ଜଗତସିଂହପୁର,୧୫/୦୫/୨୦୨୬ (ଓଡ଼ିଶା ସମାଚାର)-ଆଜି ପୂର୍ବାହ୍ନ ରେ ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟର ସଦଭାବନା ସଭାଗୃହରେ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି।
ବୈଠକରେ ଯୋଗ ଦେଇ ମାନ୍ୟବର ମନ୍ତ୍ରୀ, ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ଶ୍ରୀ ସମ୍ପଦ ଚନ୍ଦ୍ର ସ୍ଵାଇଁ ପାରାଦ୍ଵୀପ ଗଡ଼ ରେ ସ୍ରୁଷ୍ଟି ହେଉଥିବା କୃତ୍ରିମ ବନ୍ୟା କୁ ରୋକିବା ଦିଗରେ ଡ୍ରେନେଜ ଓ ଇରିଗେସନ ବିଭାଗ କୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲା ରେ ବିଶେଷ କରି ସମୁଦ୍ର କୁଳିଆ ଅଞ୍ଚଳ ରେ ବାତ୍ୟା ବା ବନ୍ୟା ସମୟରେ ଇଭାକୁଏସନ୍ କାର୍ଯ୍ୟ ତ୍ବରାନ୍ବିତ ଓ ସଠିକ୍ ଭାବେ କରିବା ଦିଗରେ ଗୁରୁତ୍ୱ ଦେଇଥିଲେ।ଜିଲ୍ଲା ରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଦାୟିତ୍ୱ ରେ ଥିବା ଅଧିକାରୀ ମାନେ ଫୋନ ମାଧ୍ୟମ ରେ ଉପସ୍ଥିତ ରହି ଆବଶ୍ୟକ ପଦକ୍ଷେପ ନେବା ପାଇଁ ସେ ପରାମର୍ଶ ଦେଇଥିଲେ। ଏଥିସହିତ ଅଘୋଷିତ ବିଦ୍ୟୁତ୍ କାଟ କୁ ରୋକିବା, ସି ଏଚ୍ ସି, ପି ଏଚ ସି ତଥା ମୁଖ୍ୟ ଚିକିତ୍ସାଳୟ ରେ ସାପ କାମୁଡ଼ା ଔଷଧ ସହ ଅନ୍ୟାନ୍ୟ ଆବଶ୍ୟକୀୟ ଔଷଧ ମହଜୁଦ ରଖିବାକୁ ପରାମର୍ଶ ଦେଇଥିଲେ। ହଲଦିପାଣି କ୍ରିକ୍ କୁ ନଦୀ ରେ ମିଶାଇବା ପାଇଁ ଆର ଡି, ଆର ଆଣ୍ଡ ବି, ଆର ଡବ୍ଲୁ ଏସ ଏସ, ଇରିଗେଶନ ଵିଭାଗ କୁ ପରସ୍ପର ସମନ୍ୱୟ ରେ କାର୍ଯ୍ୟ କରିବାକୁ ଉପଦେଶ ଦେଇଥିଲେ।
ଉପସ୍ଥିତ ରହି ଜଗତସିଂପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ ଅମରେନ୍ଦ୍ର ଦାସ ଜିଲ୍ଲାରେ ଥିବା ଡ୍ରେନେଜ୍ ଗୁଡ଼ିକ ବର୍ଷା ଦିନ ପୂର୍ବରୁ ସଫା କରାଗଲେ ବନ୍ୟାଜଳ ଦ୍ଵାରା ଚାଷ ଜମି କ୍ଷତିଗ୍ରସ୍ତ ହେବ ନାହିଁ ବୋଲି ପରାମର୍ଶ ଦେଇଥିଲେ। ନାଗପୁର ଡ୍ରେନେଜ, ଡିହସାହି ଠାରେ ଏବଂ ଜାମୁଗାଁ ଡାବର ଜଳ ନିଷ୍କାସନ, ଅଳକା ନଦୀ ସଠଳ , କଦୁଅପଡା ମହିଳା କଲେଜ ନିକଟ, ଗୋବରୀ ନଦୀ ଡ୍ରେନେଜ୍ ସଫା ଓ ଗେଟ ମରାମତି କରିବାକୁ ଡ୍ରେନେଜ କୁ ପରାମର୍ଶ ଦେଇଥିଲେ। ବୀରବରପାଟଣା ଓ ରମ୍ଭାଦେଇପୁର, ଗଳଧାରୀ ଏରଡ଼ା ଠାରେ ନଦୀବନ୍ଧରୁ ମାଟି ଓ ବାଲି ତାଡିନେଉଥିବାରୁ ନଦୀବନ୍ଧ ବିପଦ ସଂକୁଳ ରହୁଛି, ତାହାର ତୁରନ୍ତ ମରାମତି ଦରକାର। ଜଗତସିଂହପୁର ପୌରାଂଚଳ ରେ ଜୟବଡ ମୁଖ୍ୟ ରାସ୍ତା, ୩, ୪ ,୭ ଓ ୮ ନମ୍ବର ୱାର୍ଡ ବର୍ଷା ରେ ଜଳମଗ୍ନ ହୋଇଯାଏ ତେଣୁ ଏହା ଉପରେ ଗୁରୁତ୍ୱ ଦେବା ପାଇଁ ପରାମର୍ଶ ଦେଇଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାଇରିଆ ରୋଗୀ ଙ୍କ ପାଇଁ ବେଡ୍ ବଢ଼ାଇବାକୁ ପ୍ରସ୍ତାବ ଦେଇଥିଲେ।
ବାଲିକୁଦା ଏରସମା ବିଧାୟକ ଶ୍ରୀ ସାରଦା ପ୍ରସନ୍ନ ଜେନା କହିଲେ ବିପଦ ସଙ୍କୁଳ ଅବସ୍ଥା ରେ ଥିବା ଆଶ୍ରୟସ୍ଥଳୀ ଗୁଡକ ଭାଙ୍ଗି ନୂତନ ଆଶ୍ରୟସ୍ଥଳୀ ନିର୍ମାଣ କରିବା, କୁଜଙ୍ଗ , ବାଲିକୁଦା ଓ ନାଉଗାଁ ର ୧୧ ଟି ଆଶ୍ରୟସ୍ଥଳୀ ନିମନ୍ତେ ଜାଗା ଚିହ୍ନଟ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ନିର୍ମାଣ ହୋଇପାରିନାହିଁ। ଏହାର ସ୍ଥିତି ଅନୁଧ୍ୟାନ କରି ତୁରନ୍ତ ପଦକ୍ଷେପ ନେବା ପାଇଁ ବିଧାୟକ କହିଥିଲେ। ଏଥିସହିତ ପିଇବା ପାଣି, ଔଷଧ ଆଦି ର ମହଜୁଦ, ଆଶ୍ରୟ ସ୍ଥଳୀ ମରାମତି ନିର୍ମାଣ ଦିଗରେ ଗୁରୁତ୍ୱ ଦେଇଥିଲେ। ଦେବୀ, ତାଳଦା, ତରାସାହି ଘେରି ବନ୍ଧ ନିର୍ମାଣ, ଦେବୀ ନଦୀ କୁ ନଦୀ ର ମାନ୍ୟତା ଦେବା ଦିଗରେ ଆଲୋକପାତ କରିଥିଲେ। ବାଘଡି, ଦହିବର କୁ ରାସ୍ତା କରିବା ପାଇଁ କହିଥିଲେ। ଏହା ସହିତ ଉଚ୍ଚ ଜାଗା ମାନଙ୍କରେ ଗୋରୁ ଗାଈ ମାନଙ୍କ ପାଇଁ ମଧ୍ୟ ଆଶ୍ରୟ ସ୍ଥଳୀ ନିର୍ମାଣ ପାଇଁ ଉପଦେଶ ଦେଇଥିଲେ।
ଜିଲ୍ଲା ପରିଷଦ ସଭାପତି ଶ୍ରୀ ମନୋଜ କୁମାର ଭୋଇ ସ୍ୱାସ୍ଥ୍ୟ ସେବା ର ବିଭିନ୍ନ ଦିଗ,ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ଡାକ୍ତର ମାନଙ୍କ ଉପସ୍ଥିତି ବିଷୟରେ ତଦାରଖ କରିବା, ସାପ କାମୁଡା ଔଷଧ ମହଜୁଦ ରଖିବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଙ୍କୁ ପରାମର୍ଶ ଦେଇଥିଲେ।
ବୈଠକ ରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ଜେ ସୋନାଲ କହିଥିଲେ ଯେ ବର୍ତ୍ତମାନ ଭୌଗୋଳିକ ସ୍ଥିତି ଅନୁଯାୟୀ ଏଲ ନିନୋ ଯୋଗୁ ଖରା ଅଧିକ ହେବା ସହ ବର୍ଷା ର ପରିମାଣ କମ ରହିବାର ସମ୍ଭାବନା ରହିଛି। ସମସ୍ତକୁ ଏହି ସ୍ଥିତି କୁ ବୁଝି ଏଥିନିମନ୍ତେ ନିଜକୁ ପ୍ରସ୍ତୁତ ରଖିବା ଆବଶ୍ୟକ। ଜିଲ୍ଲା ଏକ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ଜିଲ୍ଲା ହୋଇଥିବାରୁ ନିୟନ୍ତ୍ରଣ କକ୍ଷ ୨୪ ଘଣ୍ଟା ଖୋଲା ରହିବା ଏବଂ ଜଣେ ବରିଷ୍ଠ ଅଧିକାରୀଙ୍କ ତଦାରଖ କରିବା ପାଇଁ ନିଯୁକ୍ତି କରିବା କୁ ଜିଲ୍ଲପାଳ ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ ବ୍ଲକ୍ ଓ ପୌର ପରିଷଦ ସ୍ତର ରେ ମଧ୍ୟ ବିପର୍ଯ୍ୟୟ ପରିଚାଳନା ବୈଠକ ଆୟୋଜିତ କରି ଏହାର ଯଥା ସମୟରେ ସମାଧାନ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।
ପାଣିପାଗ ବିଭାଗ ପକ୍ଷରୁ ଆସୁଥିବା ସୂଚନା ଗୁଡିକୁ ବ୍ଳକ୍ ପର୍ଯ୍ୟନ୍ତ ସେୟାର କରିବା ପାଇଁ ଉପଦେଶ ଦେଇଥିଲେ।ପୂର୍ବରୁ ହୋଇଥିବା ନଦୀ ଓ କେନାଲ ବନ୍ଧ ଘାଇ ମରାମତି କରିବା,ବିପଦ ଥିବା ସ୍ଥାନ ଗୁଡିକରେ ବାଲିବସ୍ତା ମହଜୁଦ ରଖିବା,ଡ୍ରେନେଜ୍ ଗୁଡ଼ିକୁ ପରିଷ୍କାର ରଖିବା,ପାନୀୟ ଜଳ ଯୋଗାଣ,ନଳକୂପ ଗୁଡ଼ିକୁ ମରାମତି,ବିଭିନ୍ନ ସମ୍ବେଦନଶିଳ ସ୍ଥାନ ଗୁଡିକରେ ଚାଉଳ, ଚୁଡ଼ା,ଗୁଡ଼,କିରୋସିନ ମହଜୁଦ ରଖିବା, ବେସରକାରୀ ବୋଟ ଗୁଡ଼ିକର ତାଲିକା ଓ ଫୋନ୍ ନଂ ରଖିବା, ପାୱାର ବୋଟ ଓ ଦେଶୀ ଡଙ୍ଗା ଗୁଡିକୁ କାର୍ଯ୍ୟକ୍ଷମ ରଖିବା,ବନ୍ୟା ସମୟରେ ପ୍ରତ୍ୟେକ ନଦୀର ଜଳସ୍ତର ମାପିବା ,ପାଣିପାଗ ବିଭାଗ ଦ୍ଵାରା ଜାରି ହେଉଥିବା ସୂଚନା ଗୁଡ଼ିକୁ ପ୍ରସାରଣ କରିବା, ବନ୍ୟାଞ୍ଚଳରେ ୱୟାରେଲେସ ଷ୍ଟେସନ ସ୍ଥାପନ ,କୃଷି ଓ ଉଦ୍ୟାନ କୃଷି, ସ୍ବାସ୍ଥ୍ୟ,ପରିମଳ,ପ୍ରାଣୀ ସମ୍ପଦ ,ପୂର୍ତ୍ତ ,ଗ୍ରାମ ଉନ୍ନୟନ ରାସ୍ତା ଗୁଡ଼ିକର ମରାମତି, ବିଦ୍ୟୁତ୍ ସରବରାହ, ଟେଲିଫୋନ ପୁନରୁଦ୍ଧାର, ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ତ୍ୱରାନିତ କରିବା, ପଲିଥିନ ସିଟ ମହଜୁଦ ରଖିବା,ଆବଶ୍ୟକ ସ୍ଥଳେ ଆର୍ ଟି ଓ ଙ୍କ ଦ୍ଵାରା ଗାଡ଼ି ରିକୁଜିସନ୍ କରିବା,ଅଗ୍ନିଶମ ବାହିନୀକୁ ସଜାଗ ରଖିବା,ବନ୍ୟା ସମୟରେ ଗର୍ଭବତୀ ମହିଳାଙ୍କୁ ସ୍ଥାନାନ୍ତରିତ କରିବା,ଜିଲ୍ଲାରେ ଥିବା ସମସ୍ତ ବାତ୍ୟା ବନ୍ୟା ଆଶ୍ରୟସ୍ଥଳୀରେ ଆବଶ୍ୟକୀୟ ଖାଦ୍ୟ,ପାନୀୟ,ଔଷଧ ରଖିବାର ବ୍ୟବସ୍ଥା କରିବା ଇତ୍ୟାଦି ଉପରେ ଆଲୋଚନା କରାଯାଇ ତଦନୁଯାୟୀ କାର୍ଯ୍ୟ କରିବାକୁ ବିଭାଗୀୟ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।
ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ନୂତନ ଭାବେ WINDS system ଜିଲ୍ଲା ରେ ଖୁବ୍ ଶୀଘ୍ର ଆରମ୍ଭ ହେବ ଯେଉଁଥିରେ automatic ରେନ୍ ଗଜ ଓ ପାଣିପାଗ ସୂଚନା ମିଳିପାରିବ ବୋଲି ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ସୂଚନା ଦେଇଥିଲେ।
ଏହି ବୈଠକରେ ଅନ୍ୟ ମନଙ୍କ ମଧ୍ୟ ରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ)ଶ୍ରୀ ସମ୍ବିତ୍ କୁମାର ରାଉତ,ଅତିରିକ୍ତ ଜିଲ୍ଲାପାଳ,ପାରାଦୀପ ଶ୍ରୀ ନିରଞ୍ଜନ ବେହେରା,ଜିଲ୍ଲା ପରିଷଦ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଅକ୍ଷୟ ପିଲ୍ଲେ, ଡ଼ି ଏଫ୍ ଓ ରାଜନଗର ଶ୍ରୀ ଭରଦ ରାଜ ଗାଓଁକର, ଏ ସି ଏଫ୍ କଟକ , ଉପ ଜିଲ୍ଲାପାଳ ଶ୍ରୀ ପ୍ରଶାନ୍ତ କୁମାର ତରାଇ, ଜଗତସିଂପୁର ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂ, ପଞ୍ଚାୟତ ସମିତି ର ଅଧ୍ୟକ୍ଷ/ଅଧ୍ୟକ୍ଷା,ଜିଲ୍ଲା ସ୍ତରୀୟ ଅଧିକାରୀ, କ୍ଷେତ୍ରୀୟ ଅଧିକାରୀ, ବିଡିଓ, ତହସିଲଦାର, ନିର୍ବାହୀ ଅଧିକାରୀ,ଡେପୁଟି କଲେକ୍ଟର ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) କାର୍ଯ୍ୟସୂଚୀ ଅନୁଯାୟୀ ଆଲୋଚନାକୁ ଆଗେଇ ନେଇଥିଲେ । ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଅନିଶା ଦାସ ସ୍ୱାଗତ ଭାଷଣ, ଅତିଥି ପରିଚୟ ଓ ଶେଷ ରେ ଧନ୍ୟବାଦ ଅର୍ପଣ କରିଥିଲେ।
