କଟକ ସଦର,୧୫/୦୫/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଚାରିଆଡ଼େ ତେଲ ସଂକଟକୁ ନେଇ ସାଧାରଣ ଜୀବନଯାତ୍ରା ଦୁର୍ବିସହ ହୋଇ ପଡିଥିବା ବେଳେ କଟକ ରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଆମ୍ବୁଲାନ୍ସରୁ ତେଲ ସରିଯିବାରୁ ଡାକ୍ତରଖାନାରେ ପହଞ୍ଚି ନପାରି ଜନୈକ ରୋଗୀଙ୍କର ଅକାଳ ମୃତ୍ୟୁ ଘଟିଥିବା ଜଣାପଡିଛି।

ପ୍ରକାଶ ଯେ କେନ୍ଦ୍ରାପଡ଼ା ଅଞ୍ଚଳର ଜନୈକ ବିଷ ପିଆ ରୋଗୀ ପ୍ରକାଶ କୁମାର ତାଣ୍ଡି କଟକ ବଡ଼ ଡ଼ାକ୍ତରଖାନାକୁ ଚିକିତ୍ସା ପାଇଁ ଆସିଥିବା ବେଳେ ଉନ୍ନତ ଚିକିତ୍ସା ପାଇଁ ପରିବାର ଲୋକେ ଆଜି ଶୁକ୍ରବାର ଦିନ ଭୁବନେଶ୍ବରର ଏକ ଘରୋଇ ଡ଼ାକ୍ତରଖାନାକୁ ଆମ୍ବୁଲାନ୍ସ ଯୋଗେ ନେଉଥିଲେ। ହେଲେ କଟକର କାଠଯୋଡି ପୋଲ ଉପରେ ଆମ୍ବୁଲାନ୍ସରୁ ତେଲ ସରିଯିବାରୁ ରୋଗୀ ପରିବହନ ବାଧାପ୍ରାପ୍ତ ହୋଇଥିବା ଅଭିଯୋଗ ହେଉଛି। ଯେଉଁଥିପାଇଁ ଅକାଳରେ ରୋଗୀଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି।
ହେଲେ ଏ ସମ୍ପର୍କରେ ଆମ୍ବୁଲାନ୍ସ ଡ଼୍ରାଇଭର କୁହନ୍ତି ଯେ ପେଟ୍ରୋଲ ପମ୍ପ ରେ ଲମ୍ବା ଧାଡ଼ି ପାଇଁ ତେଲ ପକାଇ ପାରିନଥିଲି। ଆଗକୁ ଆଗକୁ ସବୁ ପେଟ୍ରୋଲ ପମ୍ପ ରେ ସମାନ ଅବସ୍ଥା ପାଇଁ ଏମିତି ଦୂର୍ଘଟଣା ସାମ୍ନା କରିବାକୁ ପଡିଲା। ତେଲ ପାଇଁ ଜୀବନ ଯିବା ଘଟଣା ସମସ୍ତଙ୍କୁ ସ୍ତମ୍ଭିଭୂତ କରି ଦେଇଛି।
