ଭୁବନେଶ୍ୱର, ୧୪/୦୧/୨୦୨୫ (ଓଡ଼ିଶା ସମାଚାର)-ମଧ୍ୟାହ୍ନ ଭୋଜନରେ ଛାତ୍ର ଛାତ୍ରୀ ଙ୍କୁ ଭିଟାମିନ ଯୁକ୍ତ କ୍ଷୀର ଦେବା ପାଇଁ ସରକାରୀ ସ୍ତର ରେ ଆଲୋଚନା ହେଉଥିବା ଏକ ଅସମର୍ଥିତ ସୂତ୍ର ରୁ ପ୍ରକାଶ, ଏହି ଆଲୋଚନା କୁ ଓଡ଼ିଶା ଦୁଗ୍ଧ ଚାଷୀ ମହାସଂଘ ସ୍ବାଗତ କରିଛି।
ଓଡ଼ିଶା ଦୁଗ୍ଧ ଚାଷୀ ମହାସଂଘର ସଭାପତି ରବି ବେହେରା ଏକ ପ୍ରେସ ବିବୃତି ରେ କହିଛନ୍ତି ଯେ ଓଡ଼ିଶା ଦୁଗ୍ଧ ଚାଷୀ ମହାସଂଘ ପକ୍ଷରୁ ମଧ୍ୟାହ୍ନ ଭୋଜନ ଓ ଆଇ ସି ଡ଼ି ଏସ୍ କାର୍ଯକ୍ରମ ରେ ଦୁଗ୍ଧ ଓ ପନିର ଦେବାପାଇଁ ୨୦୧୬ ମସିହାରୁ ଦାବି କରି ଆସୁଅଛି। ଏହାକୁ ନେଇ ତତ୍କାଳୀନ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢ଼ୀ ଓ ଓମ୍ ଫେଡ୍ ପରିଚାଳନା ନିର୍ଦ୍ଦେଶକ ମଧୁସୂଦନ ପାଢ଼ୀ ଓ ଓଡ଼ିଶା ଦୁଗ୍ଧ ଚାଷୀ ମହାସଂଘ ସହିତ ଆଲୋଚନା କରାଯାଇ ଥିଲା।
ଆପତତଃ ଛାତ୍ର ଛାତ୍ରୀ ଙ୍କୁ ଏବଂ ଗର୍ଭବତୀ ମହିଳା ଶିଶୁ ମାନଙ୍କୁ ସପ୍ତାହ କୁ ଦୁଇ ଥର ଦୁଗ୍ଧ ଓ ପନିର ଦିଆଯିବା ପାଇଁ ସରକାର ସଚେତନ ଅଛନ୍ତି ବୋଲି ସରକାରଙ୍କ ତରଫରୁ କୁହାଯାଇଥିଲା। କିନ୍ତୁ ଦୀର୍ଘଦିନ ବିତିଯାଇଥିଲେ ମଧ୍ୟ ଏହି ନିଷ୍ପତି କୁ ସରକାର କାର୍ଯକାରୀ କରିବାରେ ସକ୍ରୀୟତା ପ୍ରଦର୍ଶନ କଲେ ନାହିଁ। ବର୍ତମାନ ର ସରକାର ଯଦି ଏ ଦିଗରେ ସକ୍ରିୟ ନିଷ୍ପତି ଗ୍ରହଣ କରନ୍ତି ତାହା ଏକ ସ୍ବାଗତ ଯୋଗ୍ୟ ପଦକ୍ଷେପ ହେବ ବୋଲି ଶ୍ରୀ ବେହେରା ମତ ପ୍ରକାଶ କରିଛନ୍ତି।
ଏହାଦ୍ବାରା ମହିଳା ଓ ଶିଶୁ ମାନଙ୍କ ମଧ୍ୟରେ ଦେଖା ଦେଉଥିବା ଅପପୃଷ୍ଟି ଓ ରକ୍ତ ହୀନତା ଭଳି ରୋଗ କୁ ଦୂର କରାଯାଇ ପାରିବ। ଏହା ବ୍ୟତୀତ ଗ୍ରାମାଞ୍ଚଳ ରେ ଅଧିକ ରୁ ଅଧିକ ଲୋକ ଙ୍କୁ ଡାଏରୀ ଫାର୍ମିଙ୍ଗ୍ ଜରିଆରେ ରୋଜଗାର ସୃଷ୍ଟି ର ସୁଯୋଗ ମିଳିବ ବୋଲି ଶ୍ରୀ ବେହେରା ଆଶା ପ୍ରକାଶ କରିଛନ୍ତି।
ଏହାଦ୍ବାରା ଓମ୍ ଫେଡ୍ ଶକ୍ତିଶାଳୀ ହେବା ସହିତ ଏକ ଲାଭକାରୀ ସଂସ୍ଥା ରେ ପରିଣତ ହେବ ବୋଲି ଓଡ଼ିଶା ଦୁଗ୍ଧ ଚାଷୀ ମହାସଂଘ ତରଫରୁ କୁହାଯାଇଛି।