞ୍ଜଲତା ସାହୁ ଗୃହିଣୀ। ପୁଅର ଏହି ଅନନ୍ୟ ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ଉଭୟଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଥିଲେ।

Leave a Reply

Your email address will not be published. Required fields are marked *