ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଜାତୀୟ କନ୍ୟା ଶିଶୁ ଦିବସ ପାଳିତ

ଭୁବନେଶ୍ୱର,୨୪/୦୧/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆଜି ଭୁବନେଶ୍ବରସ୍ଥିତ ଆଇ.ଆର.ସି ଭିଲେଜଠାରେ ଥିବା ପି.ଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଜାତୀୟ କନ୍ୟା ଶିଶୁ ଦିବସ ପାଳିତ ହୋଇଯାଇଛି । ଚଳିତ ବର୍ଷର ବିଷୟବସ୍ତୁ “ଉଜ୍ଜ୍ବଳ ଭବିଷ୍ୟତ ପାଇଁ କନ୍ୟା ସଶକ୍ତିକରଣ” କୁ ନେଇ ଏହି ଦିବସ ପାଳିତ ହୋଇଯାଇଛି ।

ସମାରୋହରେ ଓସେପାର ଯୁଗ୍ମ ନିର୍ଦ୍ଦେଶକ ଡ଼ ସନ୍ତୋଷ କୁମାର ରାଉତ, ବେକଥ୍ରୁ ସଂସ୍ଥାର ରାଜ୍ୟ ମୁଖ୍ୟ ଡ଼ ରୁକ୍ମଣୀ ପଣ୍ଡା, ଓସେପା ଷ୍ଟେଟ୍ ଜେଣ୍ଡର କୋର୍ଡିନେଟର୍ ଲହରି ମହାନ୍ତି, ଜିଲ୍ଲା ଜେଣ୍ଡର କୋର୍ଡିନେଟର୍ ପ୍ରଣୀତା ସାବତ, ଅନ୍ତର୍ଜାତୀୟ କବି ଡ଼ ସ୍ନିଗ୍ଧାରାଣୀ ସ୍ବାଇଁ, ଲେଖିକା ତଥା ସାମାଜିକ କର୍ମୀ ଚିନ୍ମୟୀ ପଣ୍ଡା, ପ୍ରସିଦ୍ଧ ଗାୟିକା ପ୍ରିୟଙ୍କା ରଥ, ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷା ସୀତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ଅତିଥିମାନେ କନ୍ୟା ଶିକ୍ଷା ଓ ସମାଜରେ ସେମାନଙ୍କ ସମାନ ଅଧିକାର ଉପରେ ଗୁରୁତ୍ବାରୋପ କରିଥିଲେ । ଏଥିସହ ଏହି ସଚେତନତାରେ ପରିବାରର ବିଶେଷ ଭୂମିକା ରହିଛି ବୋଲି ମତପ୍ରକାଶ କରିଛନ୍ତି । ଶିକ୍ଷିତ ଓ ସଶକ୍ତ କନ୍ୟା ଏକ ସୁସ୍ଥ, ସମୃଦ୍ଧ ଓ ସମାନତାପୂର୍ଣ୍ଣ ସମାଜ ଗଢ଼ିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାନ୍ତି । ସେମାନଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ ସେବା ଓ ସୁରକ୍ଷା ଦେଲେ ଦେଶ ଉନ୍ନତିର ପଥରେ ଆଗେଇଯିବା ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି ।

ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ସଚେତନତା ରାଲି, ପୁଷ୍ଟିକର ଖାଦ୍ୟ ମେଳା, ଶିଶୁ ବାଟିକା, କିଶୋରୀ କ୍ଲବ, ସାଂସ୍କୃତିକ କାର୍ଯ୍ୟକ୍ରମ, ବକ୍ତବ୍ୟ ଓ ସଚେତନତାମୂଳକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।

-0-

ରୋଜାଲିନ୍ ସାହୁ ,ଲୋକସମ୍ପର୍କ ଅଧିକାରୀ ,ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *