କଦମଛନ୍ଦା ଗ୍ରାମର ପାଇକା ନଦୀ ବନ୍ଧ ର ଚାରି ଗୋଟି ଗଡ଼ା ମରଣ ଯନ୍ତା

ଗରଦପୁର,୧୨/୦୫/୨୦୨୬ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ ଅନ୍ତଗର୍ତ ତେଣ୍ଡାକୁଡା ଗ୍ରାମ ପଂଚାୟତ ଅଧିନସ୍ଥ ପାଇକା ନଦୀ ର ଦକ୍ଷିଣ ପାର୍ଶ୍ୱ କଦମଛନ୍ଦା କେନ୍ଦ୍ରାପଡା ଜିଲ୍ଲାର ଏକ ଉପାନ୍ତ ରାଜସ୍ୱ ଗ୍ରାମ । ପାଂଚଶହ ରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଏହି ଗ୍ରାମରେ ଡାକଘର,ଅଙ୍ଗନବାଡି କେନ୍ଦ୍ର ପ୍ରାଥମିକ ଠାରୁ ଆରମ୍ଭ କରି ଉଚ୍ଚ ବିଦ୍ୟାଳୟ ପର୍ଯ୍ୟନ୍ତ ତିନିଗୋଟି ଶିକ୍ଷାନୁଷ୍ଠାନ ର ୩୦୦ ରୁ ଅଧିକ ଛାତ୍ରଛାତ୍ରୀ ଙ୍କ ସହ ଦୈନିକ ଶତାଧିକ ଅନ୍ୟ ଗ୍ରାମର ଲୋକମାନଙ୍କ ଗତାଗତ ହୋଇଥାଏ । ଗ୍ରାମସହ ସୀମାନ୍ତର ପାଇକା ନଦୀବନ୍ଧ ଏହି ଗ୍ରାମ ସହ ତିର୍ତୋଲ ଅଂଚଳର ୫୦ ଖଣ୍ଡ ଗ୍ରାମକୁ ଗମନାଗମନ ର ମୁଖ୍ୟ ମାଧ୍ୟମ ।

ନଦୀବନ୍ଧ ପିଚୁରାସ୍ତା ହୋଇଥିଲେ ମଧ୍ୟ ନଦୀ ବନ୍ଧରୁ କଦମଛନ୍ଦା ଗ୍ରାମର ବିଭିନ୍ନ ସାହି ଓ ବିଦ୍ୟାଳୟ କୁ ସଂଯୋଗକାରୀ ୪ ଗୋଟି ଗଡା ମରାମତି ଅଭାବରୁ ମରଣଯନ୍ତା ପାଲଟିଛନ୍ତି । ଢଳେଇ କଥା ତ ଦୂର,ମାଟି ମୁଠାଏ ପକାଇବାକୁ ମଣିଜଙ୍ଗା ଜଳସେଚନ ଉପଖଣ୍ଡ ର ଯନ୍ତ୍ରୀମାନେ ଆଖି ପକାନ୍ତି ନାହିଁ । ଅନେକ ବାର ବର୍ଷାଦିନେ ବୁଢ଼ା ବୁଢ଼ୀ ଙ୍କ ଗୋଡ଼ ଖସି ଜଖମ ହେବାସହ ପିଲାମାନେ ସାଇକେଲ୍ ରୁ ପଡ଼ି ଗୋଡ଼ ହାତ ଭାଙ୍ଗୁଛନ୍ତି ।ବର୍ଷ ବର୍ଷର ନେହୁରା ପରେ ଛ’ମାସ ତଳେ ବିଭାଗୀୟ ସହକାରୀ ଯନ୍ତ୍ରୀ(ଶେଙ୍ଖଶ୍ୱର)ଓ ସହକାରୀ ନିର୍ବାହି ଯନ୍ତ୍ରୀ(ମଣିଜଙ୍ଗା) ସୁପରିନଟେଣ୍ଡିଂ ଇଞ୍ଜିନିୟର ମହାନଦୀ ସାଉଥ୍ ଡିଭିଜନ କ୍ଷେତ୍ର ପରିଦର୍ଶନ କରି ଯଥାଶୀଘ୍ର ଗ୍ରାମର ୪ଟି ଗଡାକୁ ମରାମତି ସହ ଢଳେଇ କରିବା ପାଇଁ ପ୍ରତିଶୃତି ଦେଇଥିଲେ ।ମାତ୍ର ଅନେକ ବାର ଦଉଡି ଦଉଡି ଗ୍ରାମବାସୀ ହତାସ ହେଲେଣି । କାରଣ କୌଣସି ଅଧିକାରୀ କାର୍ଯ୍ୟକ୍ଷେତ୍ର ପରିସୀମାରେ ନରହି କଟକ ରେ ଅବସ୍ଥାନ କରୁଥିବାରୁ ସେମାନଙ୍କୁ ଭେଟି ଗୁହାରି କରିବା ସମ୍ଭବ ନୁହେଁ ।

ଆଗକୁ ବର୍ଷାଦିନ ଆସୁଥିବାରୁ ବୁଢାବୁଢି ଙ୍କ ଠାରୁ ଆରମ୍ଭ କରି କୁନିକୁନି ସ୍କୁଲ୍ ପିଲାଙ୍କ ଯିବାଆସିବା ତଥା ଗ୍ରାମବାସୀ ଙ୍କ ଦୀର୍ଘ ଦିନର ସର୍ବନିମ୍ନ ଆବଶ୍ୟକତା କୁ ଉପଲବ୍ଧି କରି ସ୍ଥାନୀୟ ପ୍ରଶାସନ ଓ ସରକାର ପ୍ରତିକାର ବ୍ୟବସ୍ଥା କରିବାକୁ ମହାମାୟା ପରିଷଦର ସଭାପତି ରୁଦ୍ର ସିଂହ କର୍ତୃପକ୍ଷ ଙ୍କୁ ଅନୁରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *