ଜବରଦଖଲରୁ ମୁକ୍ତ ହେବ ସରକାରୀ ଜମି, ସବୁ ଜିଲ୍ଲାପାଳଙ୍କୁ ସରକାରଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର, ୭/୭/୨୦୨୪ (ଓଡ଼ିଶା ସମାଚାର)-  ସରକାରୀ ଜମିରୁ ଜବରଦଖଲ ଉଛେଦ ପାଇଁ ଆରମ୍ଭ ହେବ ବଡ଼ ଧରଣର ଅଭିଯାନ। କେବଳ ଉଛେଦ ହେବ ନାହିଁ ଜବରଦଖଲକାରୀଙ୍କ ଠାରୁ ମଧ୍ୟ ଜୋରିମାନା ଆଦାୟ ହେବ। ସହର ଓ ଗ୍ରାମାଞ୍ଚଳରେ କେତେ ସରକାରୀ ଜମି ଜବରଦଖଲରେ ଅଛି ତାହାର ସର୍ଭେ ଆରମ୍ଭ କରି ବିହିତ ପଦକ୍ଷେପ ନେବା ଲାଗି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁ ସବୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଶ୍ରୀ ସାହୁ ଲେଖିଥିବା ଚିଠି ଅନୁସାରେ ସହର ଉଚ୍ଚସ୍ତରୀୟ ବୈଠକରେ ଗଭୀର ଉଦ୍‌‌ବେଗ ପ୍ରକାଶ ପାଇଛି। ଭୂ-ସମ୍ପଦର ଅନୁକୂଳତମ ପରିଚାଳନା ଏବଂ ଉନ୍ନୟନ କାର୍ଯ୍ୟ ପାଇଁ ତାହାର ସୁଷମ ବଣ୍ଟନ କରି ଆର୍ଥିକ ପ୍ରଗତି ସୁନିଶ୍ଚିତ କରିବା ଆମର କର୍ତ୍ତବ୍ୟ। ତେବେ ଉଭୟ ସହର ଓ ଗ୍ରାମାଞ୍ଚଳରେ ସରକାରୀ ଜମିର ବହୁଳ ଜବରଦଖଲ ହେତୁ ବିକାଶମୂଳକ କାର୍ଯ୍ୟ ପାଇଁ ଜମି ଆବଣ୍ଟନ ବାଧାପ୍ରାପ୍ତ ହେଉଥିବା ସରକାରଙ୍କ ଦୃଷ୍ଟିକୁ ଆସିଛି। ଜବରଦଖଲ ହେତୁ ସେଥିରୁ ରାଜସ୍ୱ ବାବଦରେ ସରକାର ଟଙ୍କାଟିଏ ବି ପାଉ ନାହାନ୍ତି। ଏଥିସହ ଜବରଦଖଲ ପାଇଁ ସରକାରଙ୍କୁ ଅଦାଲତୀ ମାମଲାର ମଧ୍ୟ ସମ୍ମୁଖୀନ ହେବାକୁ ପଡୁଛି।

ତେଣୁ ସହର ହେଉ ଅବା ଗ୍ରାମ ଯେଉଁଠି ବି ସରକାରୀ ଜମି ଜବରଦଖଲରେ ଅଛି ତାହାର ସଠିକ୍‌‌ ସର୍ବେକ୍ଷଣ କରାଯିବା ସହ ତୁରନ୍ତ ତାହାକୁ ଜବରଦଖଲ ମୁକ୍ତ କରିବା ପାଇଁ ପଦକ୍ଷେପ ନେବା ଦିଗରେ ଜିଲ୍ଲାପାଳମାନେ ଯତ୍ନବାନ୍‌‌ ହୁଅନ୍ତୁ। ଜିଲ୍ଲା ପ୍ରଶାସନକୁ ମିଳିଥିବା ପାଣ୍ଠି ବିନିଯୋଗରେ ଜବରଦଖଲ ମୁକ୍ତ ହୋଇଥିବା ଜମିକୁ ଆବଦ୍ଧ କରିବା ସହିତ ତାହା ସରକାରୀ ଜମି ବୋଲି ସୂଚନା ଫଳକ ଲଗାଯିବ। ଯଦି ଏଥିପାଇଁ ପାଣ୍ଠିର ଅଭାବ ଥାଏ ତା ହେଲେ ସେ ସମ୍ପର୍କରେ ବିଭାଗକୁ ତୁରନ୍ତ ସୂଚନା ଦେଲେ ପାଣ୍ଠି ଯୋଗାଇ ଦିଆଯିବ। ଏହାକୁ ଗୁରୁତ୍ୱର ସହ ନେଇ ପଦକ୍ଷେପ ନେବା ସହିତ ପ୍ରତି ୧୫ ଦିନରେ ଥରେ ଏ ସମ୍ପର୍କିତ ରିପୋର୍ଟ ବିଭାଗକୁ ପ୍ରଦାନ କରିବା ପାଇଁ ଶ୍ରୀ ସାହୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *