କେନ୍ଦ୍ରୀୟ ଡେପୁଟେସନରେ ଯିବେ ୨ ଓଡ଼ିଶା କ୍ୟାଡର ଆଇଏଏସ୍

୩ ସପ୍ତାହ ସୁଦ୍ଧା ରିଲିଭ୍ କରିବାକୁ ମୁଖ୍ୟ ସଚିବଙ୍କୁ ଚିଠି

ଭୁବନେଶ୍ୱର,୩୦/୦୯/୨୦୨୫ (ଓଡ଼ିଶା ସମାଚାର)- ଓଡ଼ିଶା କ୍ୟାଡରର ଆଉ ଦୁଇଜଣ ଆଇଏଏସ ଅଫିସରଙ୍କୁ କେନ୍ଦ୍ର ସରକାରରେ ନିଯୁକ୍ତି ମିଳିଛି । ୨୦୧୧ ବ୍ୟାଚ୍ ଆଇଏଏସ୍ ସମର୍ଥ ବର୍ମା ଓ ତାଙ୍କ ଆଇଏଏସ୍ ପତ୍ନୀ ୨୦୧୪ ବ୍ୟାଚର ସ୍ୱାଧା ଦେବ ସିଂ କେନ୍ଦ୍ରୀୟ ଡେପୁଟେସନରେ ଯିବେ । ଉଭୟଙ୍କୁ କେନ୍ଦ୍ର ସରକାରରେ ନିଯୁକ୍ତି ମିଳିଛି ଓ ସେମାନଙ୍କୁ ୩ ସପ୍ତାହ ସୁଦ୍ଧା ରିଲିଭ୍ କରିବା ନିମନ୍ତେ ମୁଖ୍ୟ ସଚିବ ମନୋଜ ଆହୁଜାଙ୍କୁ ଚିଠି ଲେଖି କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ଅବଗତ କରାଇଛି । ସମର୍ଥ ଓ ତାଙ୍କ ପତ୍ନୀ ସ୍ୱାଧାଙ୍କୁ ମାତ୍ର ୩ଦିନ ବ୍ୟବଧାନରେ କେନ୍ଦ୍ର ସରକାରରେ ନିଯୁକ୍ତି ମିଳିଛି  ।

ସମର୍ଥ ବର୍ମା ଏବେ ଓଡ଼ିଶା ସରକାରରେ ମାଇନର ମିନେରାଲ୍ସ ନିର୍ଦ୍ଧେଶକ ଓ ଅତିରିକ୍ତ ଭାବେ ଓଡ଼ିଶା ବନ ଉନ୍ନୟନ ନିଗମର ପରିଚାଳନା ନିର୍ଦ୍ଧେଶକ ଦାୟିତ୍ୱ ତୁଲାଉଛନ୍ତି । ସମର୍ଥଙ୍କୁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟରେ ନିର୍ଦେଶକ ଭାବେ ନିଯୁକ୍ତି ମିଳିଛି । ସେ ଦାୟିତ୍ୱ ନେବା ଦିନଠୁ ୫ବର୍ଷ ପର୍ଯ୍ୟନ୍ତ ଅବା ପରବର୍ତୀ ନିର୍ଦେଶ ପର୍ଯ୍ୟନ୍ତ ଏହି ଦାୟିତ୍ୱ ତୁଲାଇବେ । ତାଙ୍କୁ ନିଜର ନୂଆ ଦାୟିତ୍ୱ ତୁଲାଇବା ନିମନ୍ତେ ତୁରନ୍ତ ରିଲିଭ୍ କରିବାକୁ ମୁଖ୍ୟ ସଚିବଙ୍କୁ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଆଜି ଚିଠି ଲେଖି ଅବଗତ କରାଯାଇଛି  ।

ସେହିପରି ସ୍ୱାଧାଦେବ ସିଂ ଏବେ ଜଳସମ୍ପଦ ବିଭାଗର ଅତିରିକ୍ତ ସଚିବ ଓ ରାଜ୍ୟ ଉଠା ଜଳସେଚନ ନିଗମର ପରିଚାଳନା ନିର୍ଦ୍ଧେଶକ ଭାବେ କାର୍ଯ୍ୟ କରୁଛନ୍ତି । ତାଙ୍କୁ ଗତ ୨୬ତାରିଖରେ ନୂଆଦିଲ୍ଲୀସ୍ଥିତ ଭାରତର ରେଜିଷ୍ଟ୍ରାର ଜେନେରାଲଙ୍କ କାର୍ଯ୍ୟାଳୟରେ ଜନଗଣନା ନିର୍ଦ୍ଧେଶକ/ନାଗରିକ ପଞ୍ଜିକରଣ ନିର୍ଦେଶକ ଭାବେ ନିଯୁକ୍ତି ମିଳିଛି । ସେ ଏହି ପଦବୀରେ ୨୦୨୫ ଡିସେମ୍ବର ୩୧ତାରିଖ ପର୍ଯ୍ୟନ୍ତ କାର୍ଯ୍ୟ କରିବେ । ଏହାପରେ କେନ୍ଦ୍ରୀୟ ଷ୍ଟାଫି ସ୍କିମ୍ ଅଧୀନରେ ଅନୁମୋଦିତ ତାଙ୍କର କାର୍ଯ୍ୟକାଳକୁ ବୃଦ୍ଧି କରାଯାଇ ପାରିବ ବୋଲି ଉଲ୍ଲେଖ ରହିଛି । ତାଙ୍କୁ ତୁରନ୍ତ ରିଲିଭ୍ କରିବା ନିମନ୍ତେ ମୁଖ୍ୟ ସଚିବଙ୍କୁ ମଧ୍ୟ ଚିଠି ଲେଖି କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ବିଭାଗ ସୂଚନା ଦେଇଛି ।

Leave a Reply

Your email address will not be published. Required fields are marked *