ଘଟଗାଁ,୦୪/୧୦/୨୦୨୬(ଓଡିଶା ସମାଚାର)-କେନ୍ଦୁଝର ଜିଲ୍ଳାର ଅଧିଷ୍ଠାତ୍ରୀ ଦେବୀ ଘଟଗାଁ ମା ତାରିଣୀ ପୀଠର ପବିତ୍ରତା ଓ ଐତିହ୍ୟକୁ ଦୃଷ୍ଟିରେ ରଖି ଘଟଗାଁକୁ ସ୍ୱଚ୍ଛ ଓ ନିଶାମୁକ୍ତ କରି କିଭଳି ଅଧିକ ସରସ ସୁନ୍ଦର କରାଯାଇ ପାରିବ ଏ ନେଇ ସ୍ଥାନୀୟ ଅଞ୍ଚଳର ବରିଷ୍ଠ ନାଗରିକ,ମାନଙ୍କ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି । ପବିତ୍ର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ସ୍ଥାନୀୟ ବ୍ଲକ ଅଞ୍ଚଳର ଶତାଧିକ ବୁଦ୍ଧିଜୀବୀ ମାନଙ୍କୁ ନେଇ ଘଟଗାଁରେ ସାମାଜିକ ସଂସ୍କାରର ଆବଶ୍ୟକତା ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ।
ଏଠାକାର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ବିଶିଷ୍ଟ ଶିକ୍ଷାବିତ ବଟକୃଷ୍ଣ ନାଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ଘଟଗାଁ ଗୋଷ୍ଟୀ ଉନ୍ନୟନ ଅଧିକାରୀ ଖଗେଶ୍ୱର ବରାଳ, ସମ୍ମାନୀତ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟ ସୁରେନ୍ଦ୍ର କୁମାର ଜେନା, ଭାଗିରଥି ପୃଷ୍ଟି , କୁଳମଣି ମଣ୍ଡଳ ପ୍ରମୁଖ ଯୋଗ ଦେଇଥିଲେ । ଆଲୋଚନାରେ ମା ତାରିଣୀ ପୀଠ ଘଟଗାଁରେ ଥିବା ପ୍ରମୁଖ ସମସ୍ୟା ଗୁଡିକୁ ଦୂର କରାଯାଇ କିଭଳି ଅଧିକ ସରସ ସୁନ୍ଦର କରାଯାଇ ପାରିବ ସେ ସମ୍ପର୍କରେ ଆଲୋଚନା କରା ଯାଇଥିଲା। ଦଶହରା ପରେ ଆଉ ଏକ ବୈଠକ କରାଯାଇ ଏକ କମିଟି ଗଠନ ସହିତ ନାମ କରଣ କରାଯିବାର ସ୍ଥିର ହୋଇଛି। ଶିକ୍ଷାବିତ ପରମେଶ୍ୱର ବେହେରା ମଞ୍ଚ ସଂଚାଳନ କରିଥିବା ବେଳେ କାର୍ଯ୍ୟକ୍ରମରେ ସଦାଶିବ ସାହୁ, ସଂଜୀବ ସାହୁ, ରଶ୍ମିରଂଜନ ରାଉତ, ଦୟାନିଧି ମହାନ୍ତ,ଯତୀନ୍ଦ୍ର ବେଜ, ପୁର୍ଣଚନ୍ଦ୍ର ରାଉତ, ସନାତନ ସାହୁ ପ୍ରମୁଖ ସହଯୋଗ କରିଥିଲେ ।
