ନାଗରିକ କୈନ୍ଦ୍ରିକ ଶାସନ ପାଇଁ ଏକ ବୈପ୍ଳବିକ ପଦକ୍ଷେପ
ଭୁବନେଶ୍ୱର, ୩୦/୦୪/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଓଡ଼ିଶା ଲୋକସେବା ଅଧିକାର ଆଇନକୁ ସୁଦୃଢ କରିବା ଏବଂ ସରକାରୀ ସେବାଗୁଡ଼ିକୁ ସମୟସୀମା ମଧ୍ୟରେ ପ୍ରଦାନ ସୁନିଶ୍ଚିତ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ଓଡ଼ିଶା ସରକାର ଆସନ୍ତା ମଇ ୨୦୨୬ ସୁଦ୍ଧା ଏହି ଆଇନ ଅଧୀନରେ “ସ୍ୱୟଂଚାଳିତ ଅପିଲ ପ୍ରଣାଳୀ” କାର୍ଯ୍ୟକାରୀ କରିବାକୁ ପ୍ରସ୍ତୁତି କରୁଛନ୍ତି । ଓଡ଼ିଶା ଲୋକସେବା ଅଧିକାର ଆଇନ ସମ୍ବନ୍ଧୀୟ ୩୨ଟି ବିଭାଗର ନୋଡାଲ ଅଧିକାରୀମାନଙ୍କର ଏକ ସମୀକ୍ଷା ବୈଠକରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏ ସଂପର୍କିତବୈଠକରୁ ଜଣାଯାଇଛି । ଏହିପଦକ୍ଷେପରାଜ୍ୟରପ୍ରଶାସନିକଦାୟିତ୍ୱବୋଧରେ ଏକମାଇଲ ଖୁଣ୍ଟ ହେବାକୁ ଯାଉଛି ।
ଲୋକସେବା ଭବନସ୍ଥିତ ରାଜ୍ୟ କନଭେନସନ ସେଣ୍ଟର ଠାରେ ଗତକାଲି ବୁଧବାର ଆୟୋଜିତ ଏହି ବୈଠକରେ ନୋଡାଲ ଅଧିକାରୀମାନଙ୍କୁ ସମ୍ବୋଧନ କରି ଶ୍ରୀ ବଶିଷ୍ଠ କହିଥିଲେ ଯେ, ନିକଟରେ ଓଡ଼ିଶା ସରକାରରଙ୍କ କ୍ୟାବିନେଟ୍ ବୈଠକରେ “ସ୍ୱୟଂଚାଳିତ ଅପିଲ ପ୍ରଣାଳୀ”କୁ ଅନୁମୋଦନ କରାଯାଇଛି । ଏହି ବ୍ୟବସ୍ଥାର ଉଦ୍ଦେଶ୍ୟ ହେଉଛି ଅଭିଯୋଗ ଫଇସଲା ପ୍ରକ୍ରିୟାରେ ବିଳମ୍ବକୁ ଦୂର କରିବା।ଏହା ଫଳରେ ଯଦି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପଦନାମିତ ଅଧିକାରୀ ସେବା ପ୍ରଦାନ କରିବାରେ ବିଫଳ ହୁଅନ୍ତି, ତେବେ ସେହି ଆବେଦନ ସ୍ୱୟଂଚାଳିତ ଭାବେ ଉଚ୍ଚତର ଅପିଲ କର୍ତ୍ତୃପକ୍ଷଙ୍କ ପାଖକୁ ପ୍ରେରିତ ହେବ।ସ୍ୱୟଂଚାଳିତ ଅପିଲ ପ୍ରଣାଳୀର କାର୍ଯ୍ୟାନ୍ୱୟନ ଓଡ଼ିଶାର ପ୍ରଶାସନିକ ଉତ୍ତର ଦାୟିତ୍ୱବୋଧତାର ଏକ ନୂତନ ଯୁଗର ଆରମ୍ଭ ସୂଚିତ କରୁଛି। ୨୦୨୬ ମଇ ମଧ୍ୟରେ କାର୍ଯ୍ୟକାରୀ ହେବାକୁ ଥିବା ଏହି ପ୍ରଣାଳୀ ଯେ କୌଣସି ନାଗରିକଙ୍କୁ ତାଙ୍କର ଆଇନସମ୍ମତ ଅଧିକାର ଅନୁସାରେ ପାଇବାକୁ ଥିବା ଯୋଗ୍ୟ ସେବା ପାଇଁ ଯେପରି ଦୀର୍ଘଦିନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ନାହିଁ, ତାହାକୁ ସୁନିଶ୍ଚିତ କରିବ ବୋଲି ଶ୍ରୀ ବଶିଷ୍ଟ ପ୍ରକାଶ କରିଛନ୍ତି ।
ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ଦେବବ୍ରତ ମଲ୍ଲିକ ଶାସନ ବ୍ୟବସ୍ଥାରେ “ସ୍ୱୟଂଚାଳିତ ଅପିଲ” ବ୍ୟବସ୍ଥାର ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ଓ ପଦକ୍ଷେପ ସଂପର୍କରେ ଆଲୋକପାତ କରିଥିଲେ । ସେ କହିଥିଲେ ଯେ ଓଡ଼ିଶା ଲୋକସେବା ଅଧିକାର ଆଇନ ଅନେକ ସେବା ପ୍ରଦାନକୁ ସୁବ୍ୟବସ୍ଥିତ କରିଥିବା ବେଳେ “ସ୍ୱୟଂଚାଳିତ ଅପିଲ” ବ୍ୟବସ୍ଥା ନାଗରିକଙ୍କ ସମୟୋପଯୋଗୀ ସେବା ପାଇବାର ଅଧିକାରକୁ ସୁରକ୍ଷା ଦେବାକୁ ନିଶ୍ଚିତ କରିବ ।ଅତିରିକ୍ତ ଶାସନ ସଚିବ ଆହୁରି ମଧ୍ୟ ନୋଡାଲ ଅଧିକାରୀମାନଙ୍କୁ ମେ ୨୦୨୬ ସମୟସୀମା ମଧ୍ୟରେ ବ୍ୟବସ୍ଥାର କାର୍ଯ୍ୟକାରିତା ପାଇଁ ସେମାନଙ୍କର ବିଭାଗୀୟ ଡାଟାବେସଗୁଡ଼ିକୁ କେନ୍ଦ୍ରୀୟ ପୋର୍ଟାଲ ସହ ସମ୍ପୂର୍ଣ୍ଣ ଭାବେ ସମନ୍ୱିତ ହେବା ସୁନିଶ୍ଚିତ କରିବାକୁ ପରାମର୍ଶଦେଇଥିଲେ ।ସେ ଏ ଦିଗରେ ସମସ୍ତ ବିଭାଗର ସମନ୍ୱିତ ପ୍ରୟାସକୁ ସ୍ୱୀକାର କରି ଓଡ଼ିଶାକୁ ଡିଜିଟାଲ ଶାସନ ଓ ସାର୍ବଜନିକ ଦାୟିତ୍ୱବୋଧତା ଦିଗରେ ଏକ ଅଗ୍ରଣୀ ରାଜ୍ୟ ଭାବେ ଗଢ଼ି ତୋଳିବାରେ ସମସ୍ତଙ୍କର ଅବଦାନକୁ ପ୍ରଶଂସା କରିଥିଲେ।
ଏହି ବୈଠକରେ ଓଡ଼ିଶା ଲୋକସେବା ଅଧିକାର ଆଇନର ପ୍ରକଳ୍ପ ସଂଯୋଜକ ଶ୍ରୀ ପିନାକି ମହାନ୍ତିଙ୍କ ସଂଯୋଜନାରେ ବୈଷୟିକ ଅଧିବେଶନ ଅନୁଷ୍ଟିତ ହୋଇଥିଲା। ଶ୍ରୀ ମହାନ୍ତି ବିଭିନ୍ନ ବିଭାଗରେ ଓଡ଼ିଶା ଲୋକସେବା ଅଧିକାର ଆଇନର କାର୍ଯ୍ୟାନ୍ୱୟନର ବର୍ତ୍ତମାନ ସ୍ଥିତି ସମ୍ପର୍କରେ ବିସ୍ତୃତ ଉପସ୍ଥାପନା କରିଥିଲେ । ସେ ଆହୁରି “ସ୍ୱୟଂଚାଳିତ ଅପିଲ ପ୍ରଣାଳୀ”ର ଗଠନାତ୍ମକ ଢାଞ୍ଚା ବିଷୟରେ ବିବରଣୀ ଦେଇଥିଲେ ଏବଂ ଡିଜିଟାଲ ସମନ୍ୱୟ କିପରି ରହୁଥିବା ବିଭିନ୍ନ କାର୍ଯ୍ୟଗୁଡ଼ିକୁ ସୁନିଶ୍ଚିତ କରିବ, ସେ ସଂପର୍କରେ ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ, ଏହି ବ୍ୟବସ୍ଥା ନିର୍ଦ୍ଧାରିତ ସମୟ ସୀମା ଭିତରେ ଅପିଲ ଶୁଣାଣି ନହେଲେ ନାଗରିକମାନେ ପୁନଃ ଆବେଦନ କରିବାକୁ ପଡ଼ିବ ନାହିଁ ଏବଂ ସ୍ୱୟଂଚାଳିତ ଅପିଲ ଆରମ୍ଭ ହେବ । ୩୨ଟି ବିଭାଗ ମଧ୍ୟରେ ଫାଇଲର ଗତିବିଧିକୁ ସମୟାନୁଭିତ୍ତିରେ ତତକ୍ଷଣାତ ବା ରିୟଲ ଟାଇମ ଭିତ୍ତିରେ ଟ୍ରାକ୍ କରିବାର ପାରଦର୍ଶିତା ବୃଦ୍ଧି କରିବ । ନାଗରିକମାନେ ତାଙ୍କର କାମ ସଂପର୍କରେ ବୁଝିବା ପାଇଁ ବାରଂବାର କାର୍ଯ୍ୟାଳୟକୁ ଯିବାର ପ୍ରୟୋଜନକୁ କମାଇବ ବୋଲି ସେ ପ୍ରକାଶ କରିଥିଲେ ।ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ସ୍ୱତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ ଶ୍ରୀ ସମରେନ୍ଦ୍ର ଷଡ଼ଙ୍ଗୀ ଏହି ସମୀକ୍ଷା ବୈଠକକୁ ସଂଯୋଜନା କରିଥିଲେ ।
-0-
ପଠାଣି ରାଉତ ଲୋକ ସଂପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ
