କେନ୍ଦ୍ରାପଡ଼ା, ୦୨/୦୯/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଜିଲାପାଳ ରଘୁରାମ ଆର. ଆୟାର ମଙ୍ଗଳବାର କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ କୁତରଙ୍ଗ ଗ୍ରାମପଂଚାୟତର ପଲ୍ଲୀ ଶିକ୍ଷାଶ୍ରମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପିଲାମାନଙ୍କୁ ପାଠ ପଢାଇଛନ୍ତି । ଜିଲାପାଳ ପିଲାମାନଙ୍କୁ ସାଧାରଣ ଜ୍ଞାନ ବିଷୟରେ ବିଭିନ୍ନ ପ୍ରଶ୍ନ ପଚାରିଥିଲେ । ଏଥିସହ ପିଲାମାନଙ୍କୁ ସାଧାରଣ ଜ୍ଞାନ ବିଷୟରେ ପ୍ରତିଦିନ ଶିକ୍ଷା ଦେବା ପାଇଁ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ତାଗିଦ କରିଥିଲେ । ଛାତ୍ରଛାତ୍ରୀମାନେ ପାଠ୍ୟକ୍ରମ ସହ ସାଧାରଣ ଜ୍ଞାନ ପଢିବା ନିହାତି ଆବଶ୍ୟକ ।
ସାଧାରଣ ଜ୍ଞାନ ଛାତ୍ରଛାତ୍ରୀମାନଙ୍କୁ ଭବିଷ୍ୟତରେ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ବେଶ ସହାୟକ ହେବ । ସାଧାରଣ ଜ୍ଞାନ ବିଷୟରେ ଶିଶୁ ବାଟିକା ଓ ବିଦ୍ୟାଳୟ ସ୍ତରରୁ ଶିକ୍ଷାଦାନ ଦିଆଗଲେ ପିଲାଙ୍କ ମଧ୍ୟରେ ପିଲାଟି ଦିନରୁ ପ୍ରତିଯୋଗିତାମୂଳକ ମନୋଭାବ ସୃଷ୍ଟି ହେବ । ଫଳରେ ସେମାନେ ଭବିଷ୍ୟତରେ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରିବାରେ ଏହି ସାଧାରଣ ଜ୍ଞାନ ବେଶ ସହାୟକ ହେବ ବୋଲି ଜିଲାପାଳ କହିଥିଲେ । ଜିଲାପାଳ ପିଲାମାନଙ୍କୁ ବିଭିନ୍ନ ପ୍ରକାରର ପ୍ରଶ୍ନ ପଚାରିଥିଲେ । ଏହାସହ ନିଜେ କେତେକ ପ୍ରଶ୍ନର ଉତର ମଧ୍ୟ ଦେଇଥିଲେ । ପିଲାମାନଙ୍କୁ ପାଠ ପଢାଇ ସାରିବା ପରେ ଜିଲାପାଳ ଦୁଇଟି ବିଦ୍ୟାଳୟ ପରିସରରେ ପାନୀୟ ଜଳ ବ୍ୟବସ୍ଥା ଅଛି କି ନାହିଁ ତାହା ଯାଂଚ କରିଥିଲେ ।
କେଉଁ ଉତ୍ସରୁ ପିଲାମାନଙ୍କୁ ପାନୀୟ ଜଳ ପିଇବାକୁ ଦିଆଯାଉଛି ତାହା ସୁରକ୍ଷିତ ଅଛି କି ନାହିଁ ସେ ସମ୍ପର୍କରେ ଯାଂଚ କରିଥିଲେ । ପିଲାମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ କହିଥିଲେ । ସେହିପରି ପିଲାମାନଙ୍କୁ ପୁଷ୍ଟିକର ଖାଦ୍ୟ ଦିଆଯାଉଛି କି ନିମ୍ନମାନର ରନ୍ଧା ଖାଦ୍ୟ ଦିଆଯାଉଛି ତାହା ଜିଲାପାଳ ନିଜେ ପରୀକ୍ଷା କରିଥିଲେ । ପିଲାମାନଙ୍କୁ ପ୍ରଦାନ କରାଯାଉଥିବା ଖାଦ୍ୟରୁ ଜିଲାପାଳ କିଛି ଖାଇ ତାହାର ମାନ ପରୀକ୍ଷା କରିଥିଲେ । ସେହିପରି ବିଦ୍ୟାଳୟ ପରିସରରେ ସ୍ୱଚ୍ଛତା ରକ୍ଷା ପାଇଁ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ତାଗିଦ କରିଥିଲେ । ପିଲାମାନେ ଆଗାମୀ କାଲିର ଭବିଷ୍ୟତ । ତେଣୁ ଆମ ଭବିଷ୍ୟତ ପୀଢି ଯେପରି କୌଣସି ସମସ୍ୟାରେ ନ ପଡନ୍ତି ସେଥିପ୍ରତି ଯତ୍ନବାନ ହେବାକୁ ବିଦ୍ୟାଳୟ କର୍ତୃପକ୍ଷଙ୍କୁ ନିର୍ଦେଶ ଦେଇଥିଲେ ।
