ଭୁବନେଶ୍ୱର,୦୮/୦୫/୨୦୨୬(ଓଡ଼ିଶା ସମାଚାର)- ସକାଳେ ଅସହ୍ୟ ଖରା ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହେଉଛି । ସେପଟେ ଅପରାହ୍ନରେ କାଳବୈଶାଖୀର ତାଣ୍ଡବ ଆରମ୍ଭ ହେଉଛି ଅଧିକାଂଶ ଦିନ । ତୁହାକୁ ତୁହା ଏପରି ବର୍ଷାରେ ଭିଜୁଛି ସାରା ରାଜ୍ୟ । ଅପରପକ୍ଷେ ଶୁକ୍ରବାର ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ପାର୍ଶ୍ୱବର୍ତୀ ଅଂଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି ।
ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦେଶିକା ମନୋରମା ମହାନ୍ତି କହିଛନ୍ତି ଓଡ଼ିଶା ସଂଲଗ୍ନ ଛତିଶଗଡ଼ ଉପରେ ଏକ ଘୂର୍ଣ୍ଣିବଳୟ ରହିଛି । ଏହାଉପରେ ଦେଇ ଆଉ ଏକ ଟ୍ରପ୍ ଲାଇନ୍ ଯାଇଛି । ଯାହାର ପ୍ରଭାବରେ କାଳବୈଶାଖୀ ଜନିତ ବର୍ଷା ଲାଗି ରହିଛି । ଆସନ୍ତା ୧୩ ତାରିଖ ଯାଏଁ ଏହି ବର୍ଷା ଲାଗି ରହିବ । ଆଂଚଳିକ ପାଣିପାଗ ବିଭାଗ ତରଫରୁ ଦିଆଯାଇଥିବା ସୂଚନା ଅନୁସାରେ ବିଶେଷ କରି ଉତର ଉପକୂଳ ଜିଲାଗୁଡ଼ିକ ଏହା ଫଳରେ ଅଧିକ ପ୍ରଭାବିତ ହେବ ବୋଲି ସତର୍କ ସୂଚନା ରହିଛି । ଘୂର୍ଣ୍ଣିବାତ୍ୟାର ବ୍ୟାପ୍ତି ସମୁଦ୍ର ପତନ ଠାରୁ ଦେଢ଼କିଲୋମିଟର ପର୍ଯ୍ୟନ୍ତ ରହିଛି ।
