ଦୂଷିତ ପାନୀୟ ଜଳ ଯୋଗାଣ ଯୋଗୁ ଜଣ୍ଡିସ୍ ଆଶଙ୍କାରେ ଗ୍ରାମବାସୀ

ଗରଦପୁର,୧୭/୦୫/୨୦୨୬ (ଓଡ଼ିଶା ସମାଚାର)-ଗରଦପୁର ବ୍ଲକ ବେଡାରୀ ଗ୍ରାମରେ ଅବସ୍ଥାପିତ ପାନୀୟ ଜଳ ପ୍ରକଳ୍ପ ବୋରିଂ ପଏଣ୍ଟ ର ପାଣି ଦୂଷିତ ହୋଇଥିବାରୁ ଗ୍ରାମବାସୀଙ୍କୁ ଜଣ୍ଡିସ୍ ଭୟ ଘାରିଛି । ଏହି ଜଳ ଯୋଗାଣ ପ୍ରକଳ୍ପରୁ ପାନୀୟ ଜଳ ବେଡାରୀ, ସୋଲପାଟ ଓ କୁଳତୁଠୀ ଗ୍ରାମର ପ୍ରାୟ ୩ ଶହ ରୁ ଉଦ୍ଧ୍ୱର୍ ପରିବାର ବ୍ୟବହାର କରୁଛନ୍ତି । ବିଶେଷ କରି ଏହି ଗ୍ରାମରେ ଲୋକମାନଙ୍କ ଦ୍ୱାରା ନିର୍ମିତ ବ୍ୟକ୍ତିଗତ ନଳକୂପ ରୁ ଲୁଣିଆ ପାଣି ବାହାରୁଥିବାରୁ ଲୋକମାନେ ସରକାରଙ୍କ ଦ୍ୱାରା ପାଇପ୍ ଯୋଗେ ଯୋଗାଇ ଦିଆଯାଉଥିବା ପାନୀୟ ଜଳଯୋଗାଣ ଓ ଗଭୀର ନଳକୂପ ଉପରେ ନିର୍ଭର କରିଥାନ୍ତି ।

ଗ୍ରାମରେ ଆବଶ୍ୟକୀୟ ଗଭୀର ନଳକୂପ ନଥିବାରୁ ସୁବିଧା ନିମନ୍ତେ ପାଇପ୍ ଦ୍ୱାରା ଯୋଗାଣ କରାଯାଉଥିବା ପାନୀୟ ଜଳ ଉପରେ ଲୋକମାନେ ନିର୍ଭରଶୀଳ । ପାଇପ୍ ଦ୍ୱାରା ଯେଉଁ ପାନୀୟଜଳ ଯୋଗାଣ କରାଯାଉଛି, ତାହା ସକାଳେ ୨ ଘଂଟା ଓ ଅପରାହ୍ନରେ ୧ ଘଂଟା ଯୋଗାଣ କରାଯାଉଥିବାରୁ ଲୋକେ ସେହି ପାଣିକୁ ରଖି ପାନୀୟ ଜଳ ରୂପେ ବ୍ୟବହାର କରିଥାଆନ୍ତି । ତେବେ ବୋରିଂ ପଏଣ୍ଟ ସ୍ଥାନ ଢଳେଇ କରାଯାଇନଥିବାରୁ ସେଠାରେ ସର୍ବଦା ପାଣି ଭରି ରହି ଅନାବନା ଗଛ ଭରପୂର ହୋଇରହୁଛି । ଏହି ଅପରିଷ୍କାର ସ୍ଥାନରେ ସରିସୃପମାନେ ବାସ କରିବା ସହିତ ଏକ ଆବର୍ଜନାମୟ ପରିବେଶ ସୃଷ୍ଟି କରୁଛି । ଏପରିକି ବୋରିଂ ସ୍ଥାନରେ ନିର୍ଗତ ହେଉଥିବା ପାଣି ଝରଣାର ଭ୍ରମ ସୃଷ୍ଟି କରିବା ସହିତ ପୁନର୍ବାର ଭୂତଳଗାମୀ ହେଉଛି । ଆହୁିମଧ୍ୟ ବିଭିନ୍ନ ସ୍ଥାନରେ ପାଇପ୍ ଫାଟି ପାଣି ଲିକ୍ ହେବା ଏବଂ ଟ୍ୟାପ୍ ନଥିବାରୁ ପାଣି ଯୋଗାଣ ବନ୍ଦ ଥିବା ସମୟରେ ସେହି ପାଇପ୍ ବାଟେ ବିଭିନ୍ନ ପୋକ ଯୋକ ଯାଇ ଲୋକଙ୍କ ଘର ପାନୀୟଜଳରେ ବାହାରୁଛନ୍ତି ।

ଏପରିକି ଫଟା ପାଇପ୍ ଓ ଟ୍ୟାପ ନଥିବା ସ୍ଥାନରୁ ଅନବରତ ପାଣି ନିର୍ଗତ ହୋଇ ନଷ୍ଟ ହେଉଥିଲେ ମଧ୍ୟ ମରାମତି କରିବାକୁ ବିଭାଗର ନିଘା ନାହିଁ । ଏହି ପାଇପ୍ ପାଣିକୁ ଘରେ କିଛି ସମୟ ରଖିବା ପରେ ସେଥିରେ ସିଉଳି ପଡିଯାଉଥିବା ପରିଲକ୍ଷିତ ହେଉଥିବାବେଳେ ଛୋଟ ଛୋଟ ପୋକ ବାହାରୁଥିବାରୁ ଲୋକେ ଅସନ୍ତୋଷ ପ୍ରକାଶ କରୁଛନ୍ତି । ସରକାର ଜନସାଧାରଣଙ୍କୁ ୨୪ ଘଂଟା ପାନୀୟ ଜଳ ଯୋଗାଇବା ଲକ୍ଷ୍ୟରେ ଏଠାରେ ଏକ ଉଚ୍ଚ ପାନୀୟଜଳ ଟାଙ୍କି ନିର୍ମାଣ କରିଛନ୍ତି । କିନ୍ତୁ ଏହି ଉଚ୍ଚ ପାଣି ଟାଙ୍କି ଏପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯାଉନଥିବାରୁ ତାହା କାହା ସ୍ୱାର୍ଥରେ ନିର୍ମାଣ କରାଯାଇଛି, ବୋଲି ପ୍ରଶ୍ନ ଉଠିଛି । ବର୍ତମାନ ସଂକ୍ରମିତ ପାନୀୟ ଜଳ ପାଇଁ ବିଭିନ୍ନ ସ୍ଥାନରେ ଜଣ୍ଡିସ ବ୍ୟାପୁଥିବା ଶୁଣାଯାଉଥିବାବେଳେ ଏହି ଦୂଷିତ ଜଳ ଗ୍ରାମବାସୀମାନେ ପିଉଥିବାରୁ ଲୋକମାନଙ୍କ ମନରେ ଜଣ୍ଡିସ ଭୟ ଘାରିଛି । ଏନେଇ ଜନସାଧାରଣ ବିଭାଗୀୟ ଅଧିକାରୀମାନଙ୍କ ଦୃଷ୍ଟି ଆକର୍ଷଣ କଲେ ମଧ୍ୟ ଅଧିକାରୀମାନେ ଉକ୍ତ ସ୍ଥାନକୁ ଯାଇ ତଦାରଖ କରୁନଥିବା ଅଭିଯୋଗ ହେଉଛି । ପାନୀୟ ଜଳକୁ ନେଇ କୌଣସି ଅଘଟଣ ଘଟିବା ପୂର୍ବରୁ ବିଭାଗୀୟ ଅଧିକାରୀମାନେ ତୁରନ୍ତ ସମସ୍ୟା ସମାଧାନ କରିବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *