କେନ୍ଦ୍ରାପଡା, ୨୮/୦୫/୨୦୨୬ (ଓଡ଼ିଶା ସମାଚାର)- ମହଙ୍ଗା ପଡ଼ିଲା ଥାନାରେ ଥାର୍ଡ ଡିଗ୍ରୀ । ଅଭ୍ୟାସଗତ ମାତ୍ରାଧିକ କାର୍ଯ୍ୟକଳାପ ଯୋଗୁଁ ମହିଳା ପୋଲିସ୍ ଅଧିକାରିଣୀ ସନ୍ଧ୍ୟାରାଣୀ ଜେନା ତୃତୀୟ ଥର ପାଇଁ ନିଲମ୍ବିତ ହୋଇଛନ୍ତି।
ତାଳଚୁଆ ମେରାଇନ୍ ଥାନା ଆଇଆଇସି ସନ୍ଧ୍ୟାରାଣୀ ଜେନା ଥାନାରେ ମା ପୁଅଙ୍କୁ ମାଡ଼ ମାରିବା ଭଳି ସଙ୍ଗୀନ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ଆଇଆଇସି ସନ୍ଧ୍ୟାରାଣୀଙ୍କୁ ପୋଲିସ ଡିଜି ନିଲମ୍ବିତ କରିଛନ୍ତି । ନିଲମ୍ବନ ସମୟରେ ସେ କେନ୍ଦ୍ରାଞ୍ଚଳ ଆଇଜି ଅଧୀନରେ ଶୃଙ୍ଖଳାଗତ କାର୍ଯ୍ୟନୁଷ୍ଠାନରେ ରହିବେ।
ଅଭିଯୋଗ ଅନୁଯାୟୀ,ଗତ ୨୫ ତାରିଖ ଦିନ ପାରିବାରିକ କଳହକୁ ନେଇ ଥାନାକୁ ଯାଇଥିଲେ ଗିରିଆପାହି ଗାଁର ଅନ୍ନପୂର୍ଣ୍ଣା ମଣ୍ଡଳ ଓ ତାଙ୍କ ପୁଅ। ପୋଲିସ ଏତଲା ରଖିବା ପରିବର୍ତ୍ତେ ୬ଘଣ୍ଟା ଧରି ଥାନାରେ ଅଟକ ରଖିଥିଲା । ମାଆକୁ ମାଡ ମାରିବା ସହ ପୁଅକୁ ପାଇଖାନା ଭିତରେ ପୁରାଇ ମାଡ ମାରିଥିଲା ପୋଲିସ ।
ପାରିବାରିକ କଳହ ଯୋଗୁଁ ତାଳଚୁଆ ଗିରିଆପାହି ଗାଁ ର ଅନ୍ନପୂର୍ଣ୍ଣା ମଣ୍ଡଳ ଓ ତାଙ୍କ ପୁଅ ସୋମବାର ସନ୍ଧ୍ୟା ୬ ଘଟିକା ସମୟରେ ଅଭିଯୋଗ ଦେବା ପାଇଁ ତାଳଚୁଆ ସାମୁଦ୍ରିକ ଥାନାକୁ ଯାଇଥିଲେ । ସେଠାରେ ସାମୁଦ୍ରିକ ଥାନା ଅଧିକାରିଣୀ ସନ୍ଧ୍ୟାରାଣୀ ଜେନା ଙ୍କୁ ଅଭିଯୋଗ ଦେବା ପରେ ମ୍ୟାଡ଼ାମ କାହିଁକି କେଜାଣି ଅଭିଯୋଗ ପତ୍ର ଗ୍ରହଣ କଲେ ନାହିଁ । ଓଲଟା ଖରାପ ଭାଷା ପ୍ରୟୋଗ କରି ଗାଳିଗୁଲଜ କରିଥିଲେ । ଅନ୍ନପୂର୍ଣା ଙ୍କ ଚୁଟିକୁ ଘୋଷାରି ମାଡ଼ ମାରିବା ସହ ଅର୍ଦ୍ଧ ଉଲ୍ଲଗ୍ନ ଓ ପରେ ମଥାରୁ ସିନ୍ଦୁର ଲିଭାଇ ଦେଇଥିଲେ ଥାନା ଅଧିକାରିଣୀ ସନ୍ଧ୍ୟାରାଣୀ ଜେନା। ପୁଅକୁ ପାଇଖାନା ଭିତରେ ପୁରାଇ ମାଡ ମାରିଥିଲେ ।
ସୂଚନାଯୋଗ୍ୟ ଯେ ପୂର୍ବରୁ କେନ୍ଦୁଝର ଜିଲ୍ଲା ପାଟଣା ଥାନାରେ ଥିବା ବେଳେ ଥାନା ହାଜତରେ ଜଣେ ଆଦିବାସୀ ଯୁବକଙ୍କୁ ନିର୍ଦ୍ଧୁମ ମାଡ଼ ମାରିବା ଅଭିଯୋଗରେ ୨୦୨୦ ରେ ସନ୍ଧ୍ୟାରାଣୀ ଜେନା ନିଲମ୍ବିତ ହୋଇଥିବା ବେଳେ ରାଜ୍ୟ ମାନବାଧିକାର କମିଶନ(OHRC) ଙ୍କ ନିର୍ଦ୍ଦେଶରେ ତାଙ୍କୁ ଦୁଇବର୍ଷ କୈ।ଣସି ଥାନାରେ ନିଯୁକ୍ତି ଦିଆଯାଇ ନଥିଲା।ଏଥି ସହିତ ତାଙ୍କୁ ଆର୍ଥିକ ଜରିମାନାରେ ମଧ୍ୟ ଦଣ୍ଡିତ କରାଯାଇଥିଲା। ସେହିପରି ୨୦୨୪ ରେ ଝାରସୁଗୁଡା ଜିଲ୍ଲା ଲଖନପୁର ଥାନାରେ ଏକ ବିବାଦୀୟ ଘଟଣାରେ ତାଙ୍କୁ ନିଲମ୍ବନ କରାଯାଇଥିଲା।ଏବେ କେନ୍ଦ୍ରାପଡ଼ା ଜିଲ୍ଲା ସାମୁଦ୍ରିକ ଥାନାରେ କାର୍ଯ୍ୟରତ ଥାଇ ମାତ୍ରାଧିକ ଥାର୍ଡ ଡିଗ୍ରୀ ଅଭିଯୋଗରେ ତାଙ୍କୁ ନିଲମ୍ବିତ ହେବାକୁ ପଡ଼ିଛି। ବାରମ୍ବାର ନିଲମ୍ବନ ପରେ ମଧ୍ୟ ଜଣେ ବିବାଦୀୟ ଓ ଅଭ୍ୟାସ ଗତ ବିଶୃଙ୍ଖଳିତ ଇନ୍ସପେକ୍ଟରଙ୍କୁ ଚାକିରିରୁ ବହିଷ୍କାର କରାନଯାଇ କାହିଁକି ଥାନା ଅଧିକାରୀ ଦାୟିତ୍ଵ ଦିଆଯାଉଛି ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ସିଏ ମଧ୍ୟ କଟକ ଚାଉଳିଆଗଞ୍ଜ ଥାନାରେ ସବ୍ ଇନ୍ସପେକ୍ଟର ଥିବା ବେଳେ ବିବାଦୀୟ ଥିବା ଜଣାଯାଇଛି।
