୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଦ୍ୱାରା ଗିରଫ ହେଲେ ଥାନା ବାବୁ

ସମ୍ବଲପୁର,୦୫/୧୧/୨୦୨୬(ଓଡ଼ିଶା ସମାଚାର)- ସମ୍ବଲପୁରର ମହୁଲପାଲି ଥାନା ର ପୁଲିସ ସବ-ଇନସ୍ପେକ୍ଟର ସୁଜିତ କୁମାର ମହାନ୍ତଙ୍କୁ ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଗିରଫ କରିଛି। ଗତକାଲି ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ତାଙ୍କୁ ଭିଜିଲାନ୍ସ ଧରିଥିଲା। ଭିଜିଲାନ୍ସକୁ ଦେଖି ଏସଆଇ ସୁଜିତ କୁମାର ପୋଖରୀକୁ ଡେଇଁପଡ଼ିଥିଲେ । ଅଧିକାରୀମାନେ ତାଙ୍କୁ ପାଣିରେ ପଶି କାବୁ କରି ପାଣିରୁ ରାସାୟନିକ ପ୍ରଲେପ ବୋଳା ଟଙ୍କା ଉଦ୍ଧାର କରାଯାଇଛି । ଥାନା ପରିସର ରେଷ୍ଟ ରୁମରୁ ମଧ୍ୟ ୧ ଲକ୍ଷ ୫୫ ହଜାର ଟଙ୍କା ଜବତ ହୋଇଥିଲା

ସବ-ଇନସ୍ପେକ୍ଟର ସୁଜିତ କୁମାର ମହାନ୍ତଙ୍କୁ ଅଭିଯୋଗକାରୀଙ୍କ ବିରୁଦ୍ଧରେ ଏକ ମାର୍‌ପିଟ୍ ମାମଲାର ରଫାଦଫା ପାଇଁ ତଦନ୍ତ ଅଧିକାରୀ ଥିବା ମାମଲା ଚୂଡ଼ାନ୍ତ କରିବା ପାଇଁ ୧୦,୦୦୦ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଗିରଫ କରିଛି। ଏ ସମ୍ପର୍କରେ ସମ୍ବଲପୁର ଭିଜିଲାନ୍ସ ପି.ଏସ୍. ଅଭିଯୁକ୍ତ ପୁଲିସ ଏସଆଇ ସୁଜିତ କୁମାର ମହାନ୍ତଙ୍କ ବିରୁଦ୍ଧରେ ମାମଲା ନଂ.୨୧/୨୦୨୬ ୟୁ/ଏସ୍.୭ ପି.ସି. (ସଂଶୋଧନ) ଆଇନ, ୨୦୧୮ ରୁଜୁ କରାଯାଇ ତଦନ୍ତ ଜାରି ରହିଛି।

ଘଟଣା ପରେ ପୁଲିସ୍ ଅଧିକାରୀଙ୍କ ବାସଭବନ ଏବଂ ଥାନା ପ୍ରକୋଷ୍ଠରେ ଚଢ଼ଉ କରାଯାଇଛି । ସେ ରହୁଥିବା ଘରୁ ୧ ଲକ୍ଷ ୫୦ ହଜାର ୭୦୦ ଟଙ୍କା ଜବତ ହୋଇଛି । ଏ ନେଇ ସମ୍ବଲପୁର ଭିଜିଲାନ୍ସରେ ଏକ ମାମଲା ରୁଜୁ କରାଯାଇଛି । ଆୟବର୍ହିଭୂତ ସମ୍ପତ୍ତି ଠୁଳ ନେଇ ତନାଘନା ଚାଲିଛି । ଶ୍ରୀ ମହନ୍ତ ୨୦୨୧ରେ ଏସ୍ଆଇ ଭାବେ ସିଧାସଳଖ ନିଯୁକ୍ତି ପାଇଥିଲେ ।

ସମ୍ବଲପୁର ଭିଜିଲାନ୍ସ ଏସ୍ପି ପ୍ରଦ୍ୟୁମ୍ନ ଦ୍ୱିବେଦୀ କହିଛନ୍ତି, ମହୁଲପାଲି ଥାନାଞ୍ଚଳର ଏକ ଗାଁରେ ଦୁଇ ପଡ଼ୋଶୀଙ୍କ ମଧ୍ୟରେ ବିବାଦରୁ ମାରପିଟ୍ ହୋଇଥିଲା । ଏହାକୁ ନେଇ ଗୋଟିଏ ପକ୍ଷ ଥାନାର ଦ୍ୱାରସ୍ଥ ହୋଇଥିଲେ । ଏହାର ସୁଯୋଗରେ ଅପରପକ୍ଷ ସହ ଡିଲ୍ କରିବାକୁ ଉଦ୍ୟମ କରିଥିଲେ ଏସ୍ଆଇ ମହନ୍ତ । ମାମଲା କୋର୍ଟକୁ ନେବା ବଦଳରେ ଥାନାରେ ରଫାଦଫା କରିବାକୁ କହି ୧୦ ହଜାର ଟଙ୍କା ଦାବି କରିଥିଲେ । ହେଲେ ବିନା ଦୋଷରେ ଲାଞ୍ଚ ଦେବାକୁ ଅମଙ୍ଗ ହୋଇ ସମ୍ପୃକ୍ତ ବ୍ୟକ୍ତି ଜଣକ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ ।

Leave a Reply

Your email address will not be published. Required fields are marked *