ମାନ ପରଖିଲେ ରାଜପଥ କର୍ତୃପକ୍ଷ
କେନ୍ଦ୍ରାପଡ଼ା, ୧୮/୦୫/୨୦୨୬ (ଓଡ଼ିଶା ସମାଚାର)- ୫୩ନମ୍ବର ଜାତୀୟ ରାଜପଥ ନିମ୍ନମାନର ନିର୍ମାଣ ହୋଇଥିବା ନେଇ ଅଭିଯୋଗ ହେବା ପରେ ରାଜପଥ କର୍ତୃପକ୍ଷ କେନ୍ଦ୍ରାପଡାରେ ପହଂଚି ରାସ୍ତାର ମାନ ପରଖିଛନ୍ତି । ଜାତୀୟ ରାଜପଥ ପ୍ରକଳ୍ପ ନିର୍ଦେଶକ ଦର୍ଶି ପ୍ରକାଶଙ୍କ ନେତୃତ୍ୱରେ ଏକ ୫ଜଣିଆ ଟିମ କେନ୍ଦ୍ରାପଡାରେ ପହଂଚିଥିଲେ । ଏହି ଟିମ ଦୁହୁରିଆ, ଶ୍ୟାମସୁନ୍ଦରପୁର, ଗୋପଛକ, ଛଘରିଆ ପ୍ରମୁଖ ସ୍ଥାନରେ ଯାଂଚ କରିଥିଲେ । ଶ୍ୟାମସୁନ୍ଦରପୁରରେ ପ୍ରାୟ ଦୁଇମାସ ତଳେ ଯେଉଁ ସ୍ଥାନରେ ରାସ୍ତା ଭୁଷୁଡି ପଡିଥିଲା ସେ ସ୍ଥାନ ଯାଂଚ କରିଥିଲେ । ଏହାସହ ଠିକାସଂସ୍ଥାକୁ ତାଗିଦ କରିଦେଇଥିଲେ ପରବର୍ତୀ ସମୟରେ ଯେପରି ଏଭଳି ଘଟଣାର ପୁନରାବୃତି ନହେବ । ଯଦି ଏଭଳି ଘଟଣାର ପୁନରାବୃତି ହୁଏ ତେବେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଥିଲେ ।
ହଜାର ହଜାର କୋଟି ଟଙ୍କାରେ ଚଣ୍ଡିଖୋଲରୁ ପାରାଦୀପ ପର୍ଯ୍ୟନ୍ତ ଜାତୀୟ ରାଜପଥ ନିର୍ମାଣ କରାଯାଉଥିବା ବେଳେ ଏହାର ମାନକୁ ନେଇ ବିଭିନ୍ନ ସଂଗଠନ ପକ୍ଷରୁ ଜିଲା ପ୍ରଶାସନ ଠାରୁ ଆରମ୍ଭ କରି ଜାତୀୟ ରାଜପଥ କର୍ତୃପକ୍ଷଙ୍କ ନିକଟରେ ବହୁବାର ଅଭିଯୋଗ କରିଛନ୍ତି । କେନ୍ଦ୍ରାପଡା ଯୁବ ସ୍ୱାଭିମାନ ମଂଚ ପକ୍ଷରୁ ସଭାପତି ସ୍ମୃତିରଞ୍ଜନ ଜେନା ଜାତୀୟ ରାଜପଥ କର୍ତୃପକ୍ଷ, ଆଂଚଳିକ କାର୍ଯ୍ୟାଳୟ,ଭୁବନେଶ୍ୱରଙ୍କ ନିକଟରେ ଅଭିଯୋଗ କରିଥିଲେ ଯେ ନିର୍ମାଣାଧିନ ଚଣ୍ଡିଖୋଲ-ପାରାଦୀପ ୫୩ନମ୍ବର ଜାତୀୟ ରାଜପଥର ଦୁହୁରିଆ ଛକ ନିକଟରେ ଅତ୍ୟନ୍ତ ନିମ୍ନମାନର ରାସ୍ତା ନିର୍ମାଣ କରାଯାଉଛି । ଫଳରେ ସେହି ନିର୍ମାଣାଧିନ ରାସ୍ତାର ବିଭିନ୍ନ ଅଂଶ ଫାଟି ଯାଉଥିବା ବେଳେ କେଉଁଠି ନିର୍ମାଣଧିନ ରାସ୍ତାର ଅଂଶ ଭୁଷୁଡି ପଡୁଛି । ଯାହାଦ୍ୱାରାକି ଏହି ରାସ୍ତାର ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହାଦ୍ୱାରା ଭବିଷ୍ୟତରେ ଏହି ରାସ୍ତାଦେଇ ଯିବା ସମୟରେ ଜନସାଧାରଣଙ୍କ ଧନଜୀବନ କ୍ଷୟକ୍ଷତି ହେବାର ଯଥେଷ୍ଟ ସମ୍ଭାବନା ରହିଛି ।
ଏହି ରାସ୍ତା ନିର୍ମାଣରେ ଅତ୍ୟନ୍ତ ନିମ୍ନମାନର ପଦାର୍ଥ ବ୍ୟବହାର କରାଯିବା ସହିତ ନିମ୍ନମାନର ନିର୍ମାଣ କାର୍ଯ୍ୟ ହେଥିବା ମଧ୍ୟ ଅଭିଯୋଗ ହୋଇଥିଲା । ଯେଉଁ ନିୟମ ଅନୁସରଣ କରି ଠିକାସଂସ୍ଥା ନିର୍ମାଣ କାର୍ଯ୍ୟ କରିବା କଥା ସେଥିରେ ସାଂଘାତିକ ଉଲଂଘନ କରାଯାଇଛି । କେବଳ ଠିକାସଂସ୍ଥା ଯେ ନିର୍ମାଣ କାର୍ଯ୍ୟରେ ଅବହେଳା କରିଛି ତାନୁହେଁ ନିର୍ମାଣ ଦାୟିତ୍ୱ ତଦାରଖ କରୁଥିବା ସରକାରୀ ସଂସ୍ଥାର ଅଧିକାରୀମାନେ ମଧ୍ୟ ନିଜର କର୍ତବ୍ୟ ସଠିକ ଭାବେ ସମ୍ପାଦନ କରୁନାହାନ୍ତି । ଯାହାର ଫଳ ସୂରୂପ ଜନତାଙ୍କ ଟିକସ ଅର୍ଥ ଅପବ୍ୟୟ ହେଉଛି । ସାଧାରଣ ଜନତାଙ୍କ ସ୍ୱାର୍ଥ ପାଇଁ ଆବଶ୍ୟକତା ଅନୁଯାୟି ମଞ୍ଜୁର ହୋଇଥିବା ସରକାରୀ ପାଣ୍ଠିରେ ଏହି ରାସ୍ତା ନିର୍ମାଣ ହେଉଥିବା ବେଳେ ସଂପୃକ୍ତ ଠିକାସଂସ୍ଥାର ଏଭଳି ବେପରୁଆ ତଥା ଦାୟୀତ୍ୱହୀନ ଭାବେ ରାସ୍ତା ନିର୍ମାଣ କରାଯିବା ଘଟଣାର ବିଧିବଦ୍ଧ ତଦନ୍ତ କରାଯାଇ ଏଥିନିମନ୍ତେ ଦାୟି ଅଧିକାରୀ ଓ ଠିକାସଂସ୍ଥା ବିରୁଦ୍ଧରେ ବିହୀତ ପଦକ୍ଷେପ ଗ୍ରହଣ କରାଯିବାକୁ ଯୁବ ସ୍ୱାଭିମାନ ମଂଚ ପକ୍ଷରୁ ଦାବି କରାଯାଇଥିଲା ।
ସେହି ଅଭିଯୋଗ ଅନୁଯାୟି ଜାତୀୟ ରାଜପଥ କର୍ତୃପକ୍ଷ ଆଂଚଳିକ କାର୍ଯ୍ୟାଳୟ ପକ୍ଷରୁ ଡେପୁଟୀ ଜେନେରାଲ ମ୍ୟାନେଜର(ଟେକନିକାଲ) ଅମିତ କୁମାର ଗୁପ୍ତା ଚଣ୍ଡିଖୋଲସ୍ଥିତ ଜାତୀୟ ରାଜପଥ କର୍ତୃପକ୍ଷ ପ୍ରକଳ୍ପ କାର୍ଯ୍ୟକାରୀ ୟୁନିଟର ପ୍ରକଳ୍ପ ନର୍ଦ୍ଧେଶକଙ୍କୁ ତୁରନ୍ତ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ନିର୍ଦେଶ ଦେଇଥିଲେ । ଏଥିସହିତ ସେହି ରାଜପଥର ଶ୍ୟାମସୁନ୍ଦରପୁର ନିକଟରେ ନିର୍ମାଣାଧିନ ରାସ୍ତା ପ୍ରାୟ ଦୁଇମାସ ତଳେ ହଠାତ ଭୁଷୁଡି ପଡିଥିଲା । ଏନେଇ ମଧ୍ୟ ରାଜପଥର୍ତୃର୍ପକ୍ଷଙ୍କ ନିକଟରେ ଅଭିଯୋଗ କରାଯାଇଥିଲା । ସେହି ଅଭିଯୋଗ ଗୁଡିକର ତଦନ୍ତ କରିବାକୁ ଚଣ୍ଡିଖୋଲସ୍ଥିତ ଜାତୀୟ ରାଜପଥ ପ୍ରକଳ୍ପ କାର୍ଯ୍ୟାଳୟ କର୍ତୃପକ୍ଷଙ୍କୁ ନିର୍ଦେଶ ପ୍ରଦାନ କରାଯାଇଥିଲା । ନିର୍ଦେଶ ପାଇବା ପରେ ଜାତୀୟ ରାଜପଥର ଚଣ୍ଡିଖୋଲସ୍ଥିତ ପ୍ରକଳ୍ପ କାର୍ଯ୍ୟାଳୟର ପ୍ରକଳ୍ପ ନିର୍ଦେଶକ ଦର୍ଶି ପ୍ରକାଶଙ୍କ ନେତୃତ୍ୱରେ ଏକ ୫ଜଣିଆ ଟିମ କେନ୍ଦ୍ରାପଡାରେ ପହଂଚି ଉଭୟ ଘଟଣାର ତନଖି କରିବା ସହ ମାନ ପରିଖିଥିଲେ । ଏହି ଟିମ ତାଙ୍କର ତଦନ୍ତ ରିପୋର୍ଟ ରାଜ୍ୟ ଜାତୀୟ ରାଜପଥ କର୍ତୃପକ୍ଷଙ୍କୁ ପ୍ରଦାନ କରିବା ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରକଳ୍ପ ନିର୍ଦେଶକ କହିଛନ୍ତି ।
