Breaking News : ପୋଲିସ ର ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସଞ୍ଜୀବ କରାଳି ଆହତ

ସମ୍ବଲପୁର, ୦୭/୧୨/୨୦୨୪ (ଓଡ଼ିଶା ସମାଚାର)- ସମ୍ବଲପୁର ଜିଲା ରେଙ୍ଗାଲି ରମ୍ପେଲା ଛକ ନିକଟରେ ପୋଲିସ ଏନ୍କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସଞ୍ଜୀବ କରାଳି ଆହତ ହୋଇଛନ୍ତି। ପୁଲିସ ତାକୁ ଉଦ୍ଧାର କରି ପ୍ରଥମେ ରେଙ୍ଗାଲି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର (ପିଏଚ୍ସି)ରେ ଭର୍ତ୍ତି କରିଥିଲା। ପ୍ରାଥମିକ ଚିକିତ୍ସା ପରେ ସଂଜୀବର ଅବସ୍ଥା ସଂକଟାପନ୍ନ ଥିବାରୁ ଡାକ୍ତର ବୁର୍ଲା ମେଡିକାଲକୁ ସ୍ଥାନାନ୍ତରିତ କରିଛନ୍ତି।
ମିଳିଥିବା ସୂଚନା ମୁତାବକ, ଚାରମାଳ ଡକାୟତି ମାମଲାରେ ପୋଲିସ ସଞ୍ଜୀବଙ୍କୁ ଖୋଜୁଥିଲା। ଆଜି ଅପରାହ୍ଣ ପ୍ରାୟ ୩ଟାରେ ରେଙ୍ଗାଳି ଥାନା ଅଧୀନ ଗୁମଲେଇରୋଡର ରାମ୍ପେଲା ଛକ ନିକଟରେ ସଂଜୀବକୁ ପୁଲିସ ଅଟକାଇବାକୁ ଉଦ୍ୟମ କରିଥିଲା। କିନ୍ତୁ ସଂଜୀବ ପୁଲିସ ଉପରକୁ ଗୁଳି ଚଳାଇ ଖସିଯିବାକୁ ଉଦ୍ୟମ କରିଥିଲା। ପୁଲିସ ପାଲଟା ଗୁଳି ଚଳାଇବାରୁ ଗୁଳିଟି ତାର ଡ଼ାହାଣ ଗୋଡ଼ରେ ବାଜିବାରୁ ସେ ପଡ଼ିଯାଇଥିଲା । ପୁଲିସ ତାକୁ କାବୁ କରିନେଇଥିଲା ।
ସଞ୍ଜୀବଙ୍କ ନାଁରେ ଝାରସୁଗୁଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଥାନାରେ ଠକେଇ, ଚୋରି , ଡକାୟତି, ରାହଜାନୀ ଭଳି ୨୩ଟି ମାମଲା ରହିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।ସୂଚନାଯୋଗ୍ୟ, ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ଅଧୀନ ଚାରମାଳ ଥାନା ଅଞ୍ଚଳରେ ୫୫ ନମ୍ବର ଜାତୀୟ ରାଜପଥ ପାର୍ଶ୍ବରେ ନିର୍ମାଣାଧୀନ ଗ୍ରୀଡ଼ ସାଇଟ୍ରେ ଗତମାସ ୨୨ ତାରିଖ ରାତିରେ ଏକ ବଡ଼ଧରଣର ଡକାୟତି ଉଦ୍ୟମ ହୋଇଥିଲା। ଘଟଣା ଦିନ ଡକାୟତି ଗ୍ୟାଙ୍ଗ୍ର ୧୨ରୁ ୧୩ ଜଣ ସଦସ୍ୟ ସୁରକ୍ଷା କର୍ମୀଙ୍କୁ ବାନ୍ଧି ଦେଇଥିଲେ। ସେହିପରି ଅଭିଯୁକ୍ତମାନେ ୮ ଜଣ ଶ୍ରମିକଙ୍କୁ ଏକ କୋଠାରୀରେ ବନ୍ଦ କରିଦେଇଥିଲେ। ମାରଣାସ୍ତ୍ର ଦେଖାଇ ଭୟଭୀତ କରାଇଥିଲେ। ଏହାପରେ ଜିନିଷପତ୍ର ନେଇ ଫେରାର ହୋଇଥିଲେ। ଏହି ମାମଲାରେ ପୁଲିସ ଏପର୍ୟ୍ୟନ୍ତ ୪ ଜଣଙ୍କୁ ଗିରଫ କରିସାରିଥିବା ବେଳେ ଚୋରି ଜିନିଷର ୮୦ ପ୍ରତିଶତ କୋଲକାତାରୁ ଉଦ୍ଧାର କରିଛି। ତେବେ ଘଟଣା ପରଠାରୁ ଫେରାର ଥିବା କୁଖ୍ୟାତ ଅପରାଧୀ ସଂଜୀବକୁ ପୁଲିସ ଧରିବାରେ ସଫଳ ହୋଇଛି।

Leave a Reply

Your email address will not be published. Required fields are marked *