– ଖୁବ୍ ଶୀଘ୍ର ଜାରିହେବ ବେବନ୍ଦୋବସ୍ତ ଜମିର ବନ୍ଦୋବସ୍ତ ସମ୍ପର୍କିତ ଏସଓପି
– ସରକାରୀ ଜମିର ଜବରଖଲ କରିଥିଲେ ହେବ କାର୍ଯ୍ୟାନୁଷ୍ଠାନ
– ସଫଳ ରାଜସ୍ୱ ପ୍ରଶାସନ ନେଇ ହେବ ଜିଲ୍ଲାମାନଙ୍କର ରାଙ୍କିଙ୍ଗ୍
– ଜମିପଟ୍ଟା ପ୍ରଜା ଖାନା – ୨ ସଂଶୋଧନ ତ୍ୱରାନ୍ୱିତ କରିବାକୁ ରାଜସ୍ୱ ନିରୀକ୍ଷକଙ୍କ ପାଇଁ ମାସିକ ୨୫୦-୩୦୦ ଖାତାର ଲକ୍ଷ୍ୟ ଧାର୍ଯ୍ୟ
ଭୁବନେଶ୍ୱର, ୦୬/୦୫/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)-ଲୋକସେବା ଭବନଠାରେ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସମସ୍ତ ବେବନ୍ଦୋବସ୍ତ ଜମିର ସମାଧାନ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବା ସହ ସମସ୍ତ ଜମିପଟ୍ଟାର ୨ ଖାନା ବା କଲମ୍ ୨ ସଂଶୋଧନ ତ୍ୱରାନ୍ୱିତ କରିବା ପାଇଁ ମାନ୍ୟବର ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ଗତବର୍ଷ ବକେୟା ଥିବା ପ୍ରାୟ ୩୮ ହଜାର ଏକର ବେବନ୍ଦୋବସ୍ତ ଜମିରୁ ପ୍ରାୟ ୭ ହଜାର ଏକର ଜମିର ବନ୍ଦୋବସ୍ତ ମାମଲା ଫଇସଲା କରାଯାଇ ରୟତି ସତ୍ବରେ ରେକର୍ଡ଼ଭୁକ୍ତ କରାଯାଇଛି । ଏହି ପରିପ୍ରେକ୍ଷୀରେ କଟକ, ପୁରୀ, ଭଦ୍ରକ, ବଲାଙ୍ଗୀର ଏବଂ ଜଗତସିଂହପୁର ଆଦି ଜିଲ୍ଲାମାନଙ୍କରେ ଅଧିକ ବକେୟା ଥିବା ମାମଲାଗୁଡିକର ବନ୍ଦୋବସ୍ତ ପ୍ରକ୍ରିୟା ତ୍ୱରାନ୍ୱିତ କରିବା ସହ ଯୋଗ୍ୟ ବ୍ୟକ୍ତିମାନଙ୍କ ସପକ୍ଷରେ ଜମିପଟ୍ଟା ଜାରି କରିବା ନିମନ୍ତେ ମାନ୍ୟବର ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି, ଯେଉଁଠି ସମ୍ପୃକ୍ତ ବ୍ୟକ୍ତିବିଶେଷ ବେବନ୍ଦୋବସ୍ତ ଜମି ନିମନ୍ତେ ସଲାମି ଦେଉ ନାହାଁନ୍ତି ; ସେ କ୍ଷେତ୍ରରେ କାରଣ ଦର୍ଶାଅ ନୋଟିସ୍ ଦେଇ ଏକ ମାସ ମଧ୍ୟରେ ଶୀଘ୍ର ଫଇସଲା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସୂଚନାଯୋଗ୍ୟ ଯେ, ଯେଉଁ ଜମିମାନଙ୍କର କୌଣସି ବନ୍ଦୋବସ୍ତ ନିର୍ଦ୍ଧାରିତ ହୋଇ ନାହିଁ ତଥା ଖତିଆନରେ କୌଣସି ସ୍ଥିରୀକୃତ ଖଜଣା କିମ୍ବା ସ୍ଵୀକୃତ ମାଲିକାନା ଦର୍ଶାଯାଇନାହିଁ, ସେହି ସବୁ ଜମି ବେବନ୍ଦୋବସ୍ତ ଜମି ଅଧୀନରେ ଆସୁଥିବା ବେଳେ ଯେଉଁ ପର୍ଯ୍ୟନ୍ତ ସମୁଚିତ ପ୍ରକ୍ରିୟାରେ ସଠିକ୍ ମାଲିକାନା ନିର୍ଦ୍ଧାରିତ ନ ହୋଇ ପାରିଛି, ସେପର୍ଯ୍ୟନ୍ତ ତାହା ସରକାରୀ ଜମି ଭାବରେ ପରିଗଣିତ ହୋଇଥାଏ । ପ୍ରଶାସନିକ ଦୃଷ୍ଟିକୋଣରୁ ଉକ୍ତ ଜମିର ବନ୍ଦୋବସ୍ତ ତହସିଲଦାରଙ୍କ ଦ୍ଵାରା ଉପଜିଲ୍ଲାପାଳ ଏବଂ ଜିଲ୍ଲାପାଳଙ୍କ ତତ୍ତ୍ଵାବଧାନରେ କରାଯାଇଥାଏ । ଜମି ରେକର୍ଡ଼୍ ସଠିକ୍ ରଖିବା, ଅନଧିକୃତ ଦଖଲ ରୋକିବା ଏବଂ ରାଜସ୍ୱ ବୃଦ୍ଧି କରିବା ପରିପ୍ରେକ୍ଷୀରେ ବେବନ୍ଦୋବସ୍ତ ଜମିର ସେଟେଲମେଣ୍ଟ୍ ନିମନ୍ତେ ବିଭିନ୍ନ ସମୟରେ ରାଜ୍ୟସରକାରଙ୍କ ପକ୍ଷରୁ ସର୍କୁଲାର୍ ଜାରି ହୋଇଥିବା ବେଳେ ଖୁବ୍ ଶୀଘ୍ର ଏ ସମ୍ପର୍କିତ ସମସ୍ତ ସର୍କୁଲାର, ନିର୍ଦ୍ଦେଶାବଳୀ ଆଦିକୁ ସଂକଳିତ କରି ଏକ ସ୍ଵତନ୍ତ୍ର ଏସଓପି ପୁସ୍ତିକା ଜାରି କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି ।
ସେହିପରି ଜମିପଟ୍ଟାର ୨ ଖାନା ବା କଲମ୍ ୨ ସଂଶୋଧନକୁ ଗୁରୁତ୍ୱ ଦେଇ ଏପର୍ଯ୍ୟନ୍ତ ବିଶେଷ କାର୍ଯ୍ୟକ୍ରମ ଅଧୀନରେ ୬୨.୬୮ ଲକ୍ଷ ଖାତାର ସର୍ଭେ ହୋଇଥିବା ବେଳେ ତନ୍ମଧ୍ୟରୁ ପ୍ରାୟ ୫୮.୮୦ ଲକ୍ଷ ରେକର୍ଡ଼୍ ସଂଶୋଧିତ ହେବା ସହ ସଠିକ୍ ମାଲିକାନା ସପକ୍ଷରେ ପଟ୍ଟା ଜାରି କରାଯାଇଛି । ଏହି ପରିପ୍ରେକ୍ଷୀରେ ରାଜସ୍ୱ ନିରୀକ୍ଷକ (ଆର୍ ଆଇ)ମାନଙ୍କୁ ପ୍ରତ୍ୟେକ ମାସରେ ୨୫୦ ରୁ ୩୦୦ ଖାତାର ସର୍ଭେ କରିବା ନିମନ୍ତେ ଲକ୍ଷ୍ୟ ନିର୍ଦ୍ଧାରିତ କରି ତଦନୁଯାୟୀ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି କୃଷକ ପଞ୍ଜିକରଣ (ଫାର୍ମର୍ ରେଜିଷ୍ଟ୍ରି) ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ସହ ସଂଶୋଧିତ ଖାତା ଗୁଡ଼ିକରେ କୃଷକ ମାନଙ୍କୁ ସଠିକ୍ ଭାବେ ପଞ୍ଜୀକୃତ କରିବା ସହ ଆଧାର ଲିଙ୍କ୍ ସଂଯୋଗୀକରଣକୁ ସଫଳତା ସହ ସମାପନ କରିବାକୁ କୃଷି ବିଭାଗର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହାଦ୍ଵାରା କୃଷକମାନଙ୍କ ପାଇଁ ବିଭିନ୍ନ ସରକାରୀ ସୁବିଧାସୁଯୋଗ ଉପଲବ୍ଧ ହେବା ଅଧିକ ସହଜ ଏବଂ ସମ୍ଭବ ହେବ ।
ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ ରାଜସ୍ୱ ପ୍ରଶାସନକୁ ସୁଦୃଢ଼ କରିବା ନିମନ୍ତେ ଗୁରୁତ୍ଵାରୋପ କରି ଆଗାମୀ ଦିନରେ ପ୍ରତ୍ୟେକ ମାସରେ ନିର୍ଦ୍ଦିଷ୍ଟ ମାପକ (ପାରାମିଟର୍) ଆଧାରରେ ଜିଲ୍ଲାମାନଙ୍କର ର।ଙ୍କିଙ୍ଗ୍ କରାଯିବ ବୋଲି କହିଛନ୍ତି । ର।ଙ୍କିଙ୍ଗ୍ ଆଧାରରେ ଭଲ ପ୍ରଦର୍ଶନ କରିନଥିବା ଜିଲ୍ଲାମାନଙ୍କର ସମୀକ୍ଷା କରାଯିବା ସହ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରଶାସନିକ କାର୍ଯ୍ୟ ସମ୍ପନ୍ନ ନ କଲେ ଅଥବା କାର୍ଯ୍ୟାଦେଶ ଅବମାନନା କଲେ ସମ୍ପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।ଏଥିସହିତ ସମଗ୍ର ରାଜ୍ୟରେ ସ୍ଵଚ୍ଛ ତଥା ଦୁର୍ନୀତିମୁକ୍ତ ରାଜସ୍ୱ ପ୍ରଶାସନକୁ ସୁନିଶ୍ଚିତ କରିବା ନିମନ୍ତେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ପାଢ଼ୀ ଦୃଢ଼ ଗୁରୁତ୍ୱାରୋପ କରିଛନ୍ତି । ସେହିପରି ବେବନ୍ଦୋବସ୍ତ ଥିବା ସରକାରୀ ଜମିକୁ ଜବରଦଖଲ କରିଥିବା ବ୍ୟକ୍ତିବିଶେଷଙ୍କୁ ଚିହ୍ନଟ କରି ତାଙ୍କ ବିରୁଦ୍ଧରେ ବିଭାଗ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରାଜସ୍ୱ ସଚିବ ଦୃଢ଼ ନିର୍ଦ୍ଦେଶ ଦେଇଛନ୍ତି ।
ସେହିପରି କାଳବୈଶାଖୀ ଅଥବା କୌଣସି ବି ବିପର୍ଯ୍ୟୟ ଘଟିଲେ ତୁରନ୍ତ ତାହାର କ୍ଷୟକ୍ଷତି ଆକଳନ କରି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ଅବଗତ କରାଇବା ସହ ସମସ୍ତ ସହାୟତା ଅଗ୍ରାଧିକାର ଭିତ୍ତିରେ ଯୋଗାଇ ଦେବାକୁ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ରାଜସ୍ୱ ବିଭାଗ ଅଧୀନରେ ଥିବା ସମସ୍ତ ଓଏଏସ୍ ଏବଂ ଓଆରଏସ୍ ଅଧିକାରୀଙ୍କୁ ବଦଳି ନିର୍ଦ୍ଦେଶ ଆସିବାର ସାତ ଦିନ ମଧ୍ୟରେ ନୂତନ ନିଯୁକ୍ତି ସ୍ଥାନରେ ଯୋଗ ଦେବାକୁ ଦୃଢ଼ ନିର୍ଦ୍ଦେଶ ଦିଆଯାଇଛି । ବଦଳି କାର୍ଯ୍ୟାଦେଶ ଅବମାନନା କରିଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ମଧ୍ୟ ଦିଆଯାଇଛି ।
ଏଥିସହିତ ସମସ୍ତ ଆରଡିସିଙ୍କୁ ସେମାନଙ୍କସ୍ତରରେ ନିୟମିତ ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେବା ସହ ବିଭାଗ ପକ୍ଷରୁ ମଧ୍ୟ ବିଭିନ୍ନ ଜିଲ୍ଲାମାନଙ୍କର ସମୟକ୍ରମେ ସମୀକ୍ଷା କରାଯିବ ବୋଲି ସୂଚନା ଦିଆଯାଇଛି । ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ, ମାନ୍ୟବର ରାଜସ୍ୱ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଶ୍ରୀ ପ୍ରଦୀପ କୁମାର ସାହୁ, ରାଜସ୍ୱ ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ଅମୀୟ କୁମାର ସାହୁ, ଯୁଗ୍ମ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ସାହୁ, ଓଏସଡି ରଶ୍ମି ରଞ୍ଜନ ରାଉତ ଏବଂ ଅନ୍ୟାନ୍ୟ ଅଧିକାରୀବୃନ୍ଦ ଉପସ୍ଥିତ ଥିବା ବେଳେ ଆଭାସୀ ମାଧ୍ୟମରେ ସମସ୍ତ ଡିଭିଜନର ଆରଡିସି, ସମସ୍ତ ଜିଲ୍ଲାର ଏଡିଏମ୍ ଏବଂ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀଗଣ ଉପସ୍ଥିତ ଥିଲେ ।
-0-
ଅଂଶୁମାନ ସାହୁ ,ଲୋକସମ୍ପର୍କ ଅଧିକାରୀ ,ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଙ୍କ ସୌଜନ୍ୟ ରୁ
