ଜାତୀୟ ପଞ୍ଚାୟତ ପୁରସ୍କାର ସମ୍ପର୍କରେ ତଥ୍ୟ ସ୍ପଷ୍ଟୀକରଣ –  ଚଳିତ ବର୍ଷ ‘ନାନଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ଶତତ ବିକାଶ ପୁରସ୍କାର’ ବର୍ଗରେ ଗଞ୍ଜାମ ଜିଲ୍ଲା ପରିଷଦକୁ ସମ୍ମାନ

ଭୁବନେଶ୍ୱର,୧୭/୦୫/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଚଳିତ ବର୍ଷର ଜାତୀୟ ପଞ୍ଚାୟତ ପୁରସ୍କାର ସମ୍ପର୍କରେ କିଛି ଗଣମାଧ୍ୟମରେ ପ୍ରକାଶିତ ଖବରରେ ତଥ୍ୟଗତ ତ୍ରୁଟି ପରିଲକ୍ଷିତ ହୋଇଛି । ଏହି ପରିପ୍ରେକ୍ଷୀରେ ସ୍ପଷ୍ଟ କରାଯାଉଛି ଯେ, “ନାନଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ଶତତ ବିକାଶ ପୁରସ୍କାର” ବର୍ଗରେ ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ପରିଷଦ ଦେଶରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି । ଉଲ୍ଲେଖଯୋଗ୍ୟ ଯେ, ପୂର୍ବବର୍ଷ କୋରାପୁଟ ଜିଲ୍ଲା ଏହି ସମ୍ମାନ ଲାଭ କରିଥିଲା ।

ଚଳିତ ବର୍ଷ ଜାତୀୟ ପଞ୍ଚାୟତ ପୁରସ୍କାର ପାଇଁ ଓଡ଼ିଶାର ୫ ଟି ପଞ୍ଚାୟତ ମନୋନୀତ ହୋଇଅଛି | ଆସନ୍ତା ଜୁନ୍ ମାସ ୩ ତାରିଖରେ ନୂଆଦିଲ୍ଲୀଠାରେ ଏହି ସବୁ ପୁରସ୍କାର ବିତରଣ କରାଯିବ |

ଦୀନ ଦୟାଲ ଉପାଧ୍ୟାୟ ପଞ୍ଚାୟତ ଶତତ ବିକାଶ ପୁରସ୍କାର ବର୍ଗରେ:

ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅଧୀନସ୍ଥ ପୋଟଲାମପୁର ଗ୍ରାମ ପଞ୍ଚାୟତ ସୁସ୍ଥ ଗ୍ରାମପଞ୍ଚାୟତ ଭାବରେ ଦେଶରେ ଯୁଗ୍ମ ତୃତୀୟ ସ୍ଥାନ ଅଧିକାର କରିଛି | ଏହି ପଞ୍ଚାୟତକୁ ୨୫ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ |

ପର୍ଯ୍ୟାପ୍ତ ଜଳ ଉପଲବ୍ଧ ଗ୍ରାମପଞ୍ଚାୟତ ବର୍ଗରେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକର ପଡୁଆ ଗ୍ରାମପଞ୍ଚାୟତ ସର୍ବଭାରତୀୟ ସ୍ତରରେ ତୃତୀୟ ସ୍ଥାନ ଅଧିକାର କରିଅଛି | ଏହି ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କା ଅର୍ଥରାଶି ମିଳିବ |

ସୁନ୍ଦରଗଡ ଜିଲ୍ଲା ଲାଠିକଟା ବ୍ଲକର ହାତୀବନ୍ଧା ଗ୍ରାମପଞ୍ଚାୟତ ସ୍ୱଚ୍ଛ ଓ ସବୁଜ ଗ୍ରାମପଞ୍ଚାୟତ ବର୍ଗରେ ଦେଶରେ ଯୁଗ୍ମ ଭାବେ ଦ୍ୱିତୀୟ ସ୍ଥାନ ଅଧିକାର କରିଅଛି | ଏହି ପଞ୍ଚାୟତକୁ ୩୭ ଲକ୍ଷ ୫୦ ହଜାର ଟଙ୍କାରେ ପୁରସ୍କୃତ କରାଯିବ |

ସେହିପରି ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅଧୀନସ୍ଥ ମନ୍ଦାର ଗ୍ରାମପଞ୍ଚାୟତ ସାମାଜିକ ଭାବେ ସୁରକ୍ଷିତ ଓ ସାମାଜିକ ନ୍ୟାୟସଙ୍ଗତ ଗ୍ରାମପଞ୍ଚାୟତ ବର୍ଗରେ ଦେଶରେ ଯୁଗ୍ମ ଦ୍ୱିତୀୟ ସ୍ଥାନ ଅଧିକାର କରିଅଛି | ଏହି ପଞ୍ଚାୟତକୁ ୩୭ ଲକ୍ଷ ୫୦ ହଜାର ଟଙ୍କାର ଅର୍ଥରାଶି ମିଳିବ |

ନାନଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ଶତତ ବିକାଶ ପୁରସ୍କାର ବର୍ଗରେ ଗଞ୍ଜାମ ଜିଲ୍ଲା ପରିଷଦ ଦେଶରେ ଦ୍ୱିତୀୟ ସ୍ଥାନ ଅଧିକାର କରିଅଛି | ଏହି ଜିଲ୍ଲା ପରିଷଦକୁ ୩ କୋଟି ଟଙ୍କା ମିଳିବ |

Leave a Reply

Your email address will not be published. Required fields are marked *