ଟିପି ସ୍କିମ୍ ୪୨–୪୫ ଜମି ପୁନଃଗଠନ ପାଇଁ ଡ୍ରାଫ୍ଟ ଏସ୍‌ଓପି ଜାରି କଲା ବିଡିଏ

ଭୁବନେଶ୍ୱର, ୦୬/୦୫/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଜୋନ୍-୪ ଅନ୍ତର୍ଗତ ସହର ପରିକଳ୍ପନା ଯୋଜନା  ଟିପି ସ୍କିମ୍ ୪୨ ରୁ ୪୫ ଅଧୀନରେ ଜମି ପୁନଃଗଠନ ପାଇଁ ଏକ ଡ୍ରାଫ୍ଟ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ୍ୟୁର (ଏସ୍‌ଓପି) ପ୍ରକାଶ କରିଛି।

ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ଏକ ସ୍ୱଚ୍ଛ ଏବଂ ଭଲ ବ୍ୟବସ୍ଥା ତିଆରି କରି ପୁନଃଗଠିତ ପ୍ଲଟଗୁଡ଼ିକୁ ସହଜ, ନ୍ୟାୟପୂର୍ଣ୍ଣ ଏବଂ ସମାନ ଭାବରେ ବଣ୍ଟନ କରିବା ସହିତ ଜମିମାଲିକଙ୍କୁ ସର୍ବାଧିକ ଲାଭ ପ୍ରଦାନ କରିବା।

ଏହି ଏସ୍‌ଓପି ବିଜିପୁର, କାଶୀପୁର, ଭଗବାନପୁର, ବାଲିଆପଡ଼ା ଏବଂ ପାତ୍ରପଡ଼ା ଗ୍ରାମର ଅଞ୍ଚଳଗୁଡ଼ିକୁ ଅନ୍ତର୍ଭୁକ୍ତ କରିଛି।

 ସମ୍ପୃକ୍ତ ଏସ୍‌ଓପି ମାଧ୍ୟମରେ ବିଡିଏ ପ୍ଲଟ ପୁନଃଗଠନ ପ୍ରକ୍ରିୟାକୁ ସହଜ କରିବା, ସମାନ ଜମି ବଣ୍ଟନ ନିଶ୍ଚିତ କରିବା, ଜମି ବିବାଦ କମ କରିବା ଏବଂ ହିତାଧିକାରୀଙ୍କ ଆସ୍ଥା ବଢ଼ାଇବା ଲକ୍ଷ୍ୟ ରଖିଛି।

ଏହି ଡ୍ରାଫ୍ଟର ଏକ ପ୍ରମୁଖ ବିଶେଷତ୍ୱ ହେଉଛି ଗୋଟିଏ ମୌଜା ମଧ୍ୟରେ ପ୍ଲଟଗୁଡ଼ିକର ସ୍ୱେଚ୍ଛାକୃତ ମିଶ୍ରଣ ବ୍ୟବସ୍ଥା। ଜମିମାଲିକମାନେ ନିଜ ଜମି ମିଶାଇଲେ ୪୦% କଟିବା ପରେ ମୋଟ ଜମିର ୬୦% ଫେରସ୍ତ ପାଇବେ। ଗୋଟିଏ ମୌଜା ମଧ୍ୟରେ ଜଣେ ମାଲିକଙ୍କର ବିଭିନ୍ନ ଖାତା ନମ୍ବର ଥିବା ଏକାଧିକ ପ୍ଲଟ ଥିଲେ ମିଶ୍ରଣ ବାଧ୍ୟତାମୂଳକ ହେବ। ଏହା ଛୋଟ ଛୋଟ ପ୍ଲଟଗୁଡ଼ିକୁ ଏକାଠି କରିବାକୁ ଅନୁମତି ଦେଉଛି ଏବଂ ଏକାଧିକ ଜମିମାଲିକ ମିଳିମିଶି ଆବେଦନ କରିପାରିବେ। ଏହା ଯୋଗୁଁ ଚଉଡ଼ା ରାସ୍ତା କଡ଼ରେ ପ୍ଲଟ ଆବଣ୍ଟନ କରାଯିବା ସମ୍ଭବ ହୋଇପାରିବ।

ଯୋଜନାବଦ୍ଧ ବିକାଶକୁ ପ୍ରୋତ୍ସାହନ କରିବା ପାଇଁ ନିମନ୍ତେ ବଡ଼ ମିଶ୍ରିତ ପ୍ଲଟଗୁଡ଼ିକ ପାଇଁ ଫ୍ଲୋର ଏରିଆ ଅନୁପାତ (ଏଫ୍‌ଏଆର୍)ର ଲାଭ ଦିଆଯାଇଛି। ବଡ଼ ପ୍ଲଟର ଆକାର ଅନୁଯାୟୀ ରାସ୍ତା ଚଉଡା ଦ୍ୱାରା ଅଧିକ ଲାଭ ମିଳିବ। ଏହା ବିନିଯୋଗ ବଢ଼ାଇବ ଏବଂ ଜମିର ଉତ୍ତମ ବ୍ୟବହାରକୁ ଉତ୍ସାହିତ କରିବ ବୋଲି ଆଶା କରାଯାଉଛି।

ବିଡିଏ ଅଧିସୂଚନା ପରେ ସାତ ଦିନ ମଧ୍ୟରେ ହିତାଧିକାରୀ ଏବଂ ସାଧାରଣ ଜନତାଙ୍କ ଠାରୁ ପରାମର୍ଶ ଏବଂ ମତାମତ ଆହ୍ୱାନ କରିଛି, ଯାହା ଅଂଶଗ୍ରହଣମୂଳକ ସହର ପରିକଳ୍ପନା ଏବଂ ସ୍ଥାୟୀ ସହର ବିକାଶ ପ୍ରତି ତାଙ୍କର ପ୍ରତିବଦ୍ଧତାକୁ ପ୍ରକାଶ କରୁଛି। ଏହାର ସବିଶେଷ ତଥ୍ୟ ଜାଣିବା ପାଇଁ bda.gov.in ରେ ଲଗଇନ୍ କରନ୍ତୁ।

Leave a Reply

Your email address will not be published. Required fields are marked *