ଅପରାଧୀଙ୍କ ବିରୁଦ୍ଧରେ ଜିରୋ ଟଲେରାନ୍ସ : ଡିଜିପିଙ୍କ କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର,୨୫/୦୫/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ରାଜ୍ୟରେ ଦିନକୁ ଦିନ ବଢୁଥିବା ସଙ୍ଗଠିତ ଅପରାଧ, ହତ୍ୟା, ଆକ୍ରମଣ ଓ ଦୁର୍ଦ୍ଦାନ୍ତ ଅପରାଧୀମାନଙ୍କ ଦ୍ୱାରା ପୋଲିସ ଉପରେ ହେଉଥିବା ଆକ୍ରମଣ ଘଟଣାକୁ ଓଡ଼ିଶା ପୋଲିସ ଗୁରୁତ୍ୱର ସହ ଗ୍ରହଣ କରିଛି । ଆଇନ-ଶୃଙ୍ଖଳା ରକ୍ଷା, ସାଧାରଣ ଜନତାଙ୍କ ସୁରକ୍ଷା  ଏବଂ ଅପରାଧ ନିୟନ୍ତ୍ରଣ ପାଇଁ ପୋଲିସ ପକ୍ଷରୁ ଦୃଢ଼ ଓ କଠୋର ପଦକ୍ଷେପ ଗ୍ରହଣ କରାଯାଉଛି ।

ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟରେ ଅପରାଧ ନିୟନ୍ତ୍ରଣ ଓ ଆଇନ-ଶୃଙ୍ଖଳା ରକ୍ଷା ପାଇଁ ଓଡ଼ିଶା ପୋଲିସ ଅପରାଧୀଙ୍କ ବିରୁଦ୍ଧରେ “ଜିରୋ ଟଲେରାନ୍ସ” ନୀତି ଅନୁସରଣ କରୁଛି । ପୋଲିସ ଉପରେ ଆକ୍ରମଣ କରୁଥିବା ଓ ସାଧାରଣ ଲୋକଙ୍କ ମନରେ ଭୟର ପରିବେଶ ସୃଷ୍ଟି କରୁଥିବା ଅପରାଧୀଙ୍କ ବିରୁଦ୍ଧରେ ଆଗାମୀ ଦିନରେ ମଧ୍ୟ କଡ଼ା ଓ ଆଇନସମ୍ମତ କାର୍ଯ୍ୟାନୁଷ୍ଠାନ ଜାରି ରହିବ । ଏହାସହ ଆଇନକୁ ହାତକୁ ନେଇ ସମାଜରେ ହିଂସା ସୃଷ୍ଟି କରୁଥିବା, ଅବୈଧ ଅସ୍ତ୍ର ବ୍ୟବହାର କରୁଥିବା ଏବଂ ପୋଲିସ ଉପରେ ଆକ୍ରମଣ କରୁଥିବା ଅପରାଧୀମାନଙ୍କ ବିରୁଦ୍ଧରେ କୌଣସି ପ୍ରକାର ସହନଶୀଳତା ପ୍ରଦର୍ଶନ କରାଯିବ ନାହିଁ  ବୋଲି ସେ କହିଛନ୍ତି।

ଗତ କିଛି ଦିନ ମଧ୍ୟରେ ବ୍ରହ୍ମପୁର ଓ ବେଲପାହାଡ଼ ଅଞ୍ଚଳରେ ବିଭିନ୍ନ ଘଟଣାରେ ଦୁର୍ଦ୍ଦାନ୍ତ ଅପରାଧୀମାନଙ୍କୁ ଧରିବା ସମୟରେ ସେମାନେ ପୋଲିସ ଉପରେ ଆକ୍ରମଣ କରିଥିଲେ ଏବଂ ପଳାଇବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ପୋଲିସ ପକ୍ଷରୁ ଆତ୍ମରକ୍ଷା ପାଇଁ ଆଇନସମ୍ମତ ଭାବେ ଗୁଳିଚାଳନା କରାଯାଇ ସମସ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଛି ।

ଗତ ୧୧.୦୫.୨୦୨୬ ତାରିଖରେ ବେଲପାହାଡ଼ ଥାନା ଅଧୀନ ବେଲପାହାଡ଼ ଫାଟକ ନିକଟରେ ଘଟିଥିବା ଏକ ନିର୍ମମ ଆକ୍ରମଣରେ ରାହୁଲ ମହତୋଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରାଯାଇଥିଲା ଏବଂ ଆକାଶ ସାହୁ ଗୁରୁତର ଭାବେ ଏଥିରେ ଆହତ ହୋଇଥିଲେ । ସଂପୃକ୍ତ ହତ୍ୟାକାଣ୍ଡରେ ଫେରାର ଅଭିଯୁକ୍ତ ପୁଷ୍ପଲ ବାଞ୍ଛୋର, ଚାନ୍ଦ ବାଞ୍ଛୋର ଓ ସୁନୀଲ ମହାନନ୍ଦ ଓରଫ ଟାବୁଙ୍କୁ ସହ ଘଟଣାରେ ସଂପୃକ୍ତ ଡ୍ରାଇଭରକୁ  ପୋଲିସ ଚିହ୍ନଟ କରିବା ପରେ ସେମାନେ ପୋଲିସ ଉପରେ ଗୁଳିଚାଳନା କରି ପଳାଇବାକୁ ଚେଷ୍ଟା କରିଥିଲେ । ଏହି ପରିସ୍ଥିତିରେ ପୋଲିସ ପକ୍ଷରୁ ଆତ୍ମରକ୍ଷା ପାଇଁ ଗୁଳିଚାଳନା କରାଯାଇଥିଲା ଏବଂ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଉଭୟ ଅଭିଯୁକ୍ତଙ୍କ ବିରୁଦ୍ଧରେ ସମ୍ବଲପୁର ଜିଲ୍ଲାରେ ଏକାଧିକ ଅପରାଧିକ ମାମଲା ରହିଛି ଏବଂ ଏନେଇ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।

ସେହିପରି ବ୍ରହ୍ମପୁରର ହରିଡ଼ାଖଣ୍ଡି ମାଛ ମାର୍କେଟ ଠାରେ ମଙ୍ଗଳ ବେହେରା ଚାଉମିନ୍ ଖାଉଥିବା ବେଳେ ଜଗା, ବଳିଆ ଓ ଚିନୁ ନାମକ ୩ ଜଣ ବ୍ୟକ୍ତି ତାଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ। ଆକ୍ରମଣରେ  ମଙ୍ଗଳ ବେହେରାଙ୍କ ମୁଣ୍ଡ, ବେକ, ହାତ, ଜଙ୍ଘ, ଆଣ୍ଠୁ, ଗୋଇଠି ଓ ଅଣ୍ଟାରେ ଗଭୀର ଆଘାତ ହୋଇଥିଲା । ପୀଡ଼ିତଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଘଟଣାରେ ସଂପୃକ୍ତ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ତୁରନ୍ତ ତଦନ୍ତ ଆରମ୍ଭ କରାଯାଇଥିଲା । ପରବର୍ତ୍ତୀ ସମୟରେ ମୁଖ୍ୟ ଅଭିଯୁକ୍ତ ଜଗନ୍ନାଥ ସାହୁଙ୍କୁ ଧରିବାବେଳେ ସେ ପୋଲିସ ଉପରେ ଆକ୍ରମଣ କରି ପଳାଇବାକୁ ଉଦ୍ୟମ କରିଥିଲେ । ଏହି ପରିସ୍ଥିତିରେ ଆତ୍ମରକ୍ଷା ପାଇଁ ପୋଲିସ ପକ୍ଷରୁ ଗୁଳିଚାଳନା କରାଯାଇଥିଲା । ଏହାସହ ଏହି ଘଟଣାରେ ସଂପୃକ୍ତ ଅନ୍ୟ ୨ଜଣ ଅଭିଯୁକ୍ତ ଦୀପୁନ ନାୟକ ଓ ମୁକ୍ତେଶ ସାହୁ ମଧ୍ୟ ପୋଲିସ ଗୁଳିରେ ଆହତ ହୋଇ ଗିରଫ ହୋଇଥିଲେ ।

Leave a Reply

Your email address will not be published. Required fields are marked *