ଭୁବନେଶ୍ୱର, ୦୮/୦୫/୨୦୨୬ ( ଓଡ଼ିଶା ସମାଚାର)- ଶୁକ୍ରବାର ସନ୍ଧ୍ୟା ପ୍ରାୟ ସାଢ଼େ ୬ଟା ପରେ ଆକାଶରେ ଉଜ୍ୱଳ ଆଲୋକ ଦେଖିବାକୁ ମିଳିଥିଲା । କିଛି ସମୟ ପରେ ପୁଣି କେଉଁଆଡ଼େ ଉଭାନ ହୋଇଯାଇଥିଲା । ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଆଲୋକ ଏକ ନିର୍ଦିଷ୍ଟ ଦିଗରେ ଗତି କରି ପୁଣି ମିଳେଇ ଯାଇଥିଲା । କିନ୍ତୁ ଆଲୋକର ରାସ୍ତାରେ ଧୂଆଁର ଦାଗ ରହିଥିଲା ।
ହଠାତ ଏହି ଆଲୋକ ତଳୁ ଉପର ଦିଗକୁ ଗତି କରି କିଛି ସମୟ ପରେ ମିଳେଇ ଯାଇଥିଲା । ଯାହାକୁ ନେଇ ଲୋକଙ୍କ ଭିତରେ ବିଭିନ୍ନ ଚର୍ଚ୍ଚା । ଏହି ଆଲୋକ କଣ କିଛି ସ୍ପଷ୍ଟ ହୋଇନାହିଁ । ତେବେ ଆଜି ସନ୍ଧ୍ୟା ୬ଟା ୨୫ ରେ ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରେ ଅଗ୍ନି ୫ କ୍ଷେପଣାସ୍ତ୍ରର ପରୀକ୍ଷଣ ହୋଇଥିବାରୁ ଏହା ସେଥିଯୋଗୁ ସୃଷ୍ଟି ହୋଇଥିବା ଲୋକେ ଅନୁମାନ କରୁଛନ୍ତି । ବିଭିନ୍ନ ସ୍ଥାନରେ ଲୋକେ ଏହାକୁ ଫଟୋ ଏବଂ ଭିଡ଼ିଓ ଉଠାଇ ସୋସିଆଲ ମିଡ଼ିଆରେ ଛାଡ଼ିଥିବା ଦେଖାଯାଇଛି ।
