ପେଷାଦାର ଲୁଟେରା ଗ୍ୟାଙ୍ଗ ର ୫ ଗିରଫ;ଲୁଟ୍ ଅଳଙ୍କାର ଜବତ

ଫୁଲନଖରା ୨୮/୧୨/୨୦୨୩ (ଓଡ଼ିଶା ସମାଚାର)-କଟକ ସଦର ଥାନା ପୋଲିସ ଦୁଇଟି ପୃଥକ ପୃଥକ ମାମଲାରେ ୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଜାତୀୟ ରାଜପଥ ଉପରେ ୧୦ଦିନ ବ୍ୟବଧାନରେ ଲୁଟେରାମାନେ ୪ଟି ଲୁଟ କରିଥିଲେ । ଫୁଲନଖରା ନିକଟସ୍ଥ ଜାତୀୟ ରାଜପଥରେ ଗତ ୧୩ ତାରିଖରେ ୨ଟି, ୧୯ ଓ ୨୩ ତାରିଖରେ ଗୋଟିଏ ଲେଖାଏ ରାହଯାନି ହୋଇଥିବାର ସଦର ଥାନାରେ ମାମଲା ରୁଜୁ ହୋଇଥିଲା । କଟକ ସଦରଥାନା ପୋଲିସ ତଦନ୍ତ କରି ୪ଜଣ ଲୁଟେରାଙ୍କ ସହିତ ଜଣେ ନାବାଳକକୁ ଧରିବାରେ ସକ୍ଷମ ହୋଇଛି । ସେମାନେ ହେଲେ ଶୁଭ୍ରାଂଶୁ ପରିଡା, ଅନିକେତ ବଳବନ୍ତରାୟ ଓରଫ ଚିନୁ, ସାଗର ପୁନ ଓରଫ ଗୁଲୁ, ଗୁଡନେସ୍ ନାୟକ ଓରଫ ଗୁଡୁ । ଏହି ଲୁଟେରା ମାନେ ସକାଳ ୧୧ଟା ରୁ ଦିନ ୨ଟା ମଧ୍ୟରେ କଟକ ଭୁବନେଶ୍ୱର ରାସ୍ତାରେ ଯାଉଥିବା ଲୋକମାନଙ୍କୁ ଟାର୍ଗେଟ କରୁଥିଲେ । ପୋଲିସ ସେମାନଙ୍କଠାରୁ ୫ଲକ୍ଷ ଟଙ୍କାରୁ ଉଦ୍ଧ୍ୱର୍ ଟଙ୍କାର ଅଳଙ୍କାର ସହିତ ଏକ ପଲସର୍ ବାଇକ୍, ୪ଟି ମୋବାଇଲ୍ ଫୋନ୍ ଓ ୨ଟି ହେଲମେଟ୍ ଜବତ କରିବାରେ ସକ୍ଷମ ହୋଇଛି । ପାହାଳ ଥାନା ଅଂଚଳରେ ଜଣେ ମହିଳାଙ୍କଠାରୁ ଚୋରି ହୋଇଥିବା ସୁନା ହାର ଏହି ଗ୍ୟାଙ୍ଗ ନିକଟରୁ ଜବତ ହୋଇଛି । ଉକ୍ତ ପେଷାଦାର ଲୁଟେରା ମାନଙ୍କ ନାମରେ ବିଭିନ୍ନ ଥାନାରେ ଏକାଧିକ ମାମଲା ଥିବାବେଳେ ନାବାଳକ ଜଣକ ରାହଜାନି କରୁଥିବା ଯୁବକ ମାନଙ୍କୁ ସାହାଯ୍ୟ କରୁଥିବାର ପ୍ରେସ୍ ବିବୃତିରେ ଏ.ଡି.ସି.ପି. ଅନିଲ ମିଶ୍ର ପ୍ରକାଶ କରିଛନ୍ତି । ସଦର ପୋଲିସ ସେମାନଙ୍କ ନାମରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ।
ସେହିପରି ସଦର ପୋଲିସ ଜାତୀୟ ରାଜପଥରେ ନାକାବନ୍ଦୀ ସମୟରେ ଅରୁପାନନ୍ଦ ଜେନା ନାମକ ଯୁବକଙ୍କଠାରୁ ଏକ ବାଲେନୋ କାର, ଗୋଟିଏ ମାଗାଜିନ , ୩ଟି ଜିବନ୍ତ ଗୁଳି ଓ ୨ଟି ମୋବାଇଲ୍ ଫୋନ୍ ଜବତ କରିଛି । ତାଙ୍କ ନାମରେ ଏକାଧିକ ମାମଲା ଥିବାର ଏ.ଡି.ସି.ପି. ଅନିଲ ମିଶ୍ର ପ୍ରକାଶ କରିଛନ୍ତି । ପୋଲିସ ତାଙ୍କ ନାମରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ।

Leave a Reply

Your email address will not be published. Required fields are marked *