କେନ୍ଦ୍ରାପଡ଼ା, ୧୦/୦୭/୨୦୨୬ (ଓଡ଼ିଶା ସମାଚାର)-କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଗରାପୁର ଛକରୁ ଏସପିଙ୍କ କାର୍ଯ୍ୟାଳୟ ମଧ୍ୟରେ ଥିବା ହଳଦିଢିହ ନିକଟରେ ଏକ ସଡକ ଦୁର୍ଘଟଣାରେ ଦୁଇ ଜଣ ସାମ୍ବାଦିକ ଗୁରୁତର ଆହତ ହୋଇଛନ୍ତି । ସେମାନେ ହେଲେ ମନୋଜ କୁମାର ସ୍ୱାଇଁ ଓ ଉମାକାନ୍ତ ମହାପାତ୍ର ।
ସେହିପରି ଏହି ଦୁର୍ଘଟଣାରେ ଅନ୍ୟ ଜଣେ ବାଇକ ଆରୋହୀ ଜଝାଙ୍ଗ ନିକଟ ଖମାର କେଶପୁର ଗ୍ରାମର ଅଖିଳ କୁମାର ସାହୁ ଆହତ ହୋଇଛନ୍ତି । ଖବର ନେବାରୁ ଜଣାପଡିଛି ଶୁକ୍ରବାର ମଧ୍ୟାହ୍ଣ ପ୍ରାୟ ସାଢେ ୧୨ଟା ବେଳେ ଦୁଇ ଜଣ ସାମ୍ବାଦିକ ମନୋଜ ଓ ଉମାକାନ୍ତ କେନ୍ଦ୍ରାପଡ଼ା ସହରରୁ ଏସପିଙ୍କ କାର୍ଯ୍ୟାଳୟ ନିକଟ ଏକ ଗ୍ରାମକୁ ଖବର ସଂଗ୍ରହ ପାଇଁ ଯାଉଥିଲେ ।
ଏହି ସମୟରେ ପଛ ପଟୁ ଏକ ପିକ ଅପ୍ ଭ୍ୟାନ୍ ଅନ୍ୟ ଏକ ବାଇକ ଆରୋହୀ ଅଖିଳଙ୍କ ବାଇକଙ୍କୁ ପ୍ରଥମେ ଧକ୍କା ଦେଇଥିଲା । ଏହାଦ୍ୱାରା ଅଖିଳ ଭାରସାମ୍ୟ ହରାଇ ମନୋଜ ଚଳାଉଥିବା ବାଇକକୁ ପଛ ପଟୁ ଧକ୍କା ଦେଇଥିଲେ । ଫଳରେ ମନୋଜଙ୍କ ବାଇକ ତଳେ ପଡି ଯାଇଥିଲା । ଏହାଦ୍ୱାରା ଉଭୟ ମନୋଜ ଓ ଉମାକାନ୍ତ ଗୁରୁତର ଆହତ ହୋଇଥିଲେ । ସେହିପରି ଅଖିଳ ମଧ୍ୟ ତଳେ ପଡି ଗୁରୁତର ଆହତ ହୋଇଥିଲେ । ସମସ୍ତଙ୍କୁ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା ।
ଅଖିଳ ଓ ଉମାକାନ୍ତଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ସେମାନଙ୍କୁ କଟକ ବଡ଼ ଡାକ୍ତରଖାନା ପଠାଯାଇଛି । ଏକ ଗାଈ ପଶି ଯିବାରୁ ପିକ ଅପ ଭ୍ୟାନ୍ ଟି ଭାରସାମ୍ୟ ହରାଇ ଅଖିଳଙ୍କ ବାଇକକୁ ପିଟି ଦେଇଥିଲା । ଭୟରେ ପିକଅପ୍ ଭ୍ୟାନ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । ସଦର ଥାନା ପୋଲିସ ଘଟଣା ସ୍ଥଳରେ ପହଂଚି ଦୁର୍ଘଟଣା ଗ୍ରସ୍ତ ଦୁଇଟି ବାଇକ ଜବତ କରିଛି । ଫେରାର ପିକ ଅପ୍ ଭ୍ୟାନକୁ ଠାବ କରାଯିବ ବୋଲି ସଦର ଥାନାଧିକାରୀ ପଦ୍ମାଳୟା ପ୍ରଧାନ କହିଛନ୍ତି ।
