ଅନ୍ତର୍ଜାତୀୟ ମହିଳା ଦିବସରେ ପୁରୀରେ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

୧ କୋଟିରୁ ଅଧିକ ମହିଳାଙ୍କ ଆକାଉଣ୍ଟକୁ ୫,୧୦୬ କୋଟିରୁ ଅଧିକ ଟଙ୍କା ହସ୍ତାନ୍ତର

ପୁରୀ ଜିଲ୍ଲାର ୪.୨୦  ଲକ୍ଷରୁ ଅଧିକ ମା  ଅନ୍ତର୍ଭୁକ୍ତ

ରାଷ୍ଟ୍ରପତିଙ୍କ ଅସମ୍ମାନର ଦୃଢ ନିନ୍ଦା କଲେ ମୁଖ୍ୟମନ୍ତ୍ରୀ

IIM ସମ୍ବଲପୁର  ଦ୍ୱାରା ପ୍ରସ୍ତୁତ ସୁଭଦ୍ରା ସମୀକ୍ଷା ରିପୋର୍ଟ  ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

  ସୁଭଦ୍ରା ମା ମାନଙ୍କ ଆତ୍ମବିଶ୍ୱାସ ଓ ପରିଶ୍ରମ ଦ୍ୱାରା ଏକ ବିକଶିତ , ସମୃଦ୍ଧ ଓଡିଶା ଗଠନ  ହେବ – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୦୮/୦୩/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ମାତ୍ର ଦେଢ଼ ବର୍ଷ ଭିତରେ ଆମ ମା ମାନଙ୍କ  ପାଇଁ  ସୁଭଦ୍ରା ଯୋଜନା ଏକ ଅଦ୍ଭୁତ ପୂର୍ବ ପରିବର୍ତ୍ତନର ବାର୍ତ୍ତାବହ ହୋଇପାରିଛି । ଆଗାମୀ ଦିନରେ ଅଧିକରୁ ଅଧିକ ମା ଏହି ପରିବର୍ତ୍ତନ ଯାତ୍ରାରେ ସାମିଲ ହେବେ ବୋଲି ଆଜି ମୁଖ୍ୟମନ୍ତ୍ରୀ ଶ୍ରୀମୋହନ ଚରଣ ମାଝି ସୁଭଦ୍ରା ଯୋଜନା ଅନ୍ତର୍ଗତ ଚତୁର୍ଥ କିସ୍ତି ପ୍ରଦାନ ତଥା  ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ କହିଛନ୍ତି ।

ଏହି ଅବସରରେ ପୁରୀ ଠାରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଆଜି ଚତୁର୍ଥ ପର୍ୟ୍ୟାୟରେ ୧,୨,୧୨,୬୬୫ ଜଣ ସୁଭଦ୍ରା ହିତାଧିକାରୀଙ୍କୁ ୫୦୦୦ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିଛନ୍ତି । ସମୁଦାୟ ୫୧୦୬ କୋଟି ୩୩ ଲକ୍ଷ ୨୫ ହଜାର ଟଙ୍କାର ସହାୟତା ରାଶି ହିତାଧିକାରୀଙ୍କୁ ପ୍ରଦାନ କରାଯାଇଛି । ଏଥିରେ ପୁରୀ ଜିଲ୍ଲାର ୪,୨୦,୮୫୪ ଜଣ ହିତାଧିକାରୀ ଅଛନ୍ତି ।

ଉପସ୍ଥିତ ସୁଭଦ୍ରା ଭଉଣୀ ମାନଙ୍କୁ  ଅନ୍ତର୍ଜାତୀୟ ମହିଳା ଦିବସର ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ  କହିଥିଲେ ଯେ ରାଜ୍ୟରେ ମହିଳା ମାନଙ୍କୁ ସଶକ୍ତ କରିବାରେ ଆମର ସୁଭଦ୍ରା ଯୋଜନା ସଫଳ ହୋଇଛି ଓ  ସେମାନଙ୍କୁ ଆର୍ଥିକ ସ୍ୱାଧୀନତା ପ୍ରଦାନ କରି ସ୍ୱତନ୍ତ ପରିଚୟ ଦେଇଛି । ସୁଭଦ୍ରା ଯୋଜନା ଆଜି ରାଜ୍ୟର ମହିଳା ମାନଙ୍କ ପାଇଁ ଆତ୍ମବିଶ୍ୱାସ ଓ ଆତ୍ମନିର୍ଭରତାର ସ୍ରୋତ ହୋଇପାରିଛି ।

 ସୁଭଦ୍ରା ଯୋଜନା ଜରିଆରେ ସଫଳତା ପାଇଥିବା ହିତାଧିକାରୀଙ୍କୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମହିଳା ସଶକ୍ତିକରଣ ହେଉଛି ଆମ  ସରକାରଙ୍କ ପ୍ରଥମ ପ୍ରାଥମିକତା ଏବଂ ସୁଭଦ୍ରା ଯୋଜନା ଏହାର ଏକ ସଫଳ ଉଦାହରଣ ।  ଅନୁଗୁଳ, ବଲାଙ୍ଗୀର, ବରଗଡ଼, ଭଦ୍ରକ ଓ କଟକ ଭଳି ଅନେକ ଜିଲ୍ଲାର ମହିଳାମାନେ ଏହି ସହାୟତା ରାଶିକୁ ବ୍ୟବହାର କରି ଛତୁ ଚାଷ, କୁକୁଡ଼ା ପାଳନ, ବାଉଁଶ ବ୍ୟବସାୟ ଓ ଛୋଟ ବ୍ୟବସାୟ ଆରମ୍ଭ କରି ସଫଳତାର ଦୃଷ୍ଟାନ୍ତ ସୃଷ୍ଟି କରୁଛନ୍ତି।

ସେ ପୁଣି  କହିଥିଲେ ଯେ IIM ସମ୍ବଲପୁରର ସର୍ଭେ ରିପୋର୍ଟ ଅନୁଯାୟୀ ୨୫.୫୨ ପ୍ରତିଶତ ହିତାଧିକାରୀ  ସୁଭଦ୍ରା ସହାୟତାକୁ ବ୍ୟବସାୟ ଆରମ୍ଭ ପାଇଁ ବ୍ୟବହାର କରିଥିବା ବେଳେ ୩୫.୭ ପ୍ରତିଶତ ମହିଳା ଘରୋଇ ଆବଶ୍ୟକତା ପୂରଣରେ ବ୍ୟବହାର କରିଛନ୍ତି। ଏହା ସହିତ ଅନେକ ମହିଳା ଋଣ ପରିଶୋଧ, ସଞ୍ଚୟ ଓ ଦକ୍ଷତା ବୃଦ୍ଧିରେ ମଧ୍ୟ ଏହି ଅର୍ଥ ବ୍ୟବହାର କରି ପରିବାର ମଧ୍ୟରେ ସ୍ୱୀକୃତି ଓ ସମ୍ମାନ ହାସଲ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଓ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନରେ ମହିଳାମାନଙ୍କ ଭୂମିକା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ରହିବ । ସମୃଦ୍ଧ ଓଡିଶା ଓ ବିକଶିତ ଗଠନ ହେବ   ମହିଳାମାନଙ୍କ ନେତୃତ୍ୱରେ ।  ବର୍ତ୍ତମାନ ରାଜ୍ୟରେ ପ୍ରାୟ ୧୭ ଲକ୍ଷ ‘ଲକ୍ଷପତି ଦିଦି’ ସୃଷ୍ଟି ହୋଇଥିବା ବେଳେ ୨୦୪୭ ସୁଦ୍ଧା ୬୦ ଲକ୍ଷ ‘ଲକ୍ଷପତି ଦିଦି’ ଓ ୧୦ ଲକ୍ଷ ‘ମିଲେନିଆର  ଦିଦି’ ସୃଷ୍ଟି କରିବା ପାଇଁ ଆମର ଲକ୍ଷ୍ୟ ରହିଛି  ।

 ସେ ପୁଣି କହିଥିଲେ ଯେ ମହିଳାଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଓ ଆର୍ଥିକ ସଶକ୍ତିକରଣ ପାଇଁ  ବିଭିନ୍ନ ଯୋଜନା ଆମ ସରକାର ଆରମ୍ଭ କରିଛନ୍ତି । ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ‘ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା’ ଓ ‘ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା’ ମହିଳାଙ୍କ ସୁରକ୍ଷା ଓ ସମୃଦ୍ଧି ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

ମୁଖ୍ୟମନ୍ତ୍ରୀ ଶେଷରେ କହିଥିଲେ ଯେ ମହିଳା ସଶକ୍ତିକରଣ ଆମ ସରକାର ପାଇଁ କେବଳ ଏକ ସ୍ଲୋଗାନ ନୁହେଁ, ଏହା ଏକ ପ୍ରତିବଦ୍ଧତା। ମହିଳାମାନଙ୍କ ଆତ୍ମବିଶ୍ୱାସ ଓ ପରିଶ୍ରମ ଦ୍ୱାରା ଏକ ସଶକ୍ତ, ସମୃଦ୍ଧ ଓଡିଶା ଗଠିତ ହେବ ବୋଲି ସେ  ଦୃଢୋକ୍ତି  ପ୍ରକାଶ କରିଥିଲେ । ଏଥି  ସହିତ ମୁଖ୍ୟମନ୍ତ୍ରୀ ଗତକାଲି ମାନ୍ୟବର ରାଷ୍ଟ୍ରପତିଙ୍କୁ ପଶ୍ଚିମବଙ୍ଗ ଠାରେ କରାଯାଇଥିବା ଅସମ୍ମାନକୁ  ଦୃଢ ନିନ୍ଦା କରିବା ସହିତ ଏଭଳି ଅନାଦର କେବଳ ରାଷ୍ଟ୍ରପତିଙ୍କୁ ନୁହେଁ,  ସାରା ଦେଶ ପାଇଁ ଓ ସାରା ନାରୀ ସମାଜ ପ୍ରତି  ଅସମ୍ମାନ ବୋଲି କହିଛନ୍ତି ।

କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସୁଭଦ୍ରା ସମୀକ୍ଷା ରିପୋର୍ଟ , ମହିଳା ଓ ଶିଶୁ ବିକାଶ ବିଭାଗର ଏକ କଫି ଦେବୁଲ ବୁକ ଓ ବାଲ୍ୟ ବିଭାହ ନିବାରଣ ପାଇଁ ପ୍ରସ୍ତୁତ ହୋଇଥିବା ଏକ ପୁସ୍ତିକା ଉନ୍ମୋଚନ କରିଥିଲେ ।

କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ  କହିଥିଲେ ଯେ ଭାରତ ବର୍ଷ ଆଜି  ମହିଳାଙ୍କ ପାଇଁ ଯାହା ଭାବୁଛି ମା ସୁଭଦ୍ରାଙ୍କ ଆଶୀର୍ବାଦରୁ ଓଡ଼ିଶାରେ ମହିଳାମାନେ ତା ଠାରୁ  ବହୁତ ଆଗରେ ଅଛନ୍ତି । ଓଡ଼ିଶାରେ ମହିଳା ସଶକ୍ତିକରଣକୁ   ପ୍ରମାଣିତ  କରିଛି ସୁଭଦ୍ରା ଯୋଜନା । ସୁଭଦ୍ରା ଯୋଜନା ଆଜି  ଓଡ଼ିଶାର ମହିଳା ଶକ୍ତିଙ୍କୁ ଭାରତ ବର୍ଷରେ ଏକ ଉଦୀୟମାନ ଶକ୍ତି ରୂପେ ଗଢି ତୋଳିଛି । ପୂର୍ବରୁ ତିନୋଟି ପର୍ଯ୍ୟୟରେ ୧୫୦୦୦ କୋଟି ରୁ ଅଧିକ ଟଙ୍କା ପ୍ରଦାନ କରାଯାଇଥିବା ବେଳେ ଆଜି ଚତୁର୍ଥ ପର୍ଯାୟର ସହାୟତା ରାଶି  ମହିଳାଙ୍କ ବିକାଶ ଓ ସଶକ୍ତିକରଣ ପ୍ରତି  ଆମ  ପ୍ରତିବଦ୍ଧତାକୁ ଦର୍ଶାଉଛି   । HPV ଭାଇରସ ଟୀକା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇ ରାଜ୍ୟର  ସବୁ ୧୪ ରୁ ୧୫ ବର୍ଷ ଝିଅ ମାନଙ୍କୁ ଏହି ଟୀକା ଦେବା ପାଇଁ ସେ ସୁଭଦ୍ରା ମା ମାନଙ୍କୁ ଅନୁରୋଧ କରିଥିଲେ ।

ପୁରୀ ସାଂସଦ ଡ଼ଃ ସମ୍ବିତ ପାତ୍ର  କହିଥିଲେ ଯେ ଓଡ଼ିଶାରେ ମହିଳା ସଶକ୍ତିକାରଣ ପାଇଁ ରାଜ୍ୟ ସରକାର  ଯେଉଁ ପଦକ୍ଷେପ ନେଉଛନ୍ତି ତାହା ଅଦିତ୍ୱୀୟ । ଲକ୍ଷପତି  ଦିଦି ସୃଷ୍ଟିରେ ଓଡିଶା ଭାରତ ବର୍ଷରେ ଶ୍ରେଷ୍ଠତ୍ଵ ଅର୍ଜନ କରିବା ଆମ ସମସ୍ତଙ୍କ  ପାଇଁ ଗର୍ବର ବିଷୟ ଓ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସେ ଧନ୍ୟବାଦ ଦେଇଥିଲେ  ।

ଏହି ଅବସରରେ  ବ୍ରହ୍ମଗିରି ବିଧାୟକ ଶ୍ରୀମତୀ ଉପାସନା ମହାପାତ୍ର , ପିପିଲି ବିଧାୟକ ଶ୍ରୀ ଆଶ୍ରିତ ପଟ୍ଟନାୟକ , ସତ୍ୟବାଦୀ ବିଧାୟକ ଶ୍ରୀ ଓମ୍‌ପ୍ରକାଶ ମିଶ୍ର ,ମହିଳା ଓ ଶିଶୁ ବିକାଶ   ବିଭାଗ  ନିର୍ଦ୍ଦେଶିକା ଶ୍ରୀମତୀ ମନିଷା ବାନାର୍ଜୀ  ପ୍ରମୁଖ   ଉପସ୍ଥିତ ଥିଲେ । ବିଭିନ୍ନ ଜିଲ୍ଲାରେ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ମନ୍ତ୍ରୀମାନେ ଉପସ୍ଥିତ ଥିଲେ । ମହିଳା ଓ ଶିଶୁ ବିକାଶ   ବିଭାଗର  କମିଶନର ତଥା ଶାସନ ସଚିବ ଶ୍ରୀମତୀ ମୃଣାଲିନି ଦର୍ଶୱାଲ  ସ୍ୱାଗତ  ଭାଷଣ ଦେଇଥିଲେ ଓ ପୁରୀ ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡା ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *