— ବିଭାଗୀୟ କାର୍ଯ୍ୟର ସମୀକ୍ଷା କଲେ ମନ୍ତ୍ରୀ ଏବଂ ସ୍ଥାନୀୟ ବିଧାୟକ
— ଜିଲ୍ଲାରେ ମେଗା ପାଇପ୍ ୱାଟର ସପ୍ଲାଏ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ
— ଧର୍ମଶାଳାରେ ଅନ୍ତୋର୍ଦୟ ଗୃହ ଯୋଜନା, ଭତ୍ତା, ରାସନ କାର୍ଡ, ବସୁନ୍ଧରା ଯୋଜନାରେ ପଟ୍ଟା ବଣ୍ଟନ କଲେ ମନ୍ତ୍ରୀ
ଯାଜପୁର,୧୫/୦୫/୨୬(ଓଡ଼ିଶା ସମାଚାର)-: ଓଡ଼ିଶାର ପଞ୍ଚାୟତିରାଜ, ପାନୀୟ ଜଳ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ରବି ନାରାୟଣ ନାୟକ ଯାଜପୁରକୁ ଦୁଇ ଦିନିଆ ଗସ୍ତରେ ଆସି ଗତକାଲି ପାନୀୟ ଜଳ ପ୍ରକଳ୍ପ (ମେଗା ୱାଟର ସପ୍ଲାଏ) ଓ ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପର ସମୀକ୍ଷା କରିଛନ୍ତି।ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ବୈଠକରେ ମନ୍ତ୍ରୀଙ୍କ ସମେତ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା କୋରେଇ ବିଧାୟକ ଆକାଶ ଦାସ ନାୟକ, ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ, ଜିଲ୍ଲାପାଳ ଅମ୍ବର କୁମାର କର, ମୁଖ୍ୟ ଉନ୍ନୟନ ଅଧିକାରୀ ଦେବୀ ପ୍ରସାଦ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଯାଜପୁର ଜିଲ୍ଲାରେ ମେଗା ପାଇପ୍ ୱାଟର ସପ୍ଲାଏ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ବିଭାଗୀୟ ଅଧିକାରୀ ଓ କାର୍ଯ୍ୟକାରୀ ଏଜେନ୍ସିକୁ ନିର୍ଦ୍ଦେଶ ଦେଇଥିଲେ।

ଧାର୍ଯ୍ୟ କାର୍ଯ୍ୟ ଅବଧି ମଧ୍ୟରେ ପ୍ରକଳ୍ପ ଶେଷ ନକଲେ ଏଜେନ୍ସି ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ସୁକିନ୍ଦା ଅଞ୍ଚଳରେ ମେଗା ପାଇପ୍ ୱାଟର ସପ୍ଲାଏରେ ଅସାଧୁ ଲୋକ ପାଣି ଚୋରି କରୁ ଥିବାରୁ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ଉକ୍ତ ଅଞ୍ଚଳରେ ମାଇକ୍ ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ। ବୈଠକରେ ସୁକିନ୍ଦା, ଦାନଗଦି, ବଡ଼ଚଣା, ଧର୍ମଶାଳା, କୋରେଇ, ଦଶରଥପୁର ଅଞ୍ଚଳରେ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରାଯାଇଥିଲା। ମେଗାଲିଫ୍ଟ କାର୍ଯ୍ୟକ୍ଷମ ନହେବା ଯାଏଁ ଜଳାଭାବ ଅଞ୍ଚଳରେ ତୁରନ୍ତ ନୂତନ ନଳକୂପ ଖନନ କରି ଜନସାଧାରଣଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଏହାପରେ ମନ୍ତ୍ରୀ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପର କାର୍ଯ୍ୟର ତଦାରଖ କରିଥିଲେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ଅନ୍ତୋଦୟ ଗୃହ ଯୋଜନା, ବିକଶିତ ଗାଁ ବିକଶିତ ଓଡିଶା କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ। ଦ୍ଵିତୀୟ ଦିନରେ ମନ୍ତ୍ରୀ ଦଶରଥପୁର ବ୍ଲକର ମେଗା ପାନୀୟ ଜଳ ପ୍ରକଳ୍ପ ପରିଦର୍ଶନ କରି ମନ୍ତ୍ରୀ କହିଥିଲେ ଯେ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ସାରିଥିଲେ ମଧ୍ୟ ବ୍ୟାରେଜ ନଥିବାରୁ ଏହାର ବିକଳ୍ପ ବ୍ୟବସ୍ଥା କରାଯାଇ କିଭଳି କାର୍ଯ୍ୟକ୍ଷମ କରାଯିବ ସେ ସମ୍ପର୍କରେ ବିଭାଗୀୟ ବିଶେଷଜ୍ଞଙ୍କ ସହ ଆଲୋଚନା କରାଯାଇ ବିହିତ ପଦକ୍ଷେପ ଗ୍ରହଣ କରାଯିବ। ପରେ ମନ୍ତ୍ରୀ ରସୁଲପୁରଠାରେ କେଇସି ୱାଟର ଟ୍ରିଟମେଣ୍ଟ ପ୍ରୋଜେକ୍ଟ ପରିଦର୍ଶନ କରିଥିଲେ।
ପରେ ଧର୍ମଶାଳାର ଜାରକା ମହୋତ୍ସବ ପଡିଆରେ ଏକ ସାଧାରଣ ସଭାରେ ଯୋଗଦେଇ ହିତାଧିକାରୀ ମାନଙ୍କୁ ଅନ୍ତୋର୍ଦୟ ଗୃହ ଯୋଜନା, ଭତ୍ତା, ରାସନ କାର୍ଡ, ବସୁନ୍ଧରା ଯୋଜନାରେ ପଟ୍ଟା ବଣ୍ଟନ କରିଥିଲେ। ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ଆୟୋଜିତ ଭିନ୍ନକ୍ଷମ ହିତାଧିକାରୀଙ୍କୁ ଇ-ସ୍କୁଟର ବଣ୍ଟନ କରିଥିଲେ। ଏହି ଗସ୍ତ ସମୟରେ ବିଧାୟକ ହିମାଂଶୁ ଶେଖର ସାହୁ, ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର,ମୁଖ୍ୟ ଉନ୍ନୟନ ଅଧିକାରୀ ଦେବୀ ପ୍ରସାଦ ମହାନ୍ତି, ଉପଜିଲ୍ଲାପାଳ ତାପସ ରଞ୍ଜନ ଦେହୁରୀ, ସମାଜସେବୀ ଦେବଯାନୀ ପ୍ରଧାନ, ଗୌତମ ରାୟଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ, ଯନ୍ତ୍ରୀ ଏବଂ ଜନସାଧାରଣ ଉପସ୍ଥିତ ଥିଲେ।
