ବ୍ୟାଙ୍କ୍ ଅଫ ମହାରାଷ୍ଟ୍ର ବଡ଼ବିଲ ଶାଖାରୁ ସଶସ୍ତ୍ର ଡକାୟତି ଘଟଣା ରେ  ବିହାର ପାଟନାରୁ ଆଉ ୨ ଅଭିଯୁକ୍ତ ଗିରଫ —

୨ ଅଭିଯୁକ୍ତଙ୍କୁ ବଡ଼ବିଲ ସହରର ମୁଖ୍ୟ ବଜାରରେ ମାର୍ଚ୍ଚ କରାଇଲା ପୋଲିସ୍ ।

ବଡ଼ବିଲ,୧୪/୦୨/୨୦୨୬ (ଓଡ଼ିଶା ସମାଚାର)- ବଡ଼ବିଲ ବ୍ୟାଙ୍କ୍ ଅଫ ମହାରାଷ୍ଟ୍ର ଶାଖାରୁ  ସଶସ୍ତ୍ର ଡକାୟତି ଘଟଣାରେ ବିହାର ପାଟନାରୁ ଆଉ ୨ ଅଭିଯୁକ୍ତଙ୍କୁ ଗିରଫ କଲା ବଡ଼ବିଲ ପୋଲିସ । ଗିରଫ ୨ ଅଭିଯୁକ୍ତ ହେଲେ ବୈଶାଳୀ ଜିଲ୍ଲା ଆସୋଇ ଅଞ୍ଚଳର ସନ୍ତୋଷ କୁମାର ଏବଂ ପାଟନା ଭୂପତିପୁର ଅଞ୍ଚଳର ନବୀନ କୁମାର ।  ଗିରଫ ଅଭିଯୁକ୍ତଙ୍କ ନିକଟରୁ ମାତ୍ର ୪୦ ଗ୍ରାମ ଓଜନର ସୁନା ଚେନ୍, ମୁଦି ସହ ମୋବାଇଲ୍ ଜବତ୍ ହୋଇଛି । ପୂର୍ବରୁ ଏମାନଙ୍କ ନାଁରେ ବିହାରର ବିଭିନ୍ନ ଥାନାରେ ଅନେକ ଅପରାଧିକ ମାମଲା ରହିଛି ।

ଉଭୟ ଅପରାଧୀଙ୍କୁ ଆଜି ବଡ଼ବିଲ ଅଣାଯିବା ପରେ ସହରର ମୁଖ୍ୟ ବଜାରରେ ମାର୍ଚ୍ଚ କରାଇଛି ପୋଲିସ୍ । ବାଟା ଛକରୁ ଥାନା ଛକ ପର୍ଯ୍ୟନ୍ତ କଡ଼ା ସୁରକ୍ଷା ମଧ୍ୟରେ  ଅଭିଯୁକ୍ତମାନଙ୍କୁ ଚଲାଇ ଚଲାଇ ନିଆଯାଇଥିଲା । ଏମାନଙ୍କୁ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ବେଶ୍ ଉତ୍ସାହ ପରିଲକ୍ଷିତ ହୋଇଥିଲା ।

ଏଯାବତ୍ ଏହି ଘଟଣାରେ ମୋଟ ୬ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଏବେବି ୩ ଅଭିଯୁକ୍ତ, ଯେଉଁମାନେ ସିଧାସଳଖ ଏହି ଡକାୟତିରେ ସାମିଲଥିଲେ ସେମାନେ ଫେରାର୍ ଅଛନ୍ତି । ଗତ ଜାନୁଆରୀ ୧୯ ତାରିଖରେ ବ୍ୟାଙ୍କ୍ ଅଫ ମହାରାଷ୍ଟ୍ର ବଡ଼ବିଲ ଶାଖାରୁ ବନ୍ଧୁକ ମୁନରେ ଲୁଟି ନେଇଥିଲେ ୪ ଲକ୍ଷରୁ ଅଧିକ ଟଙ୍କା ଓ ୭ କୋଟିରୁ ଅଧିକ ମୂଲ୍ୟର ବନ୍ଧକ ସୁନା । ଲୁଟ୍ କରି ଫେରାର ହୋଇଯାଇଥିଲେ ଦୃର୍ବୃତ । ଘଟଣାର ଅନୁସନ୍ଧାନ କରି ଝାଡ଼ଖଣ୍ଡ ଧାନବାଦରୁ ୨ ଜଣ, ଯୋଡ଼ା ବିଲେଇପଦା ଅଞ୍ଚଳରୁ ଜଣେ ସହଯୋଗୀଙ୍କୁ ଗିରଫ କରିବା ସହ ସଂପୃକ୍ତ ଦୁର୍ଦ୍ଦାନ୍ତ ଅପରାଧୀ ସିପୁ କୁମାରକୁ ବିହାରରୁ ଗିରଫ କରିଥିଲା ପୋଲିସ୍। ତେବେ ପରେ ସେ ଖସିଯିବାକୁ ଚେଷ୍ଟା କରିବାରୁ ପୋଲିସ ତାକୁ ଏନକାଉଣ୍ଟର କରିଥିଲା । ସିପୁର ଡାହାଣ ଗୋଡ଼ରେ ଗୁଳି ବାଜିଥିଲା ଏବଂ ସେ ଗୁରୁତର ଆହତ ହୋଇଥିଲା ।

ଏବେବି ଫେରାର ଥିବା ୩ ଡକାୟତଙ୍କୁ ଧରିବା ସହ ଲୁଟ୍ ସୁନା ଉଦ୍ଧାର ପାଇଁ ଯୋରଦାର ପ୍ରୟାସ ଜାରି ରଖିଛି ପୋଲିସ । ଆଜି ସୁଦ୍ଧା ମୋଟ ୩୨୦ ଗ୍ରାମର ସୁନା ଗହଣା, ୨ ଟି ସ୍କର୍ପିଓ, ଗୋଟିଏ ବାଇକ୍ ଓ ମୋବାଇଲ୍ ଫୋନ୍ ଜବତ୍ ହୋଇଥିବା ଜଣାପଡିଛି ।

()

Leave a Reply

Your email address will not be published. Required fields are marked *