କଟକ ସଦର,୨୪/୦୫/୨୦୨୬ (ଓଡ଼ିଶା ସମାଚାର ବିଷ୍ଣୁ ବେହେରା): କଟକ ଗ୍ରାମାଞ୍ଚଳ ପୋଲିସ ଜିଲ୍ଲା ଅନ୍ତର୍ଗତ ମାହାଙ୍ଗା ଭଦ୍ରେଶ୍ୱର ଅଞ୍ଚଳର ତଥା ମାହାଙ୍ଗା ପଞ୍ଚାୟତ ସମିତିର ପୂର୍ବତନ ଉପାଧ୍ୟକ୍ଷା ଭାଗ୍ୟଲତା ପ୍ରହରାଜଙ୍କ ଦୁଇ ପୁଅ ଵାପି ଓରଫ ଜ୍ୟୋତି ସମ୍ରାଟ ପ୍ରହରାଜ ଓ ଜେପି ଓରଫ ଜ୍ୟୋତି ପ୍ରକାଶ ପ୍ରହରାଜଙ୍କ ନାଁରେ ଜାତୀୟ ନିରାପତ୍ତା ଆଇନ୍ (ଏନ୍ଏସ୍ଏ) ଲାଗୁ କରାଯାଇଥିବା ଜଣାପଡିଛି।


ଦୁଇଭାଇ ଏକାଧିକ ମାମଲାରେ ଛନ୍ଦି ହୋଇ ଜେଲ୍ ଯିଵା ଏବଂ ଜାମିନରେ ଆସି ପୁଣି ଅପରାଧ ଅଧିକ କରିବା ଅଭିଯୋଗରେ ଏସ୍ ପି ଙ୍କ ପ୍ରସ୍ତାବ କ୍ରମେ କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେଵ୍ ସିନ୍ଧେ ଜାତୀୟ ନିରାପତ୍ତା ଆଇନ୍ ୧୯୮୦ ର ଧାରା ୩ ଅନ୍ତର୍ଗତ ଉପଧାରା (୨) ଅନୁସାରେ ପ୍ରଦତ୍ତ କ୍ଷମତା ବଳରେ ଉଭୟ ଭ୍ରାତୃଦ୍ଵୟଙ୍କୁ ଅନ୍ୟାଦେଶ ପର୍ଯ୍ୟନ୍ତ ଜେଲରେ ଅଟକ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ମୁତାବକ ଵାପି ନାଁରେ ୧୪ ରୁ ଅଧିକ ଓ ଜେପି ନାଁରେ ୧୨ ରୁ ଅଧିକ ମାମଲା ରାଜ୍ୟର ବିଭିନ୍ନ ଥାନାରେ ରହିଥିବା ବେଳେ ସେମାନେ ଏବେ ଚୌଦ୍ୱାର ମଣ୍ଡଳ କାରାଗାରରେ ନ୍ୟାୟିକ ହେପାଜତରେ ଥିବା ଜଣାଯାଇଛି।
