ଧବଳେଶ୍ୱରଙ୍କ ଜାଗର ଯାତ୍ରା ପ୍ରସ୍ତୁତି ବୈଠକ

ଆଠଗଡ଼, ୧୪/୦୨/୨୦୨୫ (ଓଡ଼ିଶା ସମାଚାର)- ଚଳିତ ମାସ ୨୬ତାରିଖରେ ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରଙ୍କ ଜାଗର ଯାତ୍ରା ନିମନ୍ତେ ବାବା ଧବଳେଶ୍ୱରଙ୍କ ପୀଠ ସଭାଗୃହରେ ଆଠଗଡ଼ ଉପଜିଲାପାଳ ପ୍ରହଲାଦ ନାରାୟଣ ଶର୍ମାଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଉପଜିଲାପାଳ ଉପସ୍ଥିତ ପ୍ରଶାସନିକ ଅଧିକରୀ, ଶିଳ୍ପାନୁଷ୍ଠାନ ଓ ଗଚ୍ଚମାଧ୍ୟମ ପ୍ରତିନିଧିମାନଙ୍କୁ ସ୍ୱାଗତ କରିଥିଲେ । ଧବଳେଶ୍ୱର ଦେବଙ୍କ ଜାଗରଯାତ୍ରାକୁ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ପାଇଁ ଶର୍ମା ପୋଲିସ ପ୍ରଶାସନ ଓ ପୂଜକ ସମାଜ ସହିତ ଜନସାଧାରଣଙ୍କ ସହଯୋଗ ଲୋଡ଼ିଥିଲେ ।

ଜାଗର ଯାତ୍ରାରେ ହେବାକୁ ଥିବା ଦର୍ଶନାର୍ଥୀଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୂଜକ ସମିତିର ସଭାପତି ବିଷ୍ଣୁ ଚରଣ ପତ୍ରି ଠାକୁରଙ୍କ ନୀତିକାନ୍ତି ନିମନ୍ତେ ତଥ୍ୟ ପ୍ରଦାନ କରିଥିଲେ । ୨୬ତାରିଖ ବୁଧବାର ପ୍ରାତଃ ୪ଟା ସମୟରେ ଦ୍ୱାରଫିଟା, ଅବକାଶ ନୀତି, ମଙ୍ଗଳ ଆଳତି, ମହାସ୍ନାନ, ବଲ୍ଲଭ ଭୋଗ, ଚାରି ଧୂପ,ଚାରି ପ୍ରହର ଲାଗି ନୀତିକାନ୍ତ ହେବ । ସନ୍ଧ୍ୟା ଧୂ ପରେ ରୁଦ୍ରାଭିଷେକ ଓ ଶ୍ରୀ ଦେବଙ୍କ ସ୍ୱତନ୍ତ୍ର ବେଶ ହେବ । ମଧ୍ୟରାତ୍ରରେ ମା’ ପାର୍ବତୀ ଓ ବାବାଙ୍କ ଚଳନ୍ତି ପ୍ରତିମା ଚନ୍ଦ୍ରଶେଖର ଦେବଙ୍କୁ ସୁସଜ୍ଜିତ ବିମାନରେ ବେଢ଼ା ପରିକ୍ରମା କରାଇବା ପରେ ରାତ୍ର ୧ଟାରୁ ୧.୩୦ ମଧ୍ୟରେ ମହାଦୀପ ଉତୋଳନ କରାଯିବ ବୋଲି ଶ୍ରୀ ପତ୍ରୀ କହିଛନ୍ତି ।

ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ନିମନ୍ତେ ପୀଠ ମଧ୍ୟରେ ପୂଜକସମାଜ, ପୋଲିସ ପ୍ରଶାସନ ଓ ଦେବୋତର ବିଭାଗ ସମନ୍ୱୟ ରଖି ବାରିକେଡ଼ କରାଯିବା ପାଇଁ ନିଷ୍ପତି ଗ୍ରହଣ କରାଗଲା । ସିସିଟିଭିର ବ୍ୟବସ୍ଥା ସାଙ୍ଗକୁ ମନ୍ଦିର ପରିସରକୁ ଆଲୋକୀକରଣ କରିବା, ପାନୀୟଜଳ ଓ ପରିମଳ ବ୍ୟବସ୍ଥା, ସ୍ୱାସ୍ଥ୍ୟ ସେବାର ବ୍ୟବସ୍ଥା, ଅଗ୍ନିଶମ ବ୍ୟବସ୍ଥା ଇତ୍ୟାଦି ସମସ୍ତ ଦିଗ ଉପରେ ଆଲୋଚନା କରାଯାଇଥିଲା ଏହାକୁ କାର୍ଯ୍ୟକାରୀ କରିବାକୁ ଉପସ୍ଥିତ ଅଧିକାରୀମାନଙ୍କୁ ଉପଜିଲାପାଳ ଶର୍ମା ନିର୍ଦ୍ଧେଶ ଦେଇଥିଲେ । ବୈଠକରେ ଆଠଗଡ଼ ତହସିଲଦାର କ୍ଷେତ୍ରମୋହନ ସ୍ୱାଇଁ, ଉପଖଣ୍ଡ ଚିକିତ୍ସା ଅଧିକାରୀ ବିଜୟ କୁମାର ମିଶ୍ର, ବ୍ରହ୍ମପୁରର ସ୍ୱାସ୍ଥ୍ୟକେନ୍ଦ୍ର ମୁଖ୍ୟ ଦିଲ୍ଲୀପ ଦାସ, ଭାରପ୍ରାପ୍ତ ଥାନା ଅଧିକାରୀ ପରେଶ କୁମାର ମହାନ୍ତି, ସହକାରୀ ଜିଲାପାଳ ମାନସ ରଞ୍ଜନ ବେହେରା, ପୂଜକ ସମାଜ ପ୍ରମୁଖ ଉପସ୍ଥିତ ଥିଲେ । ଦେବୋତର ସୁପରଭାଇଜର ଭବାନୀ ଶଙ୍କର ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *