ଭୁବନ, ୧୩/୦୫/୨୦୨୬ (ଓଡ଼ିଶା ସମାଚାର)- ଢେ଼ଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୧୩ ନମ୍ବର ୱାର୍ଡ ସ୍ଥିତ ଏକ ଓଭର ହେଡ ପାଣି ଟାଙ୍କିରେ କାମ କରୁଥିବା ବେଳେ ବିଦ୍ୟୁତ ଆଘାତରେ ଜଣେ ଠିକା ଶ୍ରମିକ ଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ପ୍ରାପ୍ତ। ଖବର ରୁ ପ୍ରକାଶ ଯେ, ପ୍ରାୟ କୋଟିଏ ରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟରେ ଜନସ୍ୱାସ୍ଥ୍ୟ ବିଭାଗ ତରଫରୁ କୃଷକ ଭବନ ନିକଟରେ ନିର୍ମାଣ ହେଉଥିବା ଏକ ଓଭର ହେଡ ପାଣି ଟାଙ୍କିରେ ବିହାର ରାଜ୍ୟ କିଶନଗଞ୍ଜ ଜିଲ୍ଲାର ଦୁଇ ଭାଇ ଏମ ଡି ମଞ୍ଜର ଆଲମ୍ ଏବଂ ଏମ ଡି ଜୁନେଦ ଆଲମ ଏଠାରେ ଦିନ ମଜୁରିଆ ଭାବେ କାମ କରୁଥିଲେ ।
ଆଜି ବୁଧବାର ଦ୍ଵିପ୍ରହର ସମୟରେ କାମ ସାରି ସମସ୍ତ ଶ୍ରମିକ ଭୋଜନ କରୁଥିବା ବେଳେ ପାଣି ମୋଟର ଚାଲୁ କରିବାକୁ ଯାଇଥିଲେ ଏମ ଡି ଜୁନେଦ (୧୯) । କିଛି ସମୟ ପରେ ସହକର୍ମୀ ମାନେ ତାଙ୍କୁ ଖୋଜିବାରୁ ସେ ପାଣି ମୋଟର ନିକଟରେ ଅଚେତ୍ ହୋଇ ପଡ଼ିଥିବା ଦେଖି ତାଙ୍କୁ ସଙ୍ଗେ ସଙ୍ଗେ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାକୁ ନେଇ ଡାକ୍ତରଖାନା ପରିସରରେ ଉତେଜନା ସୃଷ୍ଟି ହୋଇଥିଲା ।
ଦିନ ୧୧ ଘଟିକାରୁ ଅପରାହ୍ନ ୩ ଘଟିକା ପର୍ଯ୍ୟନ୍ତ ଶ୍ରମିକ ମାନେ କାର୍ଯ୍ୟ ନକରିବାକୁ ସରକାର ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିବା ବେଳେ ଭୁବନ ଅଞ୍ଚଳରେ ପ୍ରତ୍ୟେକ ପ୍ରକଳ୍ପ କାର୍ଯ୍ୟରେ ଠିକାଦାର ମାନେ ପ୍ରଚଣ୍ଡ ଖରାରେ ବିନା ସୁରକ୍ଷାରେ କାମ କରାଉଥିବା ଦେଖିବାକୁ ମିଳୁଛି । ଭୁବନ ପୋଲିସ ଶବ ଜବତ କରି ଅଧିକ ତଦନ୍ତ ଚଳାଇଛି ଓ ଆସନ୍ତା କାଲି ଶବ ବ୍ୟବଚ୍ଛେଦ ହୋଇ ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି ପୋଲିସ କହିଛି।
