ପେଟ୍ରୋଲ ଲିଟର ପିଛା ୩ ଟଙ୍କା ୧୪ ପଇସା ବୃଦ୍ଧି
ଡିଜେଲ ୩ ଟଙ୍କା ୧୧ ପଇସା ନ୍ତସି.ଏନ୍.ଜି. ଦୁଇ ଟଙ୍କା ବୃଦ୍ଧି
ନୂଆଦିଲ୍ଲୀ /ଭୁବନେଶ୍ୱର,୧୫/୦୫/୨୦୨୬(ଓଡ଼ିଶା ସମାଚାର)- ପଶ୍ଚିମ ଏସିଆରେ ଯୁଦ୍ଧ ଓ ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ଯୋଗୁଁ ଭାରତରେ ପେଟ୍ରୋଲ ଦର ୩ ଟଙ୍କା ୧୪ ପଇସା ଓ ଡିଜେଲ ୩ ଟଙ୍କା ୧୧ ପଇସା ବୃଦ୍ଧି ପାଇଛି । ଆଜି ଶୁକ୍ରବାରଠୁ ଲାଗୁ ହୋଇଛି ନୂଆ ଦର । ତୈଳ କମ୍ପାନିଗୁଡ଼ିକ ଦୈନିକ ୧ ହଜାର କୋଟିରୁ ଅଧିକ କ୍ଷତି ସହୁଥିବାରୁ ଏହି ଦର ବୃଦ୍ଧି ଅନିବାର୍ଯ୍ୟ ହୋଇପଡ଼ିଥିଲା ବୋଲି ଯୁକ୍ତି ଦର୍ଶାଯାଉଛି ।
ତୈଳଦର ବୃଦ୍ଧି ପରେ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ପେଟ୍ରୋଲ ଡିଜେଲ ଗ୍ରାହକଙ୍କଠାରୁ ଆରମ୍ଭ କରି ବିରୋଧୀ ସଂଗଠନ ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ କରିଛନ୍ତି । ସି.ଏନ୍. ଜି. ମୂଲ୍ୟ ମଧ୍ୟ କିଲୋଗ୍ରାମ ପିଛା ଦୁଇ ଟଙ୍କା ବୃଦ୍ଧି ପାଇଛି । ନୂଆ ଦର ଆଜିଠାରୁ ଲାଗୁ ହୋଇଛି । ପ୍ରାୟ ଚାରି ବର୍ଷ ପରେ ପେଟ୍ରୋଲ-ଡିଜେଲ ମୂଲ୍ୟ ବୃଦ୍ଧି ପାଇଛି ବୋଲି କୁହାଯାଉଛି । ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ଏବେ ଲିଟର ପିଛା ୯୪.୭୭ ଟଙ୍କାରୁ ୯୭.୭୭ ଟଙ୍କାକୁ ଏବଂ ଡିଜେଲ ଲିଟର ପିଛା ୮୭.୭୭ ଟଙ୍କାରୁ ୯୦.୭୭ ଟଙ୍କାକୁ ବୃଦ୍ଧି ପାଇଛି । କୋଲକାତା, ମୁମ୍ବାଇ ଏବଂ ଚେନ୍ନାଇ ଭଳି ମହାନଗରରେ ମଧ୍ୟ ଇନ୍ଧନ ମୂଲ୍ୟ ବୃଦ୍ଧି ପାଇଛି ।କୋଲକାତାରେ ପେଟ୍ରୋଲ ଲିଟର ପିଛା ୩.୨୯ ଟଙ୍କା ବୃଦ୍ଧି ପାଇ ୧୦୮.୭୪ ଟଙ୍କାରେ ପହଂଚିଛି । ଦେଶର ଆର୍ଥôକ ରାଜଧାନୀ ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୩.୧୪ ଟଙ୍କା ବୃଦ୍ଧି ପାଇ ୧୦୬.୬୮ ଟଙ୍କାରେ ବିକ୍ରି ହେଉଛି ।
