ଅନ୍ୟ ତିନି ଜଣ ସହଯୋଗୀ ମଧ୍ୟ ଗିରଫ – ପିସ୍ତଲ ସହିତ ଗୋଟିଏ ଜୀବନ୍ତ ଗୁଳି, ୩ ଟି ଖାଲି କାର୍ଟ୍ରିଜ୍, ଗୋଟିଏ ସ୍ୱିଫ୍ଟ କାର, ୫ଟି ମୋବାଇଲ୍ ଫୋନ୍ ଏବଂ ୧୦ କାର୍ଟନ୍ କୋରେକ୍ସ ( କଫ୍ ସିରପ୍ )ମଧ୍ୟ ପୁଲିସ ଜବତ
ବୁର୍ଲା,୧୭/୦୫/୨୦୨୬ (ଓଡ଼ିଶା ସମାଚାର)- ଆଜି ସକାଳେ ବୁର୍ଲା ପୋଲିସ ର ଏନକାଉଣ୍ଟର । ଏନକାଉଣ୍ଟର ରେ କୁଖ୍ୟାତ ଅପରାଧୀ ମନୀଷ ସାହୁ ଆହତ ହୋଇଛି । ତାଙ୍କ ସହିତ ଥିବା ଅନ୍ୟ ତିନି ଜଣ ସହଯୋଗୀଙ୍କୁ ମଧ୍ୟ ପୁଲିସ ଗିରଫ କରିଛି । ଗୋଟିଏ ପିସ୍ତଲ ସହିତ ଗୋଟିଏ ଜୀବନ୍ତ ଗୁଳି, ୩ ଟି ଖାଲି କାର୍ଟ୍ରିଜ୍, ଗୋଟିଏ ସ୍ୱିଫ୍ଟ କାର, ୫ଟି ମୋବାଇଲ୍ ଫୋନ୍ ଏବଂ ୧୦ କାର୍ଟନ୍ କୋରେକ୍ସ ( କଫ୍ ସିରପ୍ )ମଧ୍ୟ ପୁଲିସ ଜବତ କରିଛି।
ପ୍ରାପ୍ତ ସୂଚନା ଅନୁସାରେ ରବିବାର ସକାଳ ପ୍ରାୟ ୫ଟା ସମୟରେ ବୁର୍ଲା ଥାନା ପକ୍ଷରୁ ବୁର୍ଲା ପ୍ଲାନେଟାରିୟମ୍ ଛକ ନିକଟରେ ଯାନବାହାନ ଯାଞ୍ଚ କରାଯାଉଥିଲା। ସମ୍ବଲପୁର ବିଶ୍ୱବିଦ୍ୟାଳୟ ପାର୍ଶ୍ୱରୁ ଆସୁଥିବା ଏକ ସ୍ୱିଫ୍ଟ କାରକୁ ଅଟକାଇବାକୁ କୁହା ଯାଇଥିଲା। ମାତ୍ର କାରଟି ନ ଅଟକି ଦ୍ରୁତ ଗତିରେ ବୁର୍ଲା ହୀରାକୁଦ ବନ୍ଧ ଡାହାଣ ଡାଇକ୍ ରାସ୍ତା ପଟକୁ ପଳାଇ ଯାଇଥିଲା। ଫିସାରୀ ଛକ ନିକଟରେ ପୋଲିସ ଗାଡିଟିକୁ ପିଛା କରି ଅଟକାଇଥିଲା। ସେହି ସମୟରେ ଜଣେ ଅଭିଯୁକ୍ତ କାରରୁ ଡେଇଁପଡ଼ି ପୁଲିସ ଉପରକୁ ତିନି ରାଉଣ୍ଡ ଗୁଳି ଚଳାଇଥିବା ପୁଲିସ ପକ୍ଷରୁ କୁହାଯାଇଛି। ଆତ୍ମରକ୍ଷା ପାଇଁ ଏବଂ ଅଧିକ ଗୁଳିଚାଳନା ରୋକିବା ପାଇଁ ପୋଲିସ ଦୁଇ ରାଉଣ୍ଡ ନିୟନ୍ତ୍ରିତ ଗୁଳି ଚାଳନା କରିଥିଲା। ଯେଉଁଥିରେ ଅଭିଯୁକ୍ତର ଡାହାଣ ଗୋଡ଼ରେ ଗୁଳି ବାଜିଥିଲା।
ଆହତ ଅଭିଯୁକ୍ତ କୁଖ୍ୟାତ ଅପରାଧୀ ଜଣକ ମନୀଷ ସାହୁ ବୋଲି ଚିହ୍ନଟ କରାଯାଇଛି। ସେ ଅନେକ ଅପରାଧିକ ମାମଲା ଡକାୟତି, ଅସ୍ତ୍ରଶସ୍ତ୍ର ଆଇନ ଏବଂ କୋରେକ୍ସ ସମ୍ବନ୍ଧୀୟ ବିଭିନ୍ନ ଅପରାଧ ସମେତ ୧୪ରୁ ଅଧିକ ଅପରାଧିକ ମାମଲାରେ ଜଡିତ ଥିଲା। ତାଙ୍କ ସହିତ ଥିବା ତିନି ଜଣ ସହଯୋଗୀଙ୍କୁ ମଧ୍ୟ ପୁଲିସ ଗିରଫ କରିଥିଲା।
ବୁର୍ଲା ପୋଲିସ ଗୋଟିଏ ପିସ୍ତଲ ସହିତ ଗୋଟିଏ ଜୀବନ୍ତ ଗୁଳି, ୩ ଟି ଖାଲି କାର୍ଟ୍ରିଜ୍, ଗୋଟିଏ ସ୍ୱିଫ୍ଟ କାର, ୫ଟି ମୋବାଇଲ୍ ଫୋନ୍ ଏବଂ ୧୦ କାର୍ଟନ୍ କୋରେକ୍ସ ମଧ୍ୟ ପୁଲିସ ଜବତ କରିଛି।
ଆହତ ଅଭିଯୁକ୍ତଙ୍କୁ ଚିକିତ୍ସା ପାଇଁ ବୁର୍ଲାର ଭିମସାର ସ୍ଥାନାନ୍ତର କରାଯାଇଛି। ଏନଡିପିଏସ ଆଇନ ଏବଂ ଅନ୍ୟାନ୍ୟ ପ୍ରାସଙ୍ଗିକ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇ କାର୍ୟ୍ୟାନୁଷ୍ଠାନ ଆରମ୍ଭ କରାଯାଇଛି। ତଦନ୍ତ ଜାରି ରହିଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।
