ଭୁବନେଶ୍ୱର,୨୨/୦୫/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଭୁବନେଶ୍ୱରର ଜୟଦେବବିହାରସ୍ଥିତ ଓଡିଶା ନଲେଜ କର୍ପୋରେଶନ ଲିମିଟେଡ୍ (ଓକେସିଏଲ୍) ମୁଖ୍ୟ କାର୍ଯ୍ୟାଳୟରେ ଡିଏଭି ବିଦ୍ୟାଳୟମାନଙ୍କର ଆଇସିଟି ଓ ପିଜିଟି ଶିକ୍ଷକମାନଙ୍କ ପାଇଁ ଏକ ଦିନିଆ “ଏଆଇ କ୍ୟାପାସିଟି ବିଲ୍ଡିଂ ୱର୍କଶପ୍” ଆୟୋଜିତ ହୋଇଥିଲା। ଏହି କର୍ମଶାଳାରେ ଓଡିଶାର ବିଭିନ୍ନ ଡିଏଭି ବିଦ୍ୟାଳୟରୁ ପ୍ରାୟ ୬୦ ଜଣ ଶିକ୍ଷକ ଅଂଶଗ୍ରହଣ କରିଥିଲେ।କାର୍ଯ୍ୟକ୍ରମକୁ ଓକେସିଏଲ୍ର ପରିଚାଳନା ନିର୍ଦ୍ଦେଶକ ଡ଼ଃ ମନୋରଞ୍ଜନ ପୁଥାଲ ଓ ଡିଏଭି ଚନ୍ଦ୍ରଶେଖରପୁରର ଅଧ୍ୟକ୍ଷା ତଥା ଆଞ୍ଚଳିକ ଅଧିକାରୀ ଡ଼ଃ ସୁଜାତା ସାହୁ ଉଦ୍ଘାଟନ କରିଥିଲେ।
ଉଦ୍ଘାଟନୀ ଅଭିଭାଷଣରେ ଡ଼ଃ ପୁଥାଲ ଦୈନନ୍ଦିନ ଜୀବନରେ କୃତ୍ରିମ ବୁଦ୍ଧିମତ୍ତା (AI) ର ଗୁରୁତ୍ୱ ଏବଂ ଶିକ୍ଷକମାନେ କିପରି ଏହାକୁ ଶିକ୍ଷାଦାନ ଓ ଦୈନନ୍ଦିନ କାର୍ଯ୍ୟରେ କ୍ରିୟାଶୀଳ ଭାବେ ପ୍ରୟୋଗ କରିପାରିବେ, ସେ ବିଷୟରେ ମତ ପ୍ରକାଶ କରିଥିଲେ। ଡ଼ଃ ସାହୁ ଶିକ୍ଷକମାନଙ୍କୁ ଯୁଗୋପଯୋଗୀ ହୋଇ ଆଧୁନିକ ଏଆଇ ଆଧାରିତ ଟୁଲ୍ଗୁଡିକର ବ୍ୟବହାର କରିବା ପାଇଁ ପରାମର୍ଶ ଦେବା ସହିତ ଏହାହିଁ ଏହି ପ୍ରଶିକ୍ଷଣ କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲେ।ଏହି ଅବସରରେ ଡିଏଭି ପବ୍ଲିକ ସ୍କୁଲ୍ ୟୁନିଟ୍–୮ ର ଅଧ୍ୟକ୍ଷା ତଥା ଏ.ଆର.ଓ. ଶ୍ରୀମତୀ ଇପ୍ସିତା ଦାସ, ଡିଏଭି ପବ୍ଲିକ ସ୍କୁଲ୍ ଭଦ୍ରକର ଅଧ୍ୟକ୍ଷ ଶ୍ରୀ କେ. ସି. ଦାସ ଏବଂ ଡିଏଭି ପବ୍ଲିକ ସ୍କୁଲ୍ ପାରାଦୀପ ପୋର୍ଟ ଟ୍ରଷ୍ଟର ଅଧ୍ୟକ୍ଷା ଶ୍ରୀମତୀ ଗୀତାଞ୍ଜଳି ହୋତା ଉପସ୍ଥିତ ଥିଲେ।
ପ୍ରଶିକ୍ଷଣ କର୍ମଶାଳାରେ ଓକେସିଏଲ୍ର ସିନିୟର ପ୍ରୋଜେକ୍ଟ ମ୍ୟାନେଜର ଡ଼ଃ ଅଂଶୁମାନ ସର ଓ ଶ୍ରୀ ସୁଶାନ୍ତ ଜେ. ଦାସ ତାଲିମ ପ୍ରଦାନ କରିଥିଲେ। ତାଲିମଦାତାମାନେ ଚାଟ୍ଜିପିଟି, ଜେମିନି ଏଆଇ, ନାପକିନ ଏଆଇ, ଗାମା ଓ ନୋଟବୁକ୍ ଏଲ୍ଏମ୍ ସହିତ ବିଭିନ୍ନ ପ୍ରଫେସନାଲ୍ ଏଆଇ ଟୁଲ୍ର ବ୍ୟବହାର ଉପରେ ପ୍ରଶିକ୍ଷଣ ଦେଇଥିଲେ। ଶିକ୍ଷକମାନେ ଏହି ଟୁଲ୍ଗୁଡିକ ମାଧ୍ୟମରେ କିପରି ପାଠ୍ୟସାମଗ୍ରୀ ପ୍ରସ୍ତୁତି, ପ୍ରେଜେଣ୍ଟେସନ୍ ତିଆରି, ଡାଟା ବିଶ୍ଳେଷଣ ଏବଂ ଛାତ୍ରଛାତ୍ରୀଙ୍କ ଶିକ୍ଷାକୁ ଆକର୍ଷଣୀୟ କରିପାରିବେ, ତାହା ଶିଖିଥିଲେ।କାର୍ଯ୍ୟକ୍ରମରେ ଶ୍ରୀ ତଡିତ ପରିଡା ଓକେସିଏଲ୍ ସମ୍ପର୍କରେ ଆଲୋକପାତ କରିଥିବାବେଳେ ଶ୍ରୀ ନୀଳାଦ୍ରି ବିହାରୀ ରାୟ ଅତିଥି ଓ ଅଂଶଗ୍ରହଣକାରୀମାନଙ୍କୁ କାର୍ଯ୍ୟକ୍ରମର ସାରାଂଶ ଓ ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇଥିଲେ।
ପ୍ରଶିକ୍ଷଣ ଶେଷରେ ଅଂଶଗ୍ରହଣକାରୀମାନଙ୍କ ପାଇଁ ପ୍ରଦାନ କରାଯାଇଥିବା ଶିକ୍ଷା ଉପରେ ଏକ ପରୀକ୍ଷା ଆୟୋଜନ କରାଯାଇଥିଲା। ପରେ ଓକେସିଏଲ୍ର ପରିଚାଳନା ନିର୍ଦ୍ଦେଶକ ଡ଼ଃ ମନୋରଞ୍ଜନ ପୁଥାଲ ସମସ୍ତ ଅଂଶଗ୍ରହଣକାରୀଙ୍କୁ ପ୍ରମାଣପତ୍ର ସହ ଓକେସିଏଲ୍ ଦ୍ୱାରା ବିକଶିତ “ଓଡିଶା ଏଆଇଆର୍ ମ୍ୟାପ୍” ପ୍ରଦାନ କରିଥିଲେ।ଏହି କର୍ମଶାଳା ଶିକ୍ଷକମାନଙ୍କୁ ଆଧୁନିକ ଏଆଇ ପ୍ରଯୁକ୍ତି ସହିତ ଯୋଡିବାରେ ଏକ ମାଇଲସ୍ଟୋନ୍ ସାବ୍ୟସ୍ତ ହୋଇଥିବାବେଳେ, ଭବିଷ୍ୟତରେ ଶିକ୍ଷା କ୍ଷେତ୍ରରେ ଏଆଇର ବ୍ୟାପକ ବ୍ୟବହାରକୁ ଆହୁରି ସୁଦୃଢ କରିବ ବୋଲି ମତ ପ୍ରକାଶ ପାଇଥିଲା। ପରିଶେଷରେ ଅଂଶଗ୍ରହଣକାରୀମାନେ କାର୍ଯ୍ୟକ୍ରମର ଭୁରି ପ୍ରଶଂସା କରିବା ସହିତ ଓକେସିଏଲ୍ର କର୍ମକର୍ତ୍ତାମାନଙ୍କୁ ଧନ୍ୟବାଦ ଜଣାଇଥିଲେ।
