ଡେଲାଙ୍ଗ,୧୪/୦୫/୨୦୨୬ (ଓଡ଼ିଶା ସମାଚାର)- ଡେଲାଙ୍ଗ ଅଞ୍ଚଳରେ ବେଆଇନ ପଥର ଖଣିକୁ ନେଇ ବିବାଦ ଉଗ୍ର ରୂପ ନେଇଛି । ବୋମାମାଡ଼ ସହ ବ୍ଲାଙ୍କ ଫାୟାରିଂ କରିଛନ୍ତି ଖଣି ମାଫିଆ। ୩ରୁ ଅଧିକ ବୋମାମାଡ଼ ସହ ଗୁଳି ଫୁଟିଛି। ଏଥିରେ ୩ ଜଣ ଆହତ ହୋଇଥିବା ବେଳେ ସେଥି ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଅନ୍ୟ ୭ ଜଣ ଅଳ୍ପକେ ବର୍ତି ଯାଇଛନ୍ତି। ଗୁରୁତର ଆହତମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ମିଳିଥିବା ସୂଚନା ଅନୁସାରେ ଗୋଡ଼ିପୁଟ ମାଟିଆପଡା ପଞ୍ଚାୟତର ହରିପୁର ଗାଁରେ ଖଣି ମାଫିଆଙ୍କ ଦବଙ୍ଗଗିରି। ଡେଲାଙ୍ଗ ପୋଲିସ ଓ ହରିରାଜପୁର ଫାଣ୍ଡି ପୋଲିସ ତଦନ୍ତ ଆରମ୍ଭ କରିଛନ୍ତି। ଘଟଣାସ୍ଥଳରୁ ୨ଟି ଅଫୁଟା ବୋମା ଏବଂ ଗୁଳିର ସିସା ଜବତ କରାଯାଇଛି। ଖବର ପାଇ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଛି । କିଏ ଏହି ହିଂସାକାଣ୍ଡରେ ସଂପୃକ୍ତ, ବେଆଇନ ପଥର ଖଣିକୁ ନେଇ କେଉଁ ଗୋଷ୍ଠୀ ମଧ୍ୟରେ ବିବାଦ ହୋଇଥିଲା ତାହାକୁ ନେଇ ତଦନ୍ତ ଚାଲିଛି।
