ଜଗତସିଂହପୁର,୨୨/୦୫/୨୦୨୬ (ଓଡ଼ିଶା ସମାଚାର)-ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ ଶ୍ରୀ ଶ୍ରୀ ବଳଦେବଜୀଉ ମହାପ୍ରଭୁଙ୍କ ବିଜେ ସିଦ୍ଧଳଠାରେ ଚଳିତ ବର୍ଷ ରଥଯାତ୍ରା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ଜେ ସୋନାଲ କହିଲେ, ଚଳିତ ବର୍ଷ ରଥଯାତ୍ରା ଶାନ୍ତି ଶୃଙ୍ଖଳା ଏବଂ ଉତ୍ସାହ ର ସହ ପାଳନ କରାଯିବ। ସମସ୍ତ ବିଭାଗୀୟ ଅଧିକାରୀ ନିଜ ନିଜ କାର୍ଯ୍ୟର ତଦାରଖ ନିମନ୍ତେ ରଥଯାତ୍ରା ର ସ୍ଥାନ କୁ ଯାଇ ସେଠାରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ ପୂର୍ବକ ସମସ୍ତ ଆନୁସଙ୍ଗିକ କାର୍ଯ୍ୟ ସମ୍ପାଦନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ରଥଯାତ୍ରା ପୂର୍ବରୁ ରଥ ନିର୍ମାଣ କାର୍ଯ୍ୟ ଯେପରି ସମ୍ପୂର୍ଣ୍ଣ ହୁଏ ସେଥିପ୍ରତି ଧ୍ୟାନ ଦେବାକୁ ମନ୍ଦିର ପରିଚାଳନା କମିଟି ଓ ବନାଞ୍ଚଳ ଅଧିକାରୀ ଦୃଷ୍ଟି ଦେବେ ।
ବନାଞ୍ଚଳ ଅଧିକାରୀ ରଥ ନିର୍ମାଣ ପାଇଁ କାଠ ଯୋଗାଇବେ। ମନ୍ଦିର ପୁଷ୍କରିଣୀ ର ଚତୁଃର୍ପାଶ୍ୱ ସଫା ଓ ପୁଷ୍କରିଣୀର ସୌନ୍ଦର୍ଯ୍ୟ କରଣ ପାଇଁ ଜିଲ୍ଲାପାଳ ଉପ ଜିଲ୍ଲାପାଳ ଓ ବିଡିଓ ଙ୍କୁ ଦାୟିତ୍ଵ ଦେଇଥିଲେ। ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଙ୍କ ତତ୍ୱାବଧାନ ରେ ଉପ ଜିଲ୍ଲାପାଳ ଓ ବିଡିଓ ଙ୍କୁ ଜିଲ୍ଲାପାଳ ଅସ୍ଥାୟୀ ଗ୍ରୀନ ରୁମ ନିର୍ମାଣ ପାଇଁ ଦାୟିତ୍ୱ ଦେଇଥିଲେ ଏବଂ ବୈଠକରେ ରଥ ନିର୍ମାଣ, ସିଦ୍ଧଳ ରୁ ପୁରୋହିତପୁର,ସିଦ୍ଧଳ ରୁ ଛେଳିଆଗଡ଼, ସିଦ୍ଧଳ ରୁ ଦିହସାହି ରାସ୍ତା ମରାମତି, ବଡଦାଣ୍ଡର ଉଭୟ ପାର୍ଶ୍ଵରେ ଆଲୋକ ବ୍ୟବସ୍ଥା , ପାନୀୟ ଜଳ ଯୋଗାଣ,ନଳକୂପ ମରାମତି,ଅଳିଆ ଆବର୍ଜ୍ଜନା ଓ ଚତୁଃପାର୍ଶ୍ଵ ପରିଷ୍କାର ପରିଚ୍ଛନ୍ନତା, ସାତଦିନ ବ୍ୟାପି ସାଂସ୍କୃତିକ କାର୍ଯ୍ୟକ୍ରମ,ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା, ଆଇନ୍ ଶୃ୍ଖଳା ଓ ଅଗ୍ନିଶମ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା ହୋଇଥିଲା।
ଏହି ବୈଠକରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଙ୍କିତ କୁମାର ବର୍ମା, ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ,ଜିଲ୍ଲା ପରିଷଦ ଶ୍ରୀ ଅକ୍ଷୟ ପିଲ୍ଲେ, ଉପ ଜିଲ୍ଲାପାଳ ଶ୍ରୀ ପ୍ରଶାନ୍ତ କୁମାର ତରାଇ, ବିଭାଗୀୟ ଅଧିକାରୀ, ଜିଲ୍ଲା ସ୍ତରୀୟ ଅଧିକାରୀ, କ୍ଷେତ୍ରୀୟ ଅଧିକାରୀ, ବଳଦେବଜିଉ ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତା ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ପ୍ରତିଚୀ ତନୟା ମହାନ୍ତି ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହ କାର୍ଯ୍ୟସୂଚୀ ଅନୁଯାୟୀ ଆଲୋଚନା କରିଥିଲେ। ବଳଦେବଜୀଉ ମନ୍ଦିର ପରିଚାଳନା କମିଟିର ସଦସ୍ୟ , ଶ୍ରୀ କାଳୀ କିଙ୍କର ଆଚାର୍ଯ୍ୟ, ଶ୍ରୀ ପ୍ରିୟନାଥ ରାୟ, ଶ୍ରୀ ରାମଚନ୍ଦ୍ର ଦାସ ଓ ମୁଦୁପୁରର ସରପଞ୍ଚ ଶ୍ରୀ ସିଦ୍ଧାର୍ଥ ଶଙ୍କର ରାୟ ପ୍ରମୁଖ ଉପସ୍ଥିତ ଥିଲେ। ବୈଠକ ଶେଷରେ ଉପ ଜିଲ୍ଲାପାଳ ସମସ୍ତଙ୍କର ସହଯୋଗ କାମନା କରିଥିଲେ।
