ସୁନ୍ଦରଗଡ଼, ୧୭/୦୫/୨୦୨୬ (ଓଡ଼ିଶା ସମାଚାର)-ସୁନ୍ଦରଗଡ଼ ସହରର ପ୍ରତିଷ୍ଠିତ କୋଇଲା ପରିବହନ ବ୍ୟବସାୟୀ ସଞ୍ଜୟ ନନ୍ଦ (ପିଲୁ)ଙ୍କ ବାସଭବନ ଉପରକୁ ଶନିବାର ବିଳମ୍ବିତ ରାତିରେ ଗୁଳିମାଡ଼ ହୋଇଛି। କେଉଁ କାରଣରୁ ଏହି ଗୁଳିମାଡ଼ ହୋଇଛି ତାହା ସ୍ପଷ୍ଟ ଜଣାପଡ଼ି ନଥିଲେ ମଧ୍ୟ, ଦୁର୍ବୃତ୍ତମାନେ ବାଇକ୍ ଓ କାର୍ରେ ଆସି ରାତି ପ୍ରାୟ ୧ଟା ୩୦ ମିନିଟ୍ରେ ଏହି କାଣ୍ଡ ଭିଆଇଥିବା ସଦର ଏସଡିପିଓ (SDPO) ନିର୍ମଳ ମହାପାତ୍ର ସୂଚନା ଦେଇଛନ୍ତି। ତେବେ ଏହି ଗୁଳିମାଡ଼ରେ କାହାରି କୌଣସି କ୍ଷତି ହୋଇନାହିଁ।
ସୂଚନା ଅନୁସାରେ, ଶନିବାର ରାତି ପ୍ରାୟ ୧୨ଟା ୩୦ ମିନିଟ୍ ସମୟରେ କିଛି ଯୁବକ ବାଇକ୍ରେ ଆସି ପିଲୁ ନନ୍ଦଙ୍କ ବାସଭବନ ଆଗରେ ପ୍ରବଳ ପାଟିତୁଣ୍ଡ କରିଥିଲେ। କୋଇଲା ପରିବହନରେ ନିୟୋଜିତ ତାଙ୍କ ଟ୍ରକଗୁଡ଼ିକୁ କୋଇଲା ଖଣିରେ କାହିଁକି କଳା ତାଲିକାଭୁକ୍ତ (Blacklisted) କରାଯାଇଛି, ସେ ନେଇ ଯୁବକମାନେ ଉତ୍ତେଜନା ପ୍ରକାଶ କରିଥିଲେ। ଏହି କଳା ତାଲିକା ନହଟିଲେ ପିଲୁ ନନ୍ଦଙ୍କୁ ଅପହରଣ କରି ଜୀବନରେ ମାରିଦେବେ ବୋଲି ସେମାନେ ଧମକ ଦେଇଥିଲେ। ଏହି ସମୟରେ ଘରେ ନିୟୋଜିତ ସୁରକ୍ଷା କର୍ମୀଙ୍କ ସହ ଉକ୍ତ ଯୁବକମାନଙ୍କର ପ୍ରବଳ ଯୁକ୍ତିତର୍କ ହୋଇଥିଲା। ଏହାର କିଛି ସମୟ ପରେ ଦୁର୍ବୃତ୍ତମାନେ ଘର ଉପରକୁ ଗୁଳିମାଡ଼ କରି ସେଠାରୁ ଫେରାର ହୋଇଯାଇଥିଲେ।
ଗୁଳିମାଡ଼ ପରେ ଟାଉନ ଥାନାର ପାଟ୍ରୋଲିଂ ପୋଲିସ ଗାଡ଼ି ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ପରେ ସାଇଣ୍ଟିଫିକ ଟିମ୍ ସହ ପୋଲିସର ବରିଷ୍ଠ ଅଧିକାରୀମାନେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ଏବଂ ଘଟଣାସ୍ଥଳରୁ ଗୋଟିଏ ବ୍ୟବହୃତ ଗୁଳିର ଖୋକା ଜବତ କରାଯାଇଛି। କୋଇଲା ପରିବହନକୁ ନେଇ ରହିଥିବା ଏହି ବିବାଦରୁ ହିଁ ଗୁଳିମାଡ଼ ହୋଇଥିବା ପୋଲିସ ପ୍ରାଥମିକ ସନ୍ଦେହ କରୁଛି।
