ଟାଟା ପାୱାରର ଜିଜିଆ କର ପ୍ରତ୍ୟାହାର ଦାବିରେ ଓଇଆରସିକୁ ସ୍ମାରକ ପତ୍ର ଦେଲା ବିଦୁ୍ୟତ୍ ଉପଭୋକ୍ତା ମହାସଂଘ

ଭୁବନେଶ୍ୱର,୧୬/୧୨/୨୦୨୫ (ଓଡ଼ିଶା ସମାଚାର)- ଟିପିସିଓଡିଏଲ୍ ଟାଟା ପାୱାର ପକ୍ଷରୁ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବିଦୁ୍ୟତ୍ ଉପଭୋକ୍ତାମାନଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା (ଏ.ଏସ୍.ଡି) ଆଦାୟ ପାଇଁ ଡିମାଣ୍ଡ ନୋଟିସ୍ ପଠାଯାଇଛି । ନୋଟିସ୍ ପାଇବାର ୩୦ ଦିନ ମଧ୍ୟରେ ଯଦି କୌଣସି ଗ୍ରାହକ ଅତିରିକ୍ତ ସୁରକ୍ଷା ଜମାରାଶି ପଇଠ ନ କରନ୍ତି, ତେବେ ୨୦୧୯ ବିଦୁ୍ୟତ୍ ଯୋଗାଣ ଆଇନ ଅନୁଯାୟୀ ତାଙ୍କ ଠାରୁ ଶତକଡ଼ା ୧୦ ଟଙ୍କା ସୁଧରେ ଜୋରିମାନା ଆଦାୟ କରାଯିବ । ଜୋରିମାନା ଦେବାକୁ ଅସମର୍ଥ ହେଲେ ସେହି ଗ୍ରାହକଙ୍କ ବିଜୁଳି ଲାଇନ କାଟି ଦିଆଯିବ ବୋଲି ଏହି ନୋଟିସ୍ ରେ କୁହାଯାଇଛି । ହ୍ୱାଟ୍ସଆପ ମାଧ୍ୟମରେ ଟାଟା ପାୱାର ଟିପିସିଓଡିଏଲ ଗ୍ରାହକମାନଙ୍କୁ ତୁରନ୍ତ ଏହି ଜମାରାଶି ପଇଠ କରିବା ପାଇଁ ମେସେଜ ଦେବାରେ ଲାଗିଛି । ଟାଟା ପାୱାରର ଏହି ଜିଜିଆକର ଗ୍ରାହକ ମହଲରେ ଅସନ୍ତୋଷ ସୃଷ୍ଟି କରିଛି ।

ଆଇନର ନାଲିଆଖି ଦେଖାଇ ଜୋରିମାନା ଆଦାୟ କରିବା ଓ ଜୋରିମାନା ପଇଠ ନକଲେ ଲାଇନ କାଟିଦେବାର ଧମକ ଯୋଗୁଁ ଜନ ଆନ୍ଦୋଳନ ହେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ । ମଙ୍ଗଳବାର ଟାଟା ପାୱାରର ଅତିରିକ୍ତ ସୁରକ୍ଷା ଜମାରାଶି ନୋଟିସ ପ୍ରତ୍ୟାହାର ଦାବି କରି ଓଡ଼ିଶା ରାଜ୍ୟ ବିଦୁ୍ୟତ୍ ଉପଭୋକ୍ତ ମହାସଂଘ ପକ୍ଷରୁ ଏକ ପ୍ରତିନିଧି ଦଳ ଓଡ଼ିଶା ରାଜ୍ୟ ବିଦୁ୍ୟତ୍ ନିୟାମକ ଆୟୋଗ ଅଧ୍ୟକ୍ଷକଙ୍କ ଉଦ୍ଧେଶ୍ୟରେ ଆୟୋଗର ସଚିବ ପ୍ରିୟବ୍ରତ ପଟ୍ଟନାୟକଙ୍କ ଜରିଆରେ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ଏହି ଦାବିପତ୍ରରେ ମହାସଂଘ ପକ୍ଷରୁ ପ୍ରକାଶ କରାଯାଇଛି ଯେ, ଅତିରିକ୍ତ ସୁରକ୍ଷା ଜମାରାଶି ସାଧାରଣ ଗ୍ରାହକଙ୍କ ପାଇଁ ଟାଟା ପାୱାରର ଜିଜିଆକର ସଦୃଶ । ଏହାକୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ଓଇଆରସି ପକ୍ଷରୁ ନିର୍ଦେଶ ଦେବାକୁ ମହାସଂଘ ଦାବି କରିଛି । ପୁନଶ୍ଚ ମହାସଂଘ ପକ୍ଷରୁ କୁହାଯାଇଛି ଯେ, ଆଜକୁ ୩୦ ବର୍ଷ ତଳେ ୧୯୯୪-୯୫ ମସିହାରେ ରାଜ୍ୟରେ ବିଦୁ୍ୟତ୍ ସଂସ୍କାର ଆରମ୍ଭ ହୋଇଥିଲା । ସାଧାରଣ ଖାଉଟିଙ୍କୁ ସରକାର ପ୍ରତିଶ୍ରୁତି ଦେଇଥିଲେ ଏହି ସଂସ୍କାର ଫଳରେ ରାଜ୍ୟବାସୀ ଶସ୍ତା ଓ ସୁଲଭ ମୂଲ୍ୟରେ ନିରବଚ୍ଛିନ୍ନ ଓ ଗୁଣାତ୍ମକ ବିଜୁଳି ସେବା ପାଇପାରିବେ ।

କିନ୍ତୁ ଦୁଃଖର କଥା ବିଜୁଳି ଆଜି କମ୍ପାନୀମାନଙ୍କ ପାଇଁ ଏକ ଲେଉଟିଆ କିଆରି ହୋଇଛି । ଓଡ଼ିଶାବାସୀଙ୍କ ଠାରୁ ପାଖାପାଖି ୨ହଜାର କୋଟିରୁ ଅଧିକ ଟଙ୍କା ଲୁଟ୍ କରି ଆମେରିକା କମ୍ପାନୀ ଏ.ଇ.ଏସ୍ ଓଡ଼ିଶା ଛାଡ଼ିଲା । ସରକାର ଏ.ଇ.ଏସ୍.କୁ କିଛି କଲେ ନାହିଁ । ରିଲାଏନ୍ସ ପାୱାର ମଧ୍ୟ ଦୀର୍ଘ ୧୫ ବର୍ଷ ଧରି ଓଡ଼ିଶାବାସୀଙ୍କୁ ଲୁଟ୍ କରି ୬ ହଜାର କୋଟିରୁ ଅଧିକ ଟଙ୍କା ଲୁଟ୍ କରି ଓଡ଼ିଶା ଛାଡ଼ିଲା, ସରକାର କିଛି କଲେ ନାହିଁ । ପୁଣି ଦିନ ଦ୍ୱିପ୍ରହରରେ ଗ୍ରାହକଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ୨୦୨୦ ମସିହାରୁ ଟାଟା ପାୱାର ହାତରେ ଓଡ଼ିଶାର ୧ କୋଟି ଗ୍ରାହକଙ୍କୁ ଲୁଟିବା ପାଇଁ ସରକାର ଛାଡ଼ି ଦେଇଛନ୍ତି । ଆଜି ତାର ପରିଣାମ ଭୋଗୁଛନ୍ତି ଓଡ଼ିଶାବାସୀ । ବିଭିନ୍ନ ଆଳ ଦେଖାଇ, ଆଇନର ଧମକ ଦେଇ ଟାଟା ପାୱାର ସାଧାରଣ ଗ୍ରାହକଙ୍କୁ ଲୁଟ କରୁଛି ଏବଂ ତାଙ୍କର ବିଜୁଳି ଲାଇନ କାଟି ଦେଉଛି । କିନ୍ତୁ ୬ ହଜାରରୁ ଉଦ୍ଧ୍ୱର୍ କୋଟି ଟଙ୍କା ବାକିଆ ପଡ଼ିଥିବା ସତ୍ୱେ ସେଥିପାଇଁ କୌଣସି ପଦକ୍ଷେପ ନିଆଯାଉ ନାହିଁ । ଏଭଳିକି ଜାତୀୟ ହାର ଠାରୁ ଅଧିକ ଦାମ ଦେଇ ଓଡ଼ିଶାର ବିଜୁଳି ଗ୍ରାହକମାନେ ବିଜୁଳି କିଣୁଥିଲା ବେଳେ ଓଇଆରସି ଓ ଓଡ଼ିଶା ସରକାର ନୀରବଦ୍ରଷ୍ଟା ସାଜିଛନ୍ତି । ସ୍ମାର୍ଟ ମିଟର ନାଁରେ ଗ୍ରାହକଙ୍କୁ ଅଧିକ ବିଜୁଳି ବିଲ୍ ଦେବାକୁ ହେଉଛି ।

ସରବରାହ ଜନିତ କ୍ଷତି ଜାତୀୟସ୍ତରରେ ୧୬ ପ୍ରତିଶତ ଥିଲାବେଳେ ଓଡ଼ିଶାରେ ଏଟିସି ଲସ୍ ୧୯.୫୩ ପ୍ରତିଶତ । କମ୍ପାନୀମାନଙ୍କର ଦୁର୍ନୀତି ଓ ଅପରାଗତା ଯୋଗୁଁ ଏ ବାବଦରେ ବର୍ଷକୁ ହାରାହାରି ୭୫୦ କୋଟି ଟଙ୍କାର ଅଧିକ ବୋଝ ବୋହୁଛନ୍ତି ଉପଭୋକ୍ତା । ଓଡ଼ିଶାରେ ଓଡ଼ିଆ ସରକାରୀ ଭାଷା ହୋଇଥିବା ସତ୍ୱେ ବିଜୁଳି ବିଲ୍ କିନ୍ତୁ ଇଂରାଜୀରେ ଦିଆଯାଉଛି ଯାହା ସାଧାରଣ ଖାଉଟି ବୁଝିବା ପାଇଁ ଅସମର୍ଥ । ଏହିସବୁ ଦାବି ନେଇ ଓଡ଼ିଶା ରାଜ୍ୟ ବିଦୁ୍ୟତ୍ ଉପଭୋକ୍ତା ମହାସଂଘ ପକ୍ଷରୁ ଅଧ୍ୟକ୍ଷ ଶ୍ରୀ ପଂଚାନନ କାନୁନଗୋ, ସମ୍ପାଦକ ରବି ବେହେରା, ବରିଷ୍ଠ ସାମ୍ବାଦିକ ରବି ଦାସ, ବରିଷ୍ଠ ଟ୍ରେଡ ୟୁନିୟନ ନେତା କିଶୋର ଜେନା, ପ୍ରକାଶ ମହାପାତ୍ର, ସପିଆଇଏମ୍ଏଲ ନେତା ମହେନ୍ଦ୍ର ପରିଡ଼ା, ସିପିଆଇ ଏମଏଲ୍ ରେଡ଼ଷ୍ଟାର ନାରୀନେତ୍ରୀ ପ୍ରମିଳା, ଫରୱାର୍ଡ଼ ବ୍ଲକ ସମ୍ପାଦକ ଜ୍ୟୋତିରଞ୍ଜନ ମହାପାତ୍ର ପ୍ରମୁଖ ଏକ ପ୍ରତିନିଧି ଦଳ ଓଇଆରସି ସଚିବ ପ୍ରିୟବ୍ରତ ପଟ୍ଟନାୟକଙ୍କୁ ଭେଟି ଏହି ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଓଇଆରସି କର୍ତୃପକ୍ଷ ଏହା ଉପରେ ବିଚାର କରି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏବଂ ଅତିରିକ୍ତ ଜମା ସୁରକ୍ଷା ରାଶି ସଂକ୍ରାନ୍ତ ନୋଟିସ୍ ପ୍ରତ୍ୟାହାର ପାଇଁ ଟାଟା ପାୱାରକୁ ନିର୍ଦ୍ଧେଶ ଦେବାକୁ ଉପଭୋକ୍ତା ମହାସଂଘ ଆଶା ପ୍ରକାଶ କରିଛି ।

Leave a Reply

Your email address will not be published. Required fields are marked *