ଦାଦାକୁ ପୁତୁରା ହତ୍ୟା : ଘଟଣାସ୍ଥଳରେ ସାଇଂଟିଫିକ ଟିମର ତଦନ୍ତ ଆରମ୍ଭ

ଏସପି ଘଟଣାର ଅନୁଧ୍ୟାନ କଲେ
କେନ୍ଦ୍ରାପଡ଼ା,୨୫/୦୫/୨୦୨୬ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଟାଉନ୍ ଥାନା ଅନ୍ତର୍ଗତ ସାନ୍ତସାହିରେ ବାବୁଲା ବାରିକଙ୍କୁ ତାଙ୍କ ପୁତୁରା ହତ୍ୟା ଘଟଣାରେ ସାଇଂଟିିଫିକ ଟିମ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ଏସପି ସିଦ୍ଧାର୍ଥ କଟ୍ଟାରିଆ ମଧ୍ୟ ଘଟଣା ସ୍ଥଳରେ ପହଂଚି ଘଟଣାର ଅନୁଧ୍ୟାନ କରିଛନ୍ତି । ସେମାନଙ୍କର ଜମିବାଡି ବିବାଦ କେତେଦିନ ହେବ ଚାଲିଥିଲା । ପୂର୍ବରୁ ଏ ନେଇ ଥାନାରେ ଅଭିଯୋଗ ହୋଇଥିଲା କି ନାହିଁ । ଥାନାକୁ ଯଦି ଅଭିଯୋଗ ଆସିଥିଲା ତେବେ ପୋଲିସ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ଏହାକୁ ନେଇ କୋର୍ଟରେ ପୂର୍ବରୁ କୌଣସି ମାମଲା ହୋଇଛି କି ନାହିଁ ସେ ସମ୍ପର୍କରେ ଏସପି ମୃତକ ବାବୁଲା ବାରିକଙ୍କ ପତ୍ନୀ ପ୍ରଭାତି ବାରିକଙ୍କ ଠାରୁ ପଚାରି ବୁଝିଥିଲେ ।

ଏସପିଙ୍କ ସହ ଘଟଣା ସ୍ଥଳରେ କେନ୍ଦ୍ରାପଡ଼ା ଏସଡିପିଓ ଜ୍ୟୋତିରଞ୍ଜନ ଗୌଡ଼ ଓ କେନ୍ଦ୍ରାପଡ଼ା ଟାଉନ୍ ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁ ପ୍ରମୁଖ ଘଟଣା ସ୍ଥଳରେ ଉପସ୍ଥିତ ଥିଲେ । ସେହିପରି ଘଟଣା ସ୍ଥଳରେ ସାଇଂଟିଫିକ ଟିମ ପହଂଚିି ତଦନ୍ତ କରିଥିଲା । ଯେଉଁ ପଥରରେ ଅଭିଯୁକ୍ତ ପୁତୁରା ହିମାଂଶୁ ଦାଦା ବାବୁଲାକୁ ଛେଚି ହତ୍ୟା କରିଥିଲା ସେ ପଥରକୁ ଜବତ କରାଯାଇଛି । ସେହିପରି ଘଟଣା ସ୍ଥଳରୁ ରକ୍ତ ନମୁନା ସଂଗ୍ରହ କରାଯାଇଛି । ସନ୍ଦେହରେ ପୋଲିସ ୨ ଜଣଙ୍କୁ ଅଟକ ରଖିଛି । ଖୁବଶୀଘ୍ର ହତ୍ୟାକାରୀ ଓ ଅନ୍ୟ ସହଯୋଗୀମାନେ ଗିରଫ ହେବେ ବୋଲି ଥାନାଧିକାରୀ ଶ୍ରୀ ସାହୁ କହିଛନ୍ତି । ପୋଲିସର ସୂଚନା ଅନୁଯାୟୀ ମୃତ ବାବୁଲା ବାରିକ ଓ ତାଙ୍କ ବଡ଼ ଭାଇ ସ୍ୱର୍ଗତ ବାବୁ ବାରିକଙ୍କ ପରିବାର ସହ ଜମି ବାଡିକୁ ନେଇ ବିବାଦ ରହିଥିଲା ।

ଗତ ଦୁଇ ମାସ ତଳେ ଦୁଇ ପରିବାର ମଧ୍ୟରେ ମାଡଗୋଳ ହୋଇ ମାମଲା ଥାନାକୁ ଯାଇଥିଲା । ହେଲେ ପୋଲିସ ଏହା ଉପରେ କୌଣସି ପଦକ୍ଷେପ ଗ୍ରହଣ କରିନଥିଲା । ପୋଲିସ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବାରୁ ଦାଦାକୁ ହତ୍ୟା କରିବା ପାଇଁ ପୁତୁରା ହିମାଂଶୁ ଓ ତାଙ୍କର ଅନ୍ୟ ଦୁଇ ଭାଇ ପୂର୍ଣ୍ଣ ଓ ରବି ଯୋଜନା କରିଥିଲେ । ଗତ ରବିବାର ରାତିରେ ବାବୁଲା ଘରକୁ ଫେରିବା ପରେ ପୁତୁରାମାନଙ୍କ ସହ ଜମିବାଡି ବିବାଦକୁ ନେଇ ଯୁକ୍ତିତର୍କ ହୋଇଥିଲା । ଫଳରେ ହିମାଂଶୁ ଏକ ବଲ୍ଲାରେ ବାବୁଲାଙ୍କୁ ଆକ୍ରମଣ କରିଥିଲେ । ସେ ତଳେ ପଡିଯିବା ପରେ ତାଙ୍କୁ ଏକ ପଥରରେ ଛେଚି ଦେଇଥିଲେ । ଏଥିରେ ଅନ୍ୟ ଦୁଇ ଭାଇ ପୂର୍ଣ୍ଣ ଓ ରବି ସହଯୋଗ କରିଥିଲେ । ଫଳରେ ଘଟଣା ସ୍ଥଳରେ ବାବୁଲା ଗୁରୁତର ହୋଇ ପଡିଥିଲେ । ତାଙ୍କୁ ଚିକିତ୍ସା ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Leave a Reply

Your email address will not be published. Required fields are marked *